ଓଡିଶାଜିଲ୍ଲା

Jatamundia-Subarnapur Bridge Danger ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ସେତୁ ପାଲଟିଛି ମରଣଯନ୍ତା, ଅଧାରେ ଅଟକିଛି ରାସ୍ତା ନିର୍ମାଣ କାର୍ଯ୍ୟ

ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ bridge ପାଲଟିଛି ମରଣଯନ୍ତା, ଅଧାରେ ଅଟକିଛି ରାସ୍ତା ନିର୍ମାଣ କାର୍ଯ୍ୟ ।କାର୍ଯ୍ୟ ଅଧାରେ ଛାଡି ଠିକାଦାର ଚମ୍ପଟ ମାରିଥିବା ଅଭିଯୋଗ।ଶୀଘ୍ର ରାସ୍ତାକାର୍ଯ୍ୟ ସାରିବାକୁ ଦାବିକଲେ ଅଞ୍ଚଳବାସୀ।

ବାଙ୍କୀ(ଅନନ୍ତ ପଟ୍ଟନାୟକ): ବିପର୍ଯ୍ୟସ୍ତ ଅବସ୍ଥାରେ କଟକଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ – ସୁବର୍ଣ୍ଣପୁରମହାନଦୀସେତୁ। ଦୀର୍ଘ ୨ ବର୍ଷ ଧରି ସେତୁଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଯାତାୟତରେ ସମସ୍ୟା ଭୋଗୁଛନ୍ତି ଯାତ୍ରୀ। ବିପଦ ସଂକୁଳ ଅବସ୍ଥାରେ ଏହି ସେତୁଟି ପଡିରହିଥିବା ବେଳେ ଯାତ୍ରୀମାନେ ଏହା ଉପର ଦେଇ ଯାତାୟତ କରିବାକୁ ଭୟ କରୁଛନ୍ତି। ଦୀର୍ଘ ୧ ମାସ ହେଲାଣି ସେତୁ ଉପରେ ହେଉଥିବା ରାସ୍ତା କାର୍ଯ୍ୟକୁ ଅଧାରେ ବନ୍ଦକରି ଠିକାଦାର ଚମ୍ପଟ ମାରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ତୁରନ୍ତ ଏହି ସେତୁର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ସୂଚନାନୁଯାୟୀ ମହାନଦୀ ଉପରେ ନିର୍ମାଣ ହୋଇଥିବା ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁଟି ୨୦୧୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇଥିଲା। ସେତୁର ଲମ୍ବ ପ୍ରାୟ ୨. ୩ କିଲୋମିଟର ରହିଛି। ଏହି ସେତୁ ନିର୍ମାଣ ଫଳରେ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରୁ ଭାୟା ବାଙ୍କୀ ଆଠଗଡ଼, ଢେଙ୍କାନାଳଅନୁଗୁଳ ଓ ସମ୍ବଲପୁରକୁ ଯିବା ଆସିବା କରିବାରେ ବେଶ ସହଜ ହୋଇ ପାରିଛି। ମୁଖ୍ୟତଃ ବାଙ୍କୀ ବ୍ଲକର ୭ଟି ପଞ୍ଚାୟତ ମହାନଦୀର ଅପର ପାର୍ଶ୍ଵରେ ରହୁଥିବାରୁ ଏଠାକାର ପଞ୍ଚାୟତ ବାସିନ୍ଦାଙ୍କ ପକ୍ଷେ ବ୍ଲକ ଓ ତହସିଲ କାର୍ଯ୍ୟାଳୟକୁ ଯିବା ଆସିବା କରିବାରେ ବେଶ ସହାୟକ ହୋଇପାରିଛି।

କୋଟି କୋଟି ଟଙ୍କାର ରାଜସ୍ବହାନି ଅଭିଯୋଗ

ଏହି ସେତୁ ନିର୍ମାଣ ହେବାର ମାତ୍ର ୧୦ ବର୍ଷ ହୋଇଥିବା ବେଳେ ଏହାର ନିମ୍ନ ମାନର କାର୍ଯ୍ୟଯୋଗୁ ସେତୁଟିକୁ ପ୍ରତିବର୍ଷ ପୁନଃନିର୍ମାଣ କରାଯାଉଛି। ଯାହାଫଳରେ କି କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହାରି ଭିତରେ ବାଙ୍କୀ ପୂର୍ତ୍ତ ବିଭାଗ ଏହି ସେତୁ ଉପରେ ପଡ଼ିଥିବା କଂକ୍ରିଟ ଢ଼ଳେଇ ରାସ୍ତାକୁ ଛଡାଇ ନୂତନ ଢ଼ଳେଇ ରାସ୍ତା ନିର୍ମାଣ ଆରମ୍ଭ କରିଛି। ସେତୁର ଗୋଟିଏ ଫାଳ ଢ଼ଳେଇ ରାସ୍ତାକୁ ସମ୍ପୂର୍ଣ୍ଣ ଛଡାଇ ଦେଇଛି। ଅନ୍ୟ ଫାଳରେ ଉଭୟ ପଟର ଗାଡ଼ି ଯିବା ଆସିବା କରିଥାନ୍ତି। ଫଳରେ ଅନେକ ସମୟରେ ଏହି ସେତୁ ଉପରେ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ। କିନ୍ତୁ ଏବେ ପ୍ରାୟ ୧ ମାସ ହେଲାଣି ଏହି ରାସ୍ତାକାର୍ଯ୍ୟ ଅଧାରେ ବନ୍ଦ କରି ଠିକାଦାର ଛୁ ମାରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସେପଟେ ଯାତ୍ରୀଙ୍କୁ ସଚେତନ କରାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ସାଇନ ବୋର୍ଡ ଲଗାଯାଇ ନାହିଁ କି କୌଣସି ରେଡିୟମ ଫିତା ବନ୍ଧାଯାଇନାହିଁ। ଫଳରେ ରାତ୍ରି ସମୟରେ ଡ୍ରାଇଭରମାନେ ଜାଣିନପାରି ଦୁର୍ଘଟଣାର ଶିକାର ହେଉଛନ୍ତି।

ପ୍ରତ୍ୟେକ ଦିନ ଏହି ସେତୁ ଉପରେ ଶହଶହ ସଂଖ୍ୟାରେ ବସ, ଟ୍ରକ ଭଳି ଭାରୀଯାନ ଯିବା ଆସିବା କରୁଥିବା ବେଳେ ଅର୍ଦ୍ଧନିର୍ମିତ କାର୍ଯ୍ୟଯୋଗୁ ଏହି ସେତୁଟି ଏବେ ମରଣ ଯନ୍ତା ପାଲଟିଛି। ଏଣୁ ଏହା ଉପରେ ଏବେ ଯାତାୟାତ କରିବାକୁ ଯାତ୍ରୀମାନେ ଭୟ ପ୍ରକାଶ କରୁଛନ୍ତି। ସେପଟେ ବାଙ୍କୀ ପୂର୍ତ୍ତବିଭାଗର ଯନ୍ତ୍ରୀମାନେ ଅତି ଖାମଖିଆଲି ଢଙ୍ଗରେ କାର୍ଯ୍ୟାଳୟକୁ ଆସୁନାହାନ୍ତି। ତେଣୁ ଏ ସଂକ୍ରାନ୍ତୀୟ  ଅଭିଯୋଗ ନେଇ ଆସୁଥିବା ଲୋକମାନେ ନିରାଶ ହୋଇ ଫେରୁଛନ୍ତି ଅଭିଯୋଗ କରିଛନ୍ତି। ତେଣୁ ଏହି ସେତୁର ସ୍ଥାୟୀତ୍ୱକୁ ଆଶଙ୍କା ଉପୁଜିଥିବା ବେଳେ ତୁରନ୍ତ ଏହି ସେତୁର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button