ବାଣିଜ୍ୟ

Indigoକୁ ଜିରୋରୁ ହିରୋ କରିଥିବା ବ୍ୟକ୍ତି କିଏ, ୩ ବର୍ଷ ପୂର୍ବେ କାହିଁକି ଚାଲିଗଲେ ଆମେରିକା ?

ନୂଆଦିଲ୍ଲୀ ୧୫।୧୨: ଇଣ୍ଡିଗୋ ଏବେ ସେହି ସବୁ ସମସ୍ୟାର ସାମ୍ନା କରୁଛି ଯେଉଁଥିରୁ ବର୍ତ୍ତିବା ପାଇଁ ଏହାକୁ ଗଢା ଯାଇଥିଲା। ଡିସେମ୍ବର ସୁଦ୍ଧା ଏହାର ସମୟାନୁବର୍ତ୍ତିତା ହ୍ରାସ ହୋଇ ୧୯.୭% ହୋଇଯାଇଥିବା ବେଳେ ୪ ହଜାରରୁ ଅଧିକ ଉଡାଣ ବାତିଲ ହୋଇଛି। ଫଳରେ ଇଣ୍ଡିଗୋ ବିମାନ ଯାତ୍ରୀ ବିଭିନ୍ନ ବିମାନବନ୍ଦରର ଟର୍ମିନାଲ ଜାମ କରିଥିଲେ। ଏହା ଏକ ଏପରି ଏୟାଲାଇନ ଯାହା ନିଜର ସମୟାନୁବର୍ତ୍ତିତା ସିଦ୍ଧାନ୍ତରେ ଚାଲୁଥିଲା, ହେଲେ ଏହା ବିଗିଡି ଯାଇଥିବା ବେଳେ ଏକ ଚିନ୍ତାଜନକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଇଣ୍ଡିଗୋ କ’ଣ ସେହି ସିଷ୍ଟମରୁ ଦୂରେଇ ଯାଇଛି ଯାହା ଉପରେ ଏହାର ସ୍ଥାପନା ହୋଇଥିଲା? ଆସନ୍ତୁ ଜାଣିବା।

ଏହି ପ୍ରଶ୍ନ ଏବେ ସେହି ବ୍ୟକ୍ତିଆଡକୁ ନେଇ ଯାଉଛି ଯିଏ ଏହି ସିଷ୍ଟମର ଡିଜାଇନ କରିଥିଲେ। ସେ ଆଉ କେହି ନୁହନ୍ତି ଇଣ୍ଡିଗୋର ସହ ସଂସ୍ଥାପକ ରାକେଶ ଗଙ୍ଗୱାଲ ଓ ୩ ବର୍ଷ ପୂର୍ବେ ସେ ନିଜକୁ ଇଣ୍ଡିଗୋରୁ ପୃଥକ କରିନେଇଛନ୍ତି । ସହ ସଂସ୍ଥାପକ ରାହୁଲ ଭାଟିଆଙ୍କ ସହ ବିବାଦ ଯୋଗୁ ଗଙ୍ଗୱାଲ ଇସ୍ତଫା ଦେଇଥିଲେ ଓ ନିଜକୁ ନିଷ୍କ୍ରିୟ ନିବେଶକ ଘୋଷଣା କରିଥିଲେ। ଏହାପରେ ଭିତରେ ଭିତରେ ବଡ଼ ଡିଲ ହୋଇଯାଇଥିଲା। କୁହାଯାଉଛି ୨୦୨୫ ଶେଷ ବେଳକୁ ଗଙ୍ଗୱାଲଙ୍କ ପାରିବାରିକ ଟ୍ରଷ୍ଟ ନିକଟରେ ମାତ୍ର ୫% ଭାଗିଦାରୀ ଅଛି।

