Breaking News

ଇଣ୍ଡିଗୋ ଏୟାରଲାଇନ୍ସର ସବୁଠୁ ବଡ଼ ବିମାନ ଅର୍ଡର, ଏୟାରବସ ଠାରୁ କିଣିବ ୫୦୦ ବିମାନ

ଇଣ୍ଡିଗୋର ବର୍ତ୍ତମାନ ଚଳାଚଳ କରୁଛି ୩୦୦ ବିମାନ

ନୂଆଦିଲ୍ଲୀ : ଭାରତୀୟ ବିମାନ ଶିଳ୍ପ କ୍ଷେତ୍ରରେ ସବୁଠୁ ବଡ ଡିଲ୍ କରିଛି ଇଣ୍ଡିଗୋ ଏୟାରଲାଇନ୍ସ। ଇଣ୍ଡିଗୋ ଫ୍ରାନ୍ସ କମ୍ପାନି ଏୟାରବସଠାରୁ ୫୦୦ ନୂଆ ଏୟାରବସ୍ ଏ୩୨୦ ବିମାନ କିଣିବାକୁ ଅର୍ଡର ଦେଇଛି। ଖବର ଅନୁଯାୟୀ, ଇଣ୍ଡିଗୋ ବୋର୍ଡ ଦ୍ୱାରା ୫୦ ଅରବ ଡଲାର ମୂଲ୍ୟର ବିମାନ କିଣିବା ପାଇଁ ଅନୁମୋଦନ ଦିଆଯାଇଛି। ଏହି ଅନୁମୋଦନ ପରେ ଇଣ୍ଡିଗୋ ସବୁଠୁ ବଡ ବିମାନ କାରବାରକାରୀ କମ୍ପାନୀ ହୋଇପାରିଛି। ବିମାନ କମ୍ପାନୀ ତରଫରୁ ଏହି ଡିଲ୍ ବିଷୟରେ ସୂଚନା ଦେଇ କୁହାଯାଇଛି ଯେ ଇଣ୍ଡିଗୋ ୫୦୦ ଏୟାରବସ୍ ଏ୩୨୦ ବିମାନକୁ କଣିବ। ଏହା କୌଣସି ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଅର୍ଡର କରାଯାଇଥିବା ସର୍ବାଧିକ ବିମାନ ବୋଲି କୁହାଯାଉଛି । କିଛି ଦିନ ତଳେ ଟାଟା ମାଲିକାନାରେ ଥିବା ଏୟାର ଇଣ୍ଡିଆ ଏକ ବଡ ଡିଲ୍ କରିଥିଲା। ଯେଉଁଥିରେ ୪୭୦ଟି ବିମାନ କିଣିବାକୁ ହୋଇଥିଲା ଡିଲ୍। ଏବେ ସେହି ରେକର୍ଡକୁ ଭାଙ୍ଗିଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ।

ଫ୍ରାନ୍ସ କମ୍ପାନି ଏୟାରବସ ଇଣ୍ଡିଗୋ ଏୟାରଲାଇନ୍ସକୁ ଏହି ବିମାନ ଗୁଡିକ ୨୦୨୦ରୁ ୨୦୩୫ ମଧ୍ୟରେ ଡେଲିଭରି କରାଯିବ ବୋଲି ଆଶା କରାଯାଉଛି ।ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ବର୍ଷ ଗୁଡ଼ିକରେ ଭାରତରେ ବିମାନ ସେବାର ଚାହିଦା ବଢିବ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ଏସବୁ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି। ପ୍ୟାରିସ ଏୟାରସୋ ଅବସରରେ ଉଭୟ କମ୍ପାନିର ବରିଷ୍ଠ ଅଧିକାରୀମାନେ ଏହି ଡିଲ୍ ସଂପର୍କରେ ଘୋଷଣା କରିଥିଲେ । ଏୟାର ସୋ-୨୦୨୩ ଅବସରରେ ଇଣ୍ଡିଗୋ ଏମଡି ରାହୁଲ ଭାଟିଆ ଏବଂ ଏୟାରବସ୍ ସିଇଓ ଗୁଲୋମି ଫୌରୀଙ୍କ ମଧ୍ୟରେ ଏହି ଡିଲ୍ ହୋଇଛି।

ଇଣ୍ଡିଗୋର ଏବେ ପ୍ରାୟ ୩୦୦ ବିମାନ ଚଳାଚଳ କରୁଛି । ଚଳିତ ଦଶନ୍ଧୀ ଶେଷ ସୁଦ୍ଧା ବିମାନ ସଂଖ୍ୟା ୪୮୦ରେ ପହଞ୍ଚିବ । ଏହା ବାଦ ଆଉ ୫୦୦ଟି ବିମାନ ଆସିବା ପରେ ଇଣ୍ଡିଗୋ ଅଧିନକୁ ପ୍ରାୟ ୧୦୦୦ଟି ବିମାନ ଆସିଯିବ ବୋଲି କମ୍ପାନି କହିଛି ।

Comments are closed.