Insurance companies: ବୀମା କମ୍ପାନିଙ୍କୁ ସରକାରଙ୍କ ଆହ୍ବାନ: ଗ୍ରାହକଙ୍କ ବିଶ୍ବାସ ସଙ୍କଟ ଦୂର କର
ବୀମା ଉତ୍ପାଦ ବିକ୍ରି ବେଳେ ମିସ୍ ସେଲିଂ ଏକ ବଡ଼ ସମସ୍ୟା ହୋଇରହିଛି। ଗ୍ରାହକମାନଙ୍କୁ ଗୋଟିଏ କଥା ବୁଝାଇ ଅନ୍ୟ ପ୍ରକାର ଉତ୍ପାଦ ବିକ୍ରି କରାଯାଉଛି। ଫଳରେ ଦରକାର ସମୟରେ ସେମାନଙ୍କୁ ବୀମାର ସୁବିଧା ମିଳୁନଥିବାରୁ ସେମାନେ ନିରାଶ ହେଉଛନ୍ତି।

ଭୁବନେଶ୍ବର: ବୀମା ଉତ୍ପାଦ ବିକ୍ରି ବେଳେ ମିସ୍ ସେଲିଂ ଏକ ବଡ଼ ସମସ୍ୟା ହୋଇରହିଛି। ଗ୍ରାହକମାନଙ୍କୁ ଗୋଟିଏ କଥା ବୁଝାଇ ଅନ୍ୟ ପ୍ରକାର ଉତ୍ପାଦ ବିକ୍ରି କରାଯାଉଛି। ଫଳରେ ଦରକାର ସମୟରେ ସେମାନଙ୍କୁ ବୀମାର ସୁବିଧା ମିଳୁନଥିବାରୁ ସେମାନେ ନିରାଶ ହେଉଛନ୍ତି। ଏହିଭଳି ଘଟଣା ଦ୍ବାରା ସେମାନଙ୍କ ମନରେ ବୀମା କମ୍ପାନି ପ୍ରତି ବିଶ୍ବାସ ସଙ୍କଟ ସୃଷ୍ଟି ହେଉଛି। ବୀମା କ୍ଷେତ୍ରର ସେହି ସଙ୍କଟ ଦୂର କରିବା ଲାଗି ଉନ୍ନୟନ କମିସନର ଦେଓ ରଞ୍ଜନ କୁମାର ସିଂହ ବୀମା କମ୍ପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବରରେ ଅନୁଷ୍ଠିତ ଦ୍ବିତୀୟ ରାଜ୍ୟସ୍ତରୀୟ ବୀମା କମିଟି (ଏସ୍ଏଲ୍ଆଇସି) ବୈଠକକୁ ସମ୍ବୋଧିତ କରି ସେ ଏହା କହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବୀମା ଯୋଜନା ଅନ୍ତର୍ଗତ ଦାବି ଦାଖଲ ଓ ଦାବି ସମାଧାନ ପ୍ରକ୍ରିୟା ସମ୍ପର୍କରେ ସଚେତନତା ବୃଦ୍ଧିର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ବୁଣାକାର ଓ କାରିଗରମାନଙ୍କୁ ସୁଲଭ ମୂଲ୍ୟରେ ବୀମା ଯୋଗାଇ ଦେବା ଉପରେ ଜୋର ଦିଆଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ସୁଲଭ ବୀମା ଯୋଜନା ଆଣିବାକୁ ବୀମା କମ୍ପାନୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବୈଠକରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବୀମା ବଢ଼ାଇବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।