ଗଙ୍ଗୱାଲ ଆମେରିକାରେ ରୁହନ୍ତି, ତେବେ ଭାରତକୁ ମୁହାଁଇବା ପୂର୍ବରୁ ସେ ବିଶ୍ୱର ସବୁଠୁ ବଡ଼ ଏୟାରଲାଇନ୍ସ ମଧ୍ୟରୁ ଅନ୍ୟତମ ଏକ ଏୟାରଲାଇନ୍ସ ର ସଞ୍ଚାଳକ ଥିଲେ। ୨୦୦୫ ମସିହାରେ ସେ ଇଣ୍ଟର ଗ୍ଲୋବ ଏଣ୍ଟରପ୍ରାଇଜର୍ସର ମୁଖ୍ୟ ରାହୁଲ ଭାଟିଆଙ୍କ ସହ ପାର୍ଟନରସିପ୍ କରିଥିଲେ। ତେବେ ଦୁଇଜଣଙ୍କ ମଧ୍ୟରେ ସ୍ପଷ୍ଟ ଅନ୍ତର ଥିଲା। ଭାଟିଆ ରାଜନୈତିକ ରୂପେ ପ୍ରଭାବଶାଳୀ ଥିଲେ ଓ ନିୟମ ଏବଂ କଥାବାର୍ତ୍ତାରେ ନିପୁଣ ଥିଲେ। ଅପରପଟେ ଗଙ୍ଗୱାଲ ଜଣେ ରଣନୀତିକାର, ଡାଟା ଆଧାରିତ ଓ ପରିଚାଳନା ମାମଲାରେ ବେଶ୍ ପରିପକ୍ୱ ବ୍ୟକ୍ତି ଥିଲେ। ଗଙ୍ଗୱାଲଙ୍କ ସିଦ୍ଧାନ୍ତ ଥିଲା ଏୟାର ଲାଇନ୍ସର ଯାହା ଏକମାତ୍ର ସଠିକ ଉତ୍ପାଦ ତାହା ହେଉଛି ସମୟାନୁବର୍ତ୍ତିତା।

ଭାଟିଆଙ୍କ ସହ ମିଶି ଗଙ୍ଗୱାଲ ଭାରତରେ ଯେଉଁ ଏୟାର ଲାଇନ ଛିଡା କଲେ ତାହା କେବଳ ଏକ ବଜେଟ୍ ଏୟାର ଲାଇନ ନୁହେଁ ଏକ ଆର୍ଥିକ ଓ ପରିଚାଳନା ଇଞ୍ଜିନ ଥିଲା। ଗଙ୍ଗୱାଲଙ୍କ ସବୁଠୁ ବଡ଼ ନୂତନତ୍ୱ ଥିଲା ବିକ୍ରି ଓ ଲିଜ୍ ବ୍ୟାକ୍ ମଡେଲ। ଏଥିରେ ୨୦୦୫ ମସିହାରେ ୧୦୦ ଏୟାରବସ୍ ଏ-୩୨୦ ବିମାନ ପାଇଁ ତାଙ୍କର ଐତିହାସିକ ଅର୍ଡର ମଧ୍ୟ ଥିଲା। ଏଥି ପାଇଁ ନିର୍ମାତାଙ୍କଠାରୁ ତାଙ୍କୁ ବେଶ୍ ମୋଟା ରକମର ରିହାତି ମଳିଥିଲା ଓ ଡେଲିଭରି ପରେ ବିମାନ ଗୁଡିକୁ ତୁରନ୍ତ ବୈଶ୍ୱିକ ଲିଜ ଦେଉଥିବା କମ୍ପାନୀଙ୍କୁ ବଜାର ମୂଲ୍ୟରୁ ଅଧିକ ଦରରେ ବିକ୍ରି କରିଦିଆଯାଇଥିଲା ଓ ଏ ଗୁଡିକୁ ପୁଣି ଲିଜରେ ଫେରସ୍ତ ଅଣାଯାଇଥିଲା। ଏହି ନେଣଦେଣରେ ପ୍ରାୟତଃ ପ୍ରଥମ ଦିନରେ ନଗଦ ଲାଭ ମିଳି ଯାଉଥିଲା। ଏଣୁ ପ୍ରତିୟୋଗୀଙ୍କ ବିପରୀତ ଆରମ୍ଭରୁ ଇଣ୍ଡିଗୋ କମ ସମ୍ପତ୍ତି ଓ ଋଣ ମୁକ୍ତ ଥିଲା।

