ଜାତୀୟ

DrivingLicence: ୫୦ ବର୍ଷ ‌ବୟସ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ବୈଧ ରହିବ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଗାଡ଼ି ସମ୍ପର୍କିତ ଅନ୍ୟାନ୍ୟ ସେବା ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ବିଚାର କରୁଛନ୍ତି। ଏଥିରେ ଡ୍ରାଇଭିଂ ଲାଇସେନ୍ସର ବୈଧତା ବଢ଼ାଇବା ଓ ଗାଡ଼ିର ଅନ୍ୟାନ୍ୟ ସେବାଗୁଡ଼ିକୁ ସମ୍ପୂର୍ଣ୍ଣ ଅନଲାଇନ୍‌ରେ ଉପଲବ୍ଧ କରାଇବା ବିଷୟରେ ଚିନ୍ତା କରାଯାଉଛି। ତାହା ହେଲେ ଲୋକମାନଙ୍କୁ ଆଉ ସବୁ କାମ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)କୁ ଦୌଡ଼ିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ସମୟରେ ୨୦ ବର୍ଷ ଅବଧି ପାଇଁ ଡିଏଲ୍‌ ପ୍ରଦାନ କରାଯାଉଛି। ଗାଡ଼ି ଚାଳକଙ୍କୁ ୫୦ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଡିଏଲ୍‌ର ବୈଧତା ବଢ଼ାଇବା ବିଷୟରେ ସଡ଼କ ପରିବହନ ମନ୍ତ୍ରଣାଳୟ ବିଚାର କରୁଛି।

ତାହା ହେଲେ ଅଳ୍ପ ବୟସରୁ ଡିଏଲ୍‌ ହାସଲ କରିଥିବା ଲୋକମାନଙ୍କୁ ୫୦ ବର୍ଷ ବୟସ ପୂର୍ବରୁ ପୁଣି ଥରେ ତାହାକୁ ନବୀକରଣ କରିବାକୁ ପଡ଼ିବ ନାହିଁ। ଗାଡ଼ି ମାଲିକାନା ହସ୍ତାନ୍ତର ଓ ପରମିଟ୍‌ ନବୀକରଣ ସେବାକୁ ସମ୍ପୂର୍ଣ୍ଣ ଅନଲାଇନ୍‌ ମାଧ୍ୟମରେ ଉପଲବ୍ଧ କରାଇବା ବିଷୟରେ ମନ୍ତ୍ରଣାଳୟ ବିଚାର କରୁଛି। ଏହା କାର୍ଯ୍ୟକାରୀ ହେଲେ ଗାଡ଼ି ମାଲିକମାନଙ୍କୁ ମାଲିକାନା ବଦଳାଇବା ପାଇଁ ବାରମ୍ବାର ଆର୍‌ଟିଓ ଯିବାକୁ ପଡ଼ିବ ନାହିଁ। ଏହା ଉଭୟ ନାଗରିକ ଓ ପରିବହନ କର୍ତ୍ତୃପକ୍ଷଙ୍କ ସମୟ ସଞ୍ଚୟ କରିବ। ଲୋକମାନଙ୍କ ଜୀବନକୁ ସହଜ କରିବା ଲକ୍ଷ୍ୟ ନେଇ ଏହି ପ୍ରସ୍ତାବଗୁଡ଼ିକ ସମ୍ପର୍କରେ ଚିନ୍ତା କରାଯାଉଛି। ସରକାର ଭାବୁଛନ୍ତି ଯେ କାଗଜପତ୍ର ଓ ପ୍ରଶାସନିକ ପ୍ରତିବନ୍ଧକ ଦୂର କରାଗଲେ ବିଭିନ୍ନ ସେବା ଠିକ୍‌ ଭାବେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ।

ସଡ଼କ ପରିବହନ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ନିୟମରେ ଏହି ପରିବର୍ତ୍ତନ ହେଲେ ରାଜ୍ୟଗୁଡ଼ିକ କୌଣସି ରାଜସ୍ବ ହରାଇବେ ନାହିଁ। ଆର୍‌ଟିଓ ପରିଦର୍ଶନ ନ କରି ମଧ୍ୟ ଗାଡ଼ି ମାଲିକମାନେ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ଚାର୍ଜ ଦାଖଲ କରିପାରିବେ। ଦ୍ବିତୀୟରେ ଅନଲାଇନ୍‌ ବ୍ୟବସ୍ଥାରେ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ଚାଳକମାନଙ୍କୁ ନକାରାତ୍ମକ ପଏଣ୍ଟ୍‌ ଦିଆଯାଇପାରିବ। ଫଳରେ ସେମାନଙ୍କ ଡିଏଲ୍‌କୁ ବାତିଲ କରାଯାଇପାରିବ। ଏହା ଜରିଆରେ ଖରାପ ଗାଡ଼ି ଚାଳକଙ୍କ ଉପରେ ଲଗାମ ଲଗାଯାଇପାରିବ ବୋଲି ସରକାର ଭାବୁଛନ୍ତି।

 

 

 

ସୌଜନ୍ୟ Prameya News7

Show More
Back to top button