ଓଡିଶାଜିଲ୍ଲା

Kanpur Project: ଧସିଗଲା କାନପୁର ପ୍ରକଳ୍ପର ମାଟିବନ୍ଧ: ପରୀକ୍ଷା ପାଇଁ ମାଟି ନମୁନା ଗଲା ବୁର୍ଲା

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବାସୁଦେବପୁରଠାରେ ନିର୍ମାଣ ହୋଇଥିବା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର ମାଟିବନ୍ଧ ଧସିଯାଇଛି। ବୈତରଣୀ ନଦୀରେ ହୋଇଥିବା ଏହି ନଦୀବନ୍ଧ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରକଳ୍ପର ମୁଖ୍ୟ ମାଟିବନ୍ଧର ଦୁଇଟି ସ୍ଥାନରେ ମାଟି ଧସିଯାଇଥିବା ଦେଖିବାକୁ ମିଳିଛି।

ଯୋଡ଼ା: କେନ୍ଦୁଝରଜିଲ୍ଲା ଯୋଡ଼ା ବ୍ଲକ୍ ବାସୁଦେବପୁରଠାରେ ନିର୍ମାଣ ହୋଇଥିବା କାନପୁର ବୃହତ୍ ଜଳସେଚନ ପ୍ରକଳ୍ପର ମାଟିବନ୍ଧ ଧସିଯାଇଛି। ବୈତରଣୀ ନଦୀରେ ହୋଇଥିବା ଏହି ନଦୀବନ୍ଧ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରକଳ୍ପର ମୁଖ୍ୟ ମାଟିବନ୍ଧର ଦୁଇଟି ସ୍ଥାନରେ ମାଟି ଧସିଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ମାଟି ନମୁନା ପରୀକ୍ଷା ପାଇଁ ବୁର୍ଲାସ୍ଥିତ କେନ୍ଦ୍ରୀୟ ପରୀକ୍ଷାଗାରକୁ ପଠାଯାଇଛି।

କାନପୁର ଜଳସେଚନ ପ୍ରକଳ୍ପ ପାଇଁ ନିର୍ମିତ ବନ୍ଧର ଲମ୍ବ ୩୪୬୦ ମିଟର ଓ ଉଚ୍ଚତା ୩୯.୫୦ ମିଟର। ଏହାକୁ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବନ୍ଧ ବୋଲି କୁହାଯାଉଛି। ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ତିନିବର୍ଷ ଧରି ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ ପ୍ରକଳ୍ପ ଉଦ୍‌ଘାଟନରେ ବିଳମ୍ବ ହେଉଛି। ଏବେ ପ୍ରକଳ୍ପର ମାଟିବନ୍ଧ ଦୁଇଟି ସ୍ଥାନରେ ଦବିଯାଇ ମାଟି ଧସିଯାଇଛି। ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଗ୍ରାମବାସୀ ଜଗନ୍ନାଥ ତିରିଆ, ଭୀମସେନ ବାରିକ, ବୀରବର ମହାନ୍ତ, ପଙ୍କଜ ମହାନ୍ତ, ରମାକାନ୍ତ ମହାନ୍ତଙ୍କ ଅଭିଯୋଗ ଅନୁସାରେ, ନିମ୍ନମାନର କାର୍ଯ୍ୟ କରାଯାଇ ତରବରିଆ ଭାବେ ଜଳଭଣ୍ଡାରରେ ଜଳ ଗଚ୍ଛିତ ରଖାଯାଇଥିଲା। ଯେଉଁଥି ପାଇଁ ଏପରି ଅବସ୍ଥା ହୋଇଛି। ବନ୍ଧ ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା କଳାପଥର ପରିବର୍ତ୍ତେ ନିମ୍ନମାନର ପଥର ବ୍ୟବହାର କରିଛି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସତ୍ତ୍ୱେ ଠିକାସଂସ୍ଥା ପକ୍ଷରୁ ଅଣଦେଖା କରାଯାଇଥିଲା। ବନ୍ଧ ମାଟି ଦବିବାର ଏହା ଅନ୍ୟତମ କାରଣ ବୋଲି ଅଭିଯୋଗ ହୋଇଛି।

ଏ ସମ୍ପର୍କରେ କାନପୁର ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହେନ୍ଦ୍ର ବେହେରା କହିଛନ୍ତି, ମାଟିବନ୍ଧ ଦବିବା ଦୃଷ୍ଟିକୁ ଆସିବା ପରେ ଡ୍ୟାମ୍‌ ବିଶେଷଜ୍ଞ ଧନେଶ୍ୱର ସାହାଙ୍କ ‌ନେତୃତ୍ବରେ ଏକ ବିଶେଷଜ୍ଞ ଦଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ କାରଣ ପାଇଁ ଏପରି ହେଲା, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ଦବି ଯାଇଥିବା ସ୍ଥାନରୁ ମାଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ବୁର୍ଲା ପଠାଯାଇଛି। ରିପୋର୍ଟ ଆସିବା ପରେ ଏହାର କାରଣ ଜଣାପଡ଼ିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button