ଦେଶ ବିଦେଶ

Judgement: ଏଜେଏଲ୍‌ ପ୍ଲଟ୍ ମାମଲାରେ ଭୂପେନ୍ଦ୍ର ହୁଡ଼ାଙ୍କ ସମସ୍ୟା ବଢ଼ିଲା

ଚଣ୍ଡୀଗଡ଼: ବହୁଚର୍ଚ୍ଚିତ ଏଜେଏଲ୍‌ (ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍) ପ୍ଲଟ୍ ଆବଣ୍ଟନ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ା ଓ ଅନ୍ୟ ଅଭିଯୁକ୍ତମାନଙ୍କ ସମସ୍ୟା ବଢ଼ିଛି। ପଞ୍ଚକୁଲାର ଏକ ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ମନିଲଣ୍ଡରିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଦେଇଥିବା ନିର୍ଦ୍ଦେଶକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।

ଇଡିର ଫୌଜଦାରୀ ସଂଶୋଧନ ଆବେଦନରେ କେବଳ ତଳ କୋର୍ଟର ୩ ଏପ୍ରିଲ୍ ୨୦୨୬ର ଆଦେଶକୁ ରଦ୍ଦ କରିବା ସହ ତୁରନ୍ତ ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ ପାଇଁ ଦାବି କରାଯାଇଛି। ଏହି ମାମଲା ପଞ୍ଚକୁଲା ସେକ୍ଟର ୬ରେ ଥିବା ପ୍ଲଟ୍ ନମ୍ବର ସି-୧୭ ସହିତ ସମ୍ପୃକ୍ତ। ୨୦୦୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ସମୟରେ ଏଜେଏଲ୍‌କୁ ଏହା ପୁନଃଆବଣ୍ଟନ କରାଯାଇଥିଲା। ଅଭିଯୋଗ ହୋଇଛି ଯେ, ଏହି ମୂଲ୍ୟବାନ୍ ଜମି ୧୯୮୨ ମସିହାରେ ପୁରୁଣା ଦରରେ ବର୍ଗମିଟର ପିଛା ପ୍ରାୟ ୯୧ ଟଙ୍କାରେ ବିକ୍ରି କରାଯାଇଥିଲା। ତଦନ୍ତକାରୀ ସଂସ୍ଥାମାନଙ୍କ ଅନୁଯାୟୀ, ଏହି ନିଷ୍ପତ୍ତି ଯୋଗୁଁ ସରକାରୀ ରାଜକୋଷକୁ କୋଟି କୋଟି ଟଙ୍କାର କ୍ଷତି ହୋଇଥିଲା। ଏହାକୁ ଆଧାର କରି ଇଡି ୨୦୧୬ ମସିହାରେ ମନିଲଣ୍ଡରିଂ ନିବାରଣ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା ଓ ୨୦୧୮ ମସିହାରେ ପ୍ରାୟ ୬୪ କୋଟି ମୂଲ୍ୟର ସମ୍ପତ୍ତି ଜବତ କରିଥିଲା।

୨୫ ଫେବ୍ରୁଆରି, ୨୦୨୬ରେ ଏହି ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ମୂଳ ଆପରାଧିକ ମାମଲାରେ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ଦେଇଥିଲେ। ପରବର୍ତ୍ତୀ ସମୟରେ ପଞ୍ଚକୁଲାର ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ଇଡି କାର୍ଯ୍ୟାନୁଷ୍ଠାନକୁ ଖାରଜ କରିଦେଇ କହିଥିଲେ ଯେ ମୂଳ ଅପରାଧର ସମାଧାନ ହୋଇଗଲେ ମନିଲଣ୍ଡରିଂ ମାମଲା ଚାଲିପାରିବ ନାହିଁ। ତଥାପି ଯଦି ସୁପ୍ରିମ୍‌କୋର୍ଟ ଭବିଷ୍ୟତରେ ମୂଳ ମାମଲାକୁ ପୁଣି ଚାଲୁ କରନ୍ତି ଇଡି ପୁଣି ଥରେ ମାମଲାରେ କାର୍ଯ୍ୟ ଆରମ୍ଭ କରିପାରିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଇଡି ଏବେ ହାଇକୋର୍ଟରେ ଯୁକ୍ତି ରଖିଛି ଯେ ପିଏମ୍ଏଲ୍ଏ କୋର୍ଟ ଆଇନର ଭୁଲ ବ୍ୟାଖ୍ୟା କରିଛନ୍ତି। ଏଜେନ୍ସି ଅନୁଯାୟୀ, ମନିଲଣ୍ଡରିଂ ଏକ ସ୍ୱାଧୀନ ଅପରାଧ ଓ ବିଜୟ ମଦନଲାଲ ଚୌଧୁରୀ ମାମଲାରେ ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଅ‌ାପରାଧିକ ସମ୍ପତ୍ତିର ତଦନ୍ତ କେବଳ ମୂଳ ଏଫ୍ଆଇଆର୍ ଉପରେ ନିର୍ଭର କରେ ନାହିଁ।

ଇଡି ଏହା ମଧ୍ୟ କହିଛି ଯେ, ସିବିଆଇ ପୂର୍ବରୁ ହାଇକୋର୍ଟଙ୍କ ଫେବ୍ରୁଆରି ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିସାରିଛି, ଯେଉଁଥିରେ ନୋଟିସ୍ ଜାରି କରାଯାଇଛି। ଏପରି ପରିସ୍ଥିତିରେ, କାର୍ଯ୍ୟ ସ୍ଥଗିତ ଥିବା ସମୟରେ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଚେଷ୍ଟା କରିବା ତଦନ୍ତକୁ ଅପୂରଣୀୟ କ୍ଷତି ପହଞ୍ଚାଇପାରେ। ସୋମବାର ହାଇକୋର୍ଟ ବିଚାରପତି ତ୍ରିଭୁବନ ଦହିଆ ଆବେଦନର ଶୁଣାଣି କରି ଭୂପିନ୍ଦର ସିଂହ ହୁଡା ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରି ୮ ଜୁଲାଇ ସୁଦ୍ଧା ସେମାନଙ୍କ ଜବାବ ମାଗିଛନ୍ତି।

ସୌଜନ୍ୟ ସମ୍ବାଦ

Show More
Back to top button