ଗଙ୍ଗୱାଲ ଇଣ୍ଡିଗୋ ଲାଗି ୬ ବର୍ଷିଆ ଫ୍ଲିଟ ସାଇକଲ ଲାଗୁ କରିଥିଲେ। ଏହା ଦ୍ୱାରା ମହଙ୍ଗା ଓ ରକ୍ଷଣାବେକ୍ଷଣ ଯାଞ୍ଚ ପୂର୍ବରୁ ବିମାନଙ୍କୁ ଫେରାଇ ଦିଆଯାଉଥିଲା। ଫଳରେ ବିଶ୍ୱ ଏଭିଏସନ ଜଗତରେ ଏପରି ଏକ ଫ୍ଲିଟ ତିଆରି ହୋଇଥିଲା ଯାହା ନା କେବଳ ଇନ୍ଧନ କୁଶଳ ଥିଲା ବରଂ ବିଶ୍ୱସନୀୟ ଓ ଗ୍ରାଉଣ୍ଡିଂ ରିସ୍କରୁ ମୁକ୍ତ ଥିଲା। ପ୍ରାୟ ଏକ ଦଶନ୍ଧୀରୁ ଅଧିକ ସମୟ ଧରି ଇଣ୍ଡିଗୋ କେବଳ ଗୋଟିଏ ପ୍ରକାରର ବିମାନ ସଞ୍ଚାଳନ କରିଥିଲା। ଏଣୁ ଯେ କୌଣସି ପାଇଲଟ ଯେ କୌଣସି ବିମାନକୁ ଉଡାଇ ପାରୁଥିଲେ। ସେହିପରି କୌଣସି ଇଞ୍ଜିନିୟର ଯେ କୌଣସି ବିମାନର ମରାମତି କରିପାରୁଥିଲେ। ଏଣୁ ୨୦୧୯ ବେଳକୁ ଇଣ୍ଡିଗୋ ଘରୋଇ ବଜାରର ଅଧିକରୁ ଅଧିକ ଅଂଶ ହାତେଇ ନେଇଥିଲା। ଅନ୍ୟପଟେ ଋଣ, ମିଶାମିଶି ବିମାନ, ମହଙ୍ଗା ସେବା ଯୋଗୁ ଅଧିକାଂଶ ପ୍ରତିଯୋଗୀ ପଛେଇ ଯାଇଥିଲେ।

୨୦୧୯ରେ ଇଣ୍ଡିଗୋ ଭାରତୀୟ ଆକାଶରେ ଛାଇ ଯାଇଥିବା ବେଳ ଜୁଲାଇମାସରେ ଗଙ୍ଗୱାଲ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଙ୍କୁ ଏକ ପତ୍ର ଲେଖି କମ୍ପାନୀ ପ୍ରଶାସନରେ ଗଭୀର ସମସ୍ୟା ଥିବାର ଅଭିଯୋଗ କରିଥିଲେ। ବିବାଦ ସମ୍ବଦ୍ଧିତ ପକ୍ଷଙ୍କ ନେଣଦେଣ ସମ୍ପର୍କିତ ଥିଲା।ତେବେ ଏହି ଠାରୁ ଗଙ୍ଗୱାଲ ଓ ଭାଟିଆଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏହି ବିବାଦ ବଢିବା ସହ ସାର୍ବଜନିକ ହୋଇଥିଲା ଓ ନିବେଶକଙ୍କୁ ଚିନ୍ତିତ କରିଥିଲା। କାରଣ ସେୟାରବଜାରରେ ଗୋଟିଏ ଅଧିବେଶନରେ ଇଣ୍ଡିଗୋ ବଜାର ମୂଲ୍ୟରେ ୧ ବିଲିୟନ ଡଲାର ହ୍ରାସ ହୋଇଥିଲା।

ଏହା ପରେ ଯାହା କିଛି ବି ହେଲା ଏହା ଭାରତୀୟ କର୍ପୋରେଟ ଇତିହାସରେ ମାଲିକାନାର ସବୁଠୁ ସୁନିୟୋଜିତ ହସ୍ତାନ୍ତରଣ ମଧ୍ୟରୁ ଅନ୍ୟତମ ଥିଲା। ୨୦୨୨-୨୦୨୫ ମଧ୍ୟରେ ଗଙ୍ଗୱାଲ ସଂସ୍ଥାଗତ ବ୍ଲକ୍ ଡିଲ ମାଧ୍ୟମରେ ତାଙ୍କ ୩୭% ଅଂଶିଦାରୀର ଅଧିକାଂଶ ଅଂଶ ବିକି ଦେଇଥିଲେ, ଯାହା ଦ୍ୱାରା ବଜାରରେ ହେବାକୁ ଥିବା ଅଚାନକ ହ୍ରାସରୁ ସେ ବର୍ତ୍ତି ଯାଇଥିଲେ। ଏହି ରଣନୀତି ନେଇ କୌଣସି ସାର୍ବଜନିକ ସାକ୍ଷାତକାର ଅଥବା ଟିପ୍ପଣୀ କରାଯାଇ ନାହିଁ। ଏଥିରେ ୨୦୨୫ ଶେଷ ବେଳକୁ ଗଙ୍ଗୱାଲ ଇଣ୍ଡିଗୋର ପ୍ରମୋଟରରୁ ସାଧାରଣ ନିବେଶକ ପାଲଟି ଯାଇଛନ୍ତି।

ଟେଲିଗ୍ରାମ ରିପୋର୍ଟ ଅନୁସାରେ ଗଙ୍ଗୱାଲ ଇଣ୍ଡିଗୋରୁ ତାଙ୍କର ଅଂଶିଦାରୀ ବିକ୍ରି କରି ୪ରୁ ୬ ବିଲିୟନ ଡଲାର ଅର୍ଜନ କରିଛନ୍ତି ଓ ମନେ କରାଯାଉଛି ଏବେବି ଏୟାରଲାଇନ୍ସରେ ତାଙ୍କର ୫% ଅଂଶିଦାରୀ ରହିଛି। ଇଣ୍ଡିଗୋରୁ ଗଙ୍ଗୱାଲ ଯିବା ପରେ ମଧ୍ୟ ଏହାର ବ୍ୟବସାୟ ଉତ୍ତରୋତ୍ତର ଉନ୍ନତି ହେଉଛି। ଜୁନ ୨୦୨୫ ସୁଦ୍ଧା ଇଣ୍ଡିଗୋ ଫ୍ଲିଟରେ ୪୩୦ରୁ ଅଧିକ ବିମାନ ସାମିଲ ହୋଇଥିଲେ। ଗଙ୍ଗୱାଲଙ୍କ ନେତୃତ୍ୱରେ ସାବଧାନତା ପୂର୍ବକ ସଞ୍ଚାଳିତ ବିକାଶ ଏବେ ଆହୁରି ଦ୍ରୁତ ଓ ଆକ୍ରମକ ହୋଇଥିଲା।

ତେବେ ଏୟାରଲାଇନ୍ସ ପ୍ରଶିକ୍ଷିତ ପାଇଲଟ, ଅତିରିକ୍ତ କର୍ମଚାରୀ ଓ ପରିଚାଳନା ସୁରକ୍ଷା ଉପାୟରେ ଆନୁପାତିକ ବୃଦ୍ଧି ନ କରି ବିମାନ ସଂଖ୍ୟା ବୃଦ୍ଧି କରିଥିଲା। ଏଣୁ ୨୦୨୫ରେ ପାଇଲଟ ଡ୍ୟୁଟି ଷ୍ଟାଣ୍ଡାର୍ଡରେ ରେଗୁଲେଟରୀ ପରିବର୍ତ୍ତନ ଓ ପାଣିପାଗ ସମ୍ପର୍କିତ ବ୍ୟବଧାନ ଆସିବା ଯୋଗୁ ଇଣ୍ଡିଗୋର ବ୍ୟବସ୍ଥା ଦୋହଲି ଯାଇଥିଲା। ଫଳରେ ୪ ହଜାରରୁ ଅଧିକ ଉଡାଣ ବାତିଲ ହୋଇଥିଲା, ସମୟାନୁବର୍ତ୍ତିତାରେ ଇଣ୍ଡିଗୋ ବିଫଳ ହୋଇଥିଲା, ଯାତ୍ରୀ ଫଶି ରହିଲେ ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ଉପରେ କାମର ବୋଝ ବଢିଗଲା।

ତେବେ ଗଙ୍ଗୱାଲ ଭାରତରେ ରହୁନଥିଲେ ବି ଦେଶ ପାଇଁ ସବୁଠୁ ଲାଭଦାୟକ ଏୟାରଲାଇନ ଗଢିଥିଲେ। ସେ ଲୋକ ଦେଖାଣିଆକୁ ଗୁରୁତ୍ୱ ନଦେଇ ଗଣିତ ଉପରେ ପ୍ରାଥମିକତା ଦେଉଥିଲେ। ସେ ବିମାନକୁ ନଗଦ ଆର୍ଥିକ ଆୟର ସାଧନରେ ପରିଣତ କରିଥିଲେ। ଯେତେବେଳେ ପ୍ରଶାସନ ସିଦ୍ଧାନ୍ତ ତାଙ୍କ ଅନୁରୂପ ନରହିଲା ସେ ସାର୍ବଜନିକ ରୂପେ ମାଲିକାନା ଲାଗି ଲଢେଇ କରିବା ବଦଳେ ବ୍ୟକ୍ତିଗତ ଭାବେ ପୃଥକ ହେବାର ବିକଳ୍ପ ବାଛିଥିଲେ। ତାଙ୍କ ହାତ ତିଆରି ଏୟାରଲାଇନ ଆଜି ବି ଲକ୍ଷଲକ୍ଷ ଲୋକଙ୍କ ପରିବହନ କରୁଛି ଏହା ଲୋଗୋ ଏବେବି ଭାରତୀୟ ଆକାଶରେ ଉଡି ବୁଲୁଛି, ହେଲେ ଯେଉଁ ସ୍ଥପତି ଦିନ ଛୋଟମୋଟ ସୀମା ପାଳନ କରାଉଥିଲେ ସେ ଏବେ ଚାଲି ଯାଇଛନ୍ତି ଓ ତାଙ୍କର ଫେରିବା ଆଉ କେବେବି ସମ୍ଭବ ନୁହେଁ।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button