Jammu and Kashmir soon regain statehood: ଜମ୍ମୁ-କାଶ୍ମୀର ଖୁବ୍ ଶୀଘ୍ର ଫେରି ପାଇବ ରାଜ୍ୟ ମାନ୍ୟତା; ସଙ୍କେତ ଦେଲେ କେନ୍ଦ୍ର ଆଇନମନ୍ତ୍ରୀ ମେଘୱାଲ
ଜମ୍ମୁ-କାଶ୍ମୀର ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା ଫେରି ପାଇବ ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଲୋକମାନେ ଏ ସମ୍ପର୍କିତ ଖୁବ୍ଶୀଘ୍ର ଖବର ଖୁବ୍ଶୀଘ୍ର ଶୁଣିବେ ବୋଲି ମେଘୱାଲ କହିଥିଲେ।

ଶ୍ରୀନଗର: ଜମ୍ମୁ-କାଶ୍ମୀର ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା ଫେରି ପାଇବ ବୋଲି ସଙ୍କେତ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଲୋକମାନେ ଏ ସମ୍ପର୍କିତ ଖୁବ୍ଶୀଘ୍ର ଖବର ଖୁବ୍ଶୀଘ୍ର ଶୁଣିବେ ବୋଲି ମେଘୱାଲ କହିଥିଲେ। ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରସଙ୍ଗ ଖୁବ୍ ସମ୍ବେଦନଶୀଳ ବିଷୟ। ଶ୍ରୀନଗରରେ ଏସ୍କେଆଇସିସିଠାରେ ଟେଲି-ଲ’ ନେଇ ଅନୁଷ୍ଠିତ କର୍ମଶାଳାରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ସହିତ ଆଲୋଚନାବେଳେ ମେଘୱାଲ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏ ପ୍ରସଙ୍ଗରେ ଆଶ୍ବାସନା ଦେଇଛନ୍ତି। ଜମ୍ମୁ କାଶ୍ମୀର ଲୋକଙ୍କୁ ତାଙ୍କ ଅଧିକାର ମିଳିବ କିନ୍ତୁ ଏଥିପାଇଁ କିଛି ପ୍ରକ୍ରିୟା ରହିଛି।
ଉପଯୁକ୍ତ ସମୟରେ ରାଜ୍ୟର ମାନ୍ୟତା ପୁନଃସ୍ଥାପିତ କରାଯିବ
କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିବା ଓ ଜମ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ – ଜମ୍ମୁ କାଶ୍ମୀର (ବିଧାନସଭା ସହିତ) ଏବଂ ଲଦାଖ (ବିଧାନସଭା ବିନା) ରେ ବିଭକ୍ତ କରିବା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି ଯେ, ଉପଯୁକ୍ତ ସମୟରେ ଜମ୍ମୁ କାଶ୍ମୀରକୁ ରାଜ୍ୟର ମାନ୍ୟତା ପୁନଃସ୍ଥାପିତ କରାଯିବ।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ରାଜ୍ୟ ମାନ୍ୟତା ଫେରାଇବା ପାଇଁ ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ରାଜ୍ୟ ମାନ୍ୟତା ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଆମ ମଧ୍ୟରୁ କେହି ସନ୍ତୁଷ୍ଟ ହେବେ ନାହିଁ। ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ ହେବା ପରେ ପ୍ରଥମ ବିଧାନସଭା ନିର୍ବାଚନ ୨୦୨୪ ରେ ଅନୁଷ୍ଠିତ ହୋଇଥିଲା। ସରକାରର ଦାୟିତ୍ୱ ଗ୍ରହଣ କରିବା ପରେ ଓମାର ପ୍ରଥମ କ୍ୟାବିନେଟ ବୈଠକରେ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପାଇଁ ଏକ ସଂକଳ୍ପ ପାରିତ କରିଥିଲେ। ପରେ ସେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅନ୍ୟ କେନ୍ଦ୍ର ନେତାମାନଙ୍କୁ ସଂକଳ୍ପର କପି ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ଶୀଘ୍ର ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପାଇଁ ଅନୁରୋଧ କରିଥିଲେ।
ସୌଜନ୍ୟ ସମ୍ବାଦ




