Breaking News

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଭାରତ ବିଜେତା

ଭୁବନେଶ୍ବର : ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍‌ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍‌ (୯୯)କୁ ପରାସ୍ତ କରିଛି। ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍‌) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ (୬୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ୩୮ ବର୍ଷୀୟ ଛେତ୍ରୀ ତାଙ୍କ ୮୬ତମ ଅନ୍ତର୍ଜାତୀୟ ଗୋଲ୍‌ ଦେଇଥିଲେ।

କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଏହି ଅର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଖେଳି ଅନେକ ଥର ଲେବାନନ୍‌ର ଗୋଲ୍‌ପୋଷ୍ଟର ନିକଟତର ହୋଇଥିଲା। ହେଲେ ଅଳ୍ପ ଅଳ୍ପରେ ଗୋଲ୍‌ ଦେବାରୁ ବଞ୍ଚିତ ହୋଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଗୋଲ୍‌ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଡାହାଣପଟୁ ଲାଲଲିଆଞ୍ଜୁଆଲା ଚାଙ୍ଗଟେଙ୍କ ତଳୁଆ ପାସ୍‌କୁ ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍‌) ସିଧା ଲେବାନନର ଗୋଲ୍‌ପୋଷ୍ଟ୍‌କୁ ବଲ୍‌ ପଠାଇ ଦେଇଥିଲେ। ଏହା ପରେ ଚାଙ୍ଗ୍‌ଟେ (୬୫ ମିନିଟ୍‌)ଙ୍କ ଗୋଲ୍‌ରେ ଭାରତ ସ୍ଥିତି ୨-୦ କରିନେଇଥିଲା। ଦୁଇ ଗୋଲ୍‌ ବରଣ କରିବା ପରେ ଲେବାନନ୍‌ ପ୍ରତିଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଭାରତର ରକ୍ଷଣଭାଗ ଭେଦ କରିପାରନଥିଲା। ଏମିତିବି ଭାରତ ଶେଷ ପର୍ଯ୍ୟନ୍ତ ନିଜ ଆକ୍ରମଣ ଜାରି ରଖିଥିଲା। ୮୮ତମ ମିନିଟ୍‌ରେ ଛେତ୍ରୀ ଓ ଚା‌ଙ୍ଗଟେଙ୍କ ବଦଳ ଖେଳାଳି ଭାବେ ଶୁଭାଶିଷ ବୋଷ ଓ ନନ୍ଦକୁମାର ଶେକର ପଡ଼ିଆରେ ପ୍ରବେଶ କରିଥିଲେ। ଦୁଇଟି ଯାକ ଗୋଲ୍‌ରେ ଅବଦାନ ରଖିଥିବା ଚାଙ୍ଗଟେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସନ୍ଦେଶ ଝିଙ୍ଗାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।

Comments are closed.