Breaking News

ସ୍କୁଲକଲେଜ ସ୍ତରରେ ଜବାନଙ୍କ ବିଜୟଗାଥା ପହଞ୍ଚାଇବାକୁ ଆୟୋଜନ ହେବ ପ୍ରତିଯୋଗିତା

କାର୍ଗିଲ ବିଜୟ ଦିବସରେ ଶହୀଦଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ: ମିଳିତ ନାଗରିକ କମିଟି ଓ ଜିଲା ବରିଷ୍ଠ ନାଗରିକ ସଂଘ , କନ୍ଧମାଳ ପକ୍ଷରୁ କାର୍ଗିଲ ବିଜୟ ଦିବସ ବନାନୀ କଳାସଙ୍ଗମରେ ଅନୁଷ୍ଠିତ ହୋଇଯାଇଛି। ବୀର ଶହୀଦ ସୈନିକମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପପ୍ରଜ୍ଜଳନ ପୂର୍ବକ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କାର୍ଗିଲ ବିଜୟ ଦିବସ ଅବସରରେ ଦେଶକୁ ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ସମସ୍ତ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରର୍ଥନା କରାଯାଇଥିଲା। କାର୍ଗିଲ ଵିଜୟର ରୌପ୍ୟ ଜୟନ୍ତୀ ବର୍ଷରେ ଜିଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଜବାନଙ୍କ ବିଜୟଗାଥା ପହଞ୍ଚାଇବାକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବାକୁ ବନାନୀ କଳାସଂଗମର ସଂଯୋଜକ ତଥା ପ୍ରେସ କ୍ଳବ ସଭାପତି ସୁନିଲ ପଟ୍ଟନାୟକ ଘୋଷଣା କରିଥିଲେ।

ମିଳିତ ନାଗରିକ କମିଟିର ଆବାହକ ଅଶୋକ ପରିଡାଙ୍କ ସଂଯୋଜନାରେ ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା, ଅବସରପ୍ରାପ୍ତ ସେନା ଅଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ, ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଗିଲ ଯୁଦ୍ଧ ଓ ବିଜୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସୂଚନାଯୋଗ୍ୟ ଯେ ୧୯୯୯ ମେ ୩ତାରିଖରେ ପାକିସ୍ତାନ ରାଷ୍ଟ୍ରପତି ପରଭେଜ ମୁଷାରଫ ଭାରତ ସହ ବିଶ୍ୱାସ ଘାତକତା କରି କାର୍ଗିଲରେ ଯୁଦ୍ଧ ଆରମ୍ଭ କରିଥିଲେ। କାର୍ଗିଲ ଯୁଦ୍ଧ ୨ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଏହି ଯୁଦ୍ଧରେ ୫୨୭ଜଣ ଭାରତୀୟ ଯବାନ ଦେଶପାଇଁ ପ୍ରାଣବଳୀ ଦେଇଥିଲେ। ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରୀରେ କାର୍ଗିଲ ଯୁଦ୍ଧକରି ଦୁଇ ମାସ ପରେ ଜୁଲାଇ ୨୬ତାରିଖରେ ଭାରତୀୟ ସୈନ୍ୟ ପାକିସ୍ତାନ ସୈନ୍ୟଙ୍କ ଉପରେ ବିଜୟ ଲାଭ କରିଥିଲେ। ତେଣୁ ଭାରତୀୟ ଯବାନଙ୍କ ବଳିଦାନ, ତ୍ୟାଗ ଓ ବିଜୟ ଗାଥାକୁ ମନେ ପକାଇ ଜୁଲାଇ ୨୬ତାରିଖରେ ବନାନୀ କଳାସଙ୍ଗମଠାରେ ମିଳିତ ନାଗରିକ କମିଟି ଓ ଜିଲା ବରିଷ୍ଠ ନାଗରିକ କମିଟି ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ କରାଯାଇଛି। ଶହୀଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଞାପନ କରାଯାଇଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଦୃଢ ପଦକ୍ଷେପକୁ ପ୍ରଶଂସା କରାଯାଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ସାହୁ,ବଂଶୀଧର ପଣ୍ଡା, ନବ କିଶୋର ରଥ,ରାଜ କିଶୋର ପାଢ଼ୀ ପ୍ରମୁଖ ଶହୀଦ ଯବାନଙ୍କ ପ୍ରାଣବଳୀକୁ ସମ୍ମାନ ଜଣାଇ ବିଜୟ ପାଇଁ ଶ୍ରେୟ ଦେଇଥିଲେ। ବିଜୟ ଦିବସରେ ଜୟସେନ ପରିଡା,ମନୋଜ ଚୌଧୁରୀ, ପ୍ରଶନ୍ନ ପଣ୍ଡା ,ବିକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Comments are closed.