India to import LPG: ରୁଷ, ନରୱେରୁ ଏଲ୍ପିଜି ଆଣିବ ଭାରତ
ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ହର୍ମୁଜ ପ୍ରଣାଳୀ ଦେଇ ଏଲ୍ପିଜି ଆମଦାନି ପ୍ରଭାବିତ ହୋଇଥିବାରୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଆମେରିକା ଓ ନରୱେରୁ ଗ୍ୟାସ୍ ଆଣିବା ଉପରେ ଭାରତ ସରକାର କାମ କରୁଛନ୍ତି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ହର୍ମୁଜ ପ୍ରଣାଳୀ ଦେଇ ଏଲ୍ପିଜି ଆମଦାନି ପ୍ରଭାବିତ ହୋଇଥିବାରୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଆମେରିକା ଓ ନରୱେରୁ ଗ୍ୟାସ୍ ଆଣିବା ଉପରେ ଭାରତ ସରକାର କାମ କରୁଛନ୍ତି। ମଧ୍ୟପ୍ରାଚ୍ୟର ଯେଉଁ ସବୁ ଦେଶରେ ଏଲ୍ପିଜି ଉପଲବ୍ଧ ରହିଛି, ସେଠାରୁ ତାହାକୁ ଅଣାଯାଉଛି। ଏହା ବ୍ୟତାତୀ ଆମେରିକା, ନରୱେ, କାନାଡା ଓ ରୁଷରୁ ଏଲ୍ପିଜି ଆଣିବା ଲାଗି ମଧ୍ୟ ଉଦ୍ୟମ ହେଉଛି ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ବାଣିଜ୍ୟିକ ଏଲ୍ପିଜି ସଙ୍କଟ ଲାଗି ରହିଥିବାରୁ ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକୁ ବାୟୋମାସ୍, କିରାସିନି ଓ କୋଇଲାକୁ ଜାଳେଣି ଭାବେ ବ୍ୟବହାର କରିବାକୁ ଅନୁମତି ଦେବା ଲାଗି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ ତୈଳ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଲ୍ପିଜି ଯୋଗାଣ ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ସେହି ସୁବିଧା ବଜାୟ ରଖିବାକୁ କୁହାଯାଇଛି।
ଭାରତ ଏହାର ୬୦ ପ୍ରତିଶତ ଏଲ୍ପିଜି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ଆମଦାନି କରୁଛି। କିନ୍ତୁ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଯୋଗାଣ ଶୃଙ୍ଖଳା ବ୍ୟାଘାତକୁ ନଜରରେ ରଖି ଏବେ ବିଭିନ୍ନ ଉତ୍ସରୁ ଗ୍ୟାସ୍ ଆଣିବା ଉପରେ ସରକାର କାମ କରୁଚନ୍ତି। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇଁ ସରକାର ଜରୁରୀକାଳୀନ କ୍ଷମତା ବ୍ୟବହାର କରିଛନ୍ତି। ଦେଶର ୩୩ କୋଟିରୁ ଅଧିକ ପରିବାର ନିକଟରେ ରନ୍ଧନ ଗ୍ୟାସ୍ ପହଞ୍ଚାଇବା ନିଶ୍ଚିତ କରିବା ଲାଗି ବାଣିଜ୍ୟିକ ଏଲ୍ପିଜି ଉପରେ ରୋକ ଲଗାଯାଇଛି। ଏଥି ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ମଧ୍ୟ ଲାଗୁ କରାଯାଇଛି। ରନ୍ଧନ ଗ୍ୟାସ୍ ଯୋଗାଣରେ କୌଣସି ସମସ୍ୟା ନଥିବା ଶ୍ରୀ ପୁରୀ କହିଛନ୍ତି। ଲୋକମାନେ ଆତଙ୍କିତ ହୋଇ ବୁକିଂ କରୁଥିବାରୁ ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସି ସାମ୍ନାରେ ଭିଡ଼ ରହୁଛି।
୭୦ ପ୍ରତିଶତ ତେଲ ଆମଦାନୀ କରାଯାଉଛି।
ଅଶୋଧିତ ତୈଳ ସମ୍ପର୍କରେ ଶ୍ରୀ ପୁରୀ କହିଛନ୍ତି ଅଣ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ୭୦ ପ୍ରତିଶତ ତେଲ ଆମଦାନୀ କରାଯାଉଛି। ସେଥିପାଇଁ ଯୁଦ୍ଧ ଦ୍ବାରା ଭାରତର ତୈଳ ବଜାର ବିଶେଷ ପ୍ରଭାବିତ ହେବ ନାହିଁ। ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ରହିଛି। ପ୍ରାୟ ସବୁ ଦିନ ଏଲ୍ଏନ୍ଜି ଜାହାଜ ଭାରତରେ ପହଞ୍ଚୁଛି। ଦେଶରେ ଯଥେଷ୍ଟ ପରିମାଣର ଏଲ୍ଏନ୍ଜି ରହିଛି। ଯୁଦ୍ଧ ଲାଗି ରହିଲେ ସ୍ଥିତି ବିଶେଷ କିଛି ବିଗିଡ଼ିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତିି। ତେବେ ବାଣିଜ୍ୟିକ ଏଲ୍ପିଜିକୁ ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉପଲବ୍ଧତା ଆଧାରରେ ପୁଣିଥରେ ତାହାର ଯୋଗାଣ ଆରମ୍ଭ ହୋଇଛି। ୨୦ ପ୍ରତିଶତ ବାଣିଜ୍ୟିକ ଏଲ୍ପିଜି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସତ୍ତ୍ବେ ସାରା ଦେଶରେ ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ କାଠଚୁଲା ଭଳି ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି।
ସୌଜନ୍ୟ ସମ୍ବାଦ




