ୱାସିଂଟନ: ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ପଞ୍ଚମ ସପ୍ତାହରେ ପ୍ରବେଶ କରିଛି। ଇତିମଧ୍ୟରେ ଇରାନକୁ ଶେଷ ତଥା ନିର୍ଣ୍ଣାୟକ ଜବାବ୍ ଦେବାକୁ ପେଣ୍ଟାଗନ୍ ବଡ଼ଧରଣର ପ୍ରସ୍ତୁତି କରୁଛି। ଇରାନରେ ସ୍ଥଳଭାଗ ଅପରେସନ କରିବାକୁ ସପ୍ତାହେରୁ ଅଧିକ ସମୟ ହେଲା ଯୋଜନା କରିଆସୁଛି। ଖାର୍ଗ ଦ୍ବୀପ ଓ ହର୍ମୁଜ ପ୍ରଣାଳୀର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ଉ କରିବାକୁ ପ୍ରସ୍ତୁତ ହେଉଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏହାର ସାମରିକ କ୍ଷମତା ବୃଦ୍ଧି କରିବାରେ ଲାଗିଛି। ହଜାର ହଜାର ଆମେରିକା ମେରିନ୍ ଓ ସୈନ୍ୟ ପୂର୍ବରୁ ନିଜ ନିଜର ସ୍ଥାନରେ ଅବସ୍ଥାପିତ ହୋଇସାରିଛନ୍ତି, ଯଦ୍ବାରା କି ଯଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣ ପାଇଁ ଅନୁମତି ଦିଅନ୍ତି ତେବେ ସେମାନେ ତୁରନ୍ତ ଆକ୍ରମଣ କରିପାରିବେ। ତେବେ ଏହା ପୂର୍ଣ୍ଣସ୍ତରର ଆକ୍ରମଣ ନ ହୋଇ ସୁନିଶ୍ଚିତ ଉଚ୍ଚ ପ୍ରଭାବଶାଳୀ ମିଶନ ପରି ହେବ।
ଆମେରିକାର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ବତନ୍ତ୍ର ଅପରେସନ ବାହିନୀ ଓ ପାରମ୍ପରିକ ପଦାତିକ ବାହିନୀ ଦ୍ବାରା ଗୁରୁତ୍ବପୂର୍ଣ୍ଣ ଟାର୍ଗେଟଗୁଡ଼ିକ ଉପରେ ତୁରନ୍ତ ଆକ୍ରମଣ କରି ଇରାନ ଜବାବ ଦେବା ପୂର୍ବରୁ ଫେରିଆସିବାକୁ ଯୋଜନା ରହିଛି। ତେବେ ଏହି ଆକ୍ରମଣ କିଛି ମାସ ମଧ୍ୟରେ ନୁହେଁ, କିଛି ସପ୍ତାହ ଭିତରେ ହୋଇପାରେ ବୋଲି କହିଛନ୍ତି।
ସଠିକ୍ ଆକ୍ରମଣ ଦ୍ବାରା ଇରାନର ସାମରିକ କ୍ଷମତାକୁ ନଷ୍ଟ କରିଦେବାକୁ ୱାସିଂଟନ ଯୋଜନା କରୁଛି। ଆମେରିକାର ସମ୍ଭାବ୍ୟ ଟାର୍ଗେଟ ମଧ୍ୟରେ ଇରାନର କ୍ଷେପଣାସ୍ତ୍ର ନିକ୍ଷେପ ପ୍ରଣାଳୀ, ବାୟୁ ପ୍ରତିରକ୍ଷା ଓ ଜାହାଜ ମାର୍ଗକୁ ବାଧା ଦେଉଥିବା ଉପକୂଳବର୍ତ୍ତୀ ପ୍ରତିଷ୍ଠାନଗୁଡ଼ିକ ରହିଛି। ଆମେରିକାର ଆକ୍ରମଣ ଯୋଜନାରେ ଇରାନର ସବୁଠୁ ଅଧିକ ତୈଳ ରପ୍ତାନିକାରୀ ଦ୍ବୀପ ଖାର୍ଗ ରହିଛି। ଏହି ଦ୍ବୀପକୁ କବ୍ଜାକୁ ନେଇଗଲେ ଇରାନର ଅର୍ଥନୀତିକୁ ବଡ଼ ଶକ୍ତ ଧକ୍କା ହେବ ଓ ତେହେରାନ ବୁଝାମଣା କରିବାକୁ ବାଧ୍ୟ ହେବ ବୋଲି ଆମେରିକା ଅନୁମାନ କରୁଛି। ହର୍ମୁଜ ପ୍ରଣାଳୀ ଉପରେ ଆକ୍ରମଣ ମଧ୍ୟ ଆମେରିକା ଯୋଜନରେ ସାମିଲ ହୋଇଛି, ଯଦ୍ବାରା ପରିବହନ ଓ ସାମରିକ ଜାହାଜ ଚଳାଚଳ ସ୍ବାଭାବିକ ହୋଇପାରିବ। ତେବେ ଏହା ଶେଷ ମୁହୂର୍ତ୍ତର ଯୋଜନା ନୁହେଁ, ବରଂ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଯୁଦ୍ଧ ରଣନୀତି ବୋଲି ଜଣେ ପୂର୍ବତନ ସେନା ଅଧିକାରୀ କହିଛନ୍ତି।
ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଯୁଦ୍ଧ ରଣନୀତି:ଜଣେ ପୂର୍ବତନ ସେନା ଅଧିକାରୀ
ପେଣ୍ଟାଗନ୍ ଏଥିରେ ଚାରିଟି ଦିଗକୁ ଗୁରୁତ୍ବ ଦେଉଛି, ଯେଉଁଥିରେ ଖାର୍ଗ ଦ୍ବୀପ କବ୍ଜାକୁ ନେବା, ହର୍ମୁଜ ପ୍ରଣାଳୀ ନିୟନ୍ତ୍ରଣକୁ ନେବାରେ ସାହାଯ୍ୟ କରୁଥିବା ଲାରାକ ଦ୍ବୀପକୁ ଟାର୍ଗେଟ କରିବା, ଅବୁ ମୁସା ସମେତ ୟୁଏଇ ସହିତ ବିବାଦରେ ଥିବା ଅନ୍ୟ ଦ୍ବୀପ କବ୍ଜାକୁ ନେବା ଓ ଚତୁର୍ଥ ଯୋଜନାରେ ଇରାନରୁ ତୈଳ ପରିବହନ କରୁଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରିବାକୁ ଯୋଜନା ରହିଛି। ଅଧିକ ଆକ୍ରାମକ ଯୋଜନାରେ ଇରାନର ଅଧିକ ଭିତରକୁ ପ୍ରବେଶ କରି ଏହାର ପରମାଣୁ କେନ୍ଦ୍ରରୁ ୟୁରାନିୟମ୍ ହାସଲ କରିବା ପାଇଁ ଯୋଜନା ରହିଛି। ଏଥିରେ ଉଭୟ ସ୍ଥଳ ଓ ବଡ଼ଧରଣ ଏୟାରଷ୍ଟ୍ରାଇକର ଆବଶ୍ୟକତା ପଡ଼ିବ ବୋଲି ଆମେରିକା ଅନୁମାନ କରୁଛି। ହ୍ବାଇଟ୍ ହାଉସ୍ ପ୍ରେସ୍ ସଚିବ କେରୋଲିନ୍ ଲିଭିଟ୍ କହିଛନ୍ତି, କୌଣସି ଚୁକ୍ତି ଚୂଡ଼ାନ୍ତ ହୋଇନପାରିଲେ ଏପରି ବଡ଼ଧରଣର ଆକ୍ରମଣ ଯୋଜନା କାର୍ଯ୍ୟକାରୀ ହେବ। ରାଷ୍ଟ୍ରପତି କିଛି ଭୁଲ କହୁନାହାନ୍ତି, ସେ ଏହି ନର୍କକୁ ସମାପ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି।
ସୌଜନ୍ୟ ସମ୍ବାଦ