ଦେଶ ବିଦେଶ

Karnataka BJP MLA: କର୍ଣ୍ଣାଟକର ବିଜେପି ବିଧାୟକ ଗିରଫ:୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଗଡଗ ଜିଲ୍ଲାର ଚିଞ୍ଚାଲିର କ୍ଲାସ-୧ ଠିକାଦାର ବିଜୟ ପୂଜାରଙ୍କ ଅଭିଯୋଗ ଆଧାରରେ, ବିଜେପି ବିଧାୟକ ଚନ୍ଦ୍ରୁ ଲାମାନି ଓ ତାଙ୍କର ଦୁଇ ସହାୟକ ମଞ୍ଜୁନାଥ ବାଲ୍ମିକି ଏବଂ ଗୁରୁନାୟକଙ୍କୁ ଗିରଫ କରାଯାଇଛି।

ବେଙ୍ଗାଲୁରୁ: ଏକ ବଡ଼ ଦୁର୍ନୀତି ବିରୋଧୀ ଅଭିଯାନରେ, କର୍ଣ୍ଣାଟକ ଲୋକାୟୁକ୍ତ ପୁଲିସ ଜାଲ ବିଛାଇ ଜଣେ ବିଜେପି ବିଧାୟକଙ୍କୁ ଏକ ଜଳସେଚନ ପ୍ରକଳ୍ପ ସହିତ ଜଡିତ ଲାଞ୍ଚ ମାମଲା ଅଭିଯୋଗରେ ଗିରଫ କରିଛି।ଗଡଗ ଜିଲ୍ଲାର ଚିଞ୍ଚାଲିର କ୍ଲାସ-୧ ଠିକାଦାର ବିଜୟ ପୂଜାରଙ୍କ ଅଭିଯୋଗ ଆଧାରରେ, ବିଜେପି ବିଧାୟକ ଚନ୍ଦ୍ରୁ ଲାମାନି ଓ ତାଙ୍କର ଦୁଇ ସହାୟକ ମଞ୍ଜୁନାଥ ବାଲ୍ମିକି ଏବଂ ଗୁରୁନାୟକଙ୍କୁ ଗିରଫ କରାଯାଇଛି।

ଲାମାନି ଶିରାହଟ୍ଟି ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ।କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ରାସ୍ତାର ଉଭୟ ପାର୍ଶ୍ୱରେ ରିଟେନିଙ୍ଗ୍ ୱାଲ୍ ନିର୍ମାଣ କାର୍ଯ୍ୟର କ୍ଲିୟରାନ୍ସ ପାଇଁ ଠିକାଦାରଙ୍କଠାରୁ ୧୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗ ହୋଇଛି। ବିଧାୟକ ଓ ଅନ୍ୟ ଦୁଇ ଅଭିଯୁକ୍ତ ୫ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି। ଲୋକାୟୁକ୍ତ ଅଧିକାରୀମାନେ ତିନି ଜଣଙ୍କୁ ନିଜ ହେପାଜତକୁ ନେଇଛନ୍ତି। ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

ବିଜେପି ନେତାମାନେ ଏବେ କ”ଣ କହିବେ?

ଏହି ଘଟଣା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ବିଜେପିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି,ଲମାନିଙ୍କୁ ଲୋକାୟୁକ୍ତ ଧରିଛନ୍ତି। ବିଜେପି ନେତାମାନେ ଏବେ କ”ଣ କହିବେ? ସେମାନଙ୍କୁ ଜବାବ ଦେବାକୁ ପଡିବ। ଅନ୍ୟମାନଙ୍କ ବିରୋଧରେ ଦୁର୍ନୀତି ଓ ଲାଞ୍ଚ ଅଭିଯୋଗ ଆଣିବା ସହଜ। କିନ୍ତୁ ଏବେ ନିଜେ ଜଣେ ବିଜେପି ବିଧାୟକ ଧରାପଡ଼ିଛନ୍ତି। ଲୋକାୟୁକ୍ତଙ୍କୁ ତଦନ୍ତ କରିବାକୁ ଦିଅନ୍ତୁ। ଆମେ କୌଣସି ପ୍ରକାରେ ତଦନ୍ତରେ ବାଧା ଦେବୁ ନାହିଁ। ଲୋକାୟୁକ୍ତ ଯାହା ତଦନ୍ତ କରୁଛନ୍ତି ତାହା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେପି ନେତାମାନେ ବହୁତ ସଚ୍ଚୋଟ। ସେମାନେ ଏହି ଦେଶରେ ଦୁର୍ନୀତିମୁକ୍ତ। ଲୋକାୟୁକ୍ତ କିଛି ଭୁଲ ସୂଚନା ପାଇଥାଇପାରନ୍ତି ବୋଧେ।

ରାଜ୍ୟ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ର କହିଛନ୍ତି, ତଥ୍ୟ ଯାଞ୍ଚ୍ କରିବା ପରେ ସେ ପ୍ରତିକ୍ରିୟା ଦେବେ। କଂଗ୍ରେସ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ କରି, ବିଜେପି ମୁଖପାତ୍ର ଅଶୋକ ଗୌଡା କହିଛନ୍ତି, ଠିକାଦାରମାନେ କଂଗ୍ରେସ ଶାସନରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ କରୁଥିବା ବେଳେ, ସରକାର ଯୋଜନାବଦ୍ଧ ଭାବ‌େ ବିରୋଧୀ ଦଳର ଲୋକଙ୍କୁ ଗିରଫ କରୁଛନ୍ତି।ଗିରଫଦାରୀକୁ ନେଇ