Breaking News

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ, ଦିବ୍ୟାଙ୍ଗ ହୋଇ ମଧ୍ୟ ଗୋଡ଼ରେ ଲେଖୁଛନ୍ତି ଯଶୋଦା

0

ବୋରିଗୁମ୍ମା: କଥାରେ ଅଛି ମନରେ ଦୃଢ଼ ଇଛାଶକ୍ତି ଥିଲେ ପଙ୍ଗୁ ବି ଭରା ନଈ ପାର ହୋଇଯାଏ। ଏହାକୁ ସତ କରି ଦେଖାଇଛନ୍ତି ନବମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ରୀ ଯଶୋଦା। ଦୁଇ ହାତର ପାପୁଲିରେ କୌଣସି କାମ କରିପାରୁ ନାହାନ୍ତି କି ନିଜେ ନିଜ ଗୋଡ଼ରେ ଠିଆହୋଇ ପାରୁନାହାନ୍ତି। ତଥାପି ମନରେ ରହିଛି ଅନେକ ଆଶା ଭରସା। ଭଲ ପାଠ ପଢିବେ ମଣିଷଟିଏ ହେବ। ଗୋଟିଏ ପାଦରେ ପୃଷ୍ଠା ଓଲଟାନ୍ତି ଅନ୍ୟ ପାଦରେ କଲମ ଧରି ସୁନ୍ଦର ଭାବରେ ଲେଖନ୍ତି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚରାମୂଳା ଗ୍ରାମର ମକର ଦଳେଇ ପରିବାର କହିଲେ ସ୍ତ୍ରୀ ଦୁଇଝିଅ ଗୋଟିଏ ପୁଅ। ବଡ଼ ଝିଅ ଯଶୋଦା ଦଳେଇ ଜନ୍ମରୁ ଦିବ୍ୟାଙ୍ଗ। ପିଲାଟି ବେଳୁ ପାଠ ପଢା ପ୍ରତି ରହିଛି ବେଶ ରୁଚି। ସେଥିଲାଗି ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଦିବ୍ୟାଙ୍ଗ। ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଆଗକୁ ବଢ଼ି ଚାଲିଛନ୍ତି। ନାରୀଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢନ୍ତି ଯଶୋଦା। ସରକାର ପକ୍ଷରୁ ଏକ ଟ୍ରାଇ ସାଇକେଲ ମିଳିଛି ଯଶୋଦାଙ୍କୁ। ସେହି ସାଇକେଲକୁ ସାଙ୍ଗ ମାନେ ଠେଲି ଠେଲି ପ୍ରାୟ ଅଧ କିଲୋମିଟର ବିଦ୍ୟାଳୟକୁ ନେବା ଆଣିବା କରନ୍ତି।

ସେ ହାତରେ ଖାଇ ପାରନ୍ତି ନାହିଁ ଚାମଚ ରେ ଖାଇଥାନ୍ତି ତାଙ୍କ ସମସ୍ତ ଦାୟିତ୍ଵ ମାଆ ନିଳା ଦଳେଇ ତୁଲାଇଥାନ୍ତି। ଯଶୋଦା ଛୋଟ ଥିବା ବେଳେ ନିଜ ଗୋଡ଼ରେ କଲମ ଧରି ଲେଖାଲେଖି ଆରମ୍ଭ କରିଥିଲେ। ଏହାକୁ ଦେଖି ମାଆ ନିଳା ଦଳେଇ ପ୍ରଥମେ ଯଶୋଦାକୁ ନିକଟସ୍ଥ ଅଙ୍ଗନବାଡି ପରେ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ପଠାଇଥିଲେ। ଯଶୋଦା ଭଲ ପାଠ ପଢ଼ୁଥିବା ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସାଙ୍ଗସାଥି ପ୍ରତିଟି କାର୍ୟ୍ୟରେ ସହଯୋଗ କରିଥାନ୍ତି। ବାପା ମକର ଦଳେଇ ମିସ୍ତ୍ରୀ ଭାବେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପେଟଚଳେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ଯୋଗୁଁ ଯଶୋଦାକୁ ଟିଉସନ ପଢେଇବାରେ ସକ୍ଷମ ନୁହଁନ୍ତି ପରିବାର। ଯଶୋଦାଙ୍କୁ ଦିବ୍ୟାଙ୍ଗ ସାର୍ଟିଫିକେଟ ମିଳିବା ପରେ ମାସିକ ୭୦୦ ଟଙ୍କା ଲେଖାଏଁ ସହାୟତା ମିଳୁଛି।ସରକାରୀ ସ୍ତରରେ ସହାୟତା ମିଳିଲେ ଯଶୋଦା ଭଲ ପାଠ ପଢି ଚାକିରି କରି ନିଜେ ସ୍ୱାବଲମ୍ବୀ ହୋଇ ପାରନ୍ତେ।ଯଶୋଦାଙ୍କୁ ମନରେ ଗୋଟିଏ ଆଶା ଭଲ ପାଠ ପଢି ନିଜେ ସ୍ୱାବଲମ୍ବୀ ହୋଇ ବଞ୍ଚିବେ। ଯଦି ସରକାର ସହାୟତା କଲେ ନିଶ୍ଚିତ ଭାବେ ଯଶୋଦା କିଛି କରି ଦେଖାଇବେ ବୋଲି ସ୍କୁଲ ପ୍ରଧାନ ଶିକ୍ଷକ ବାଲାଜୀ ପଣ୍ଡା କହିଛନ୍ତି।

Leave A Reply

Your email address will not be published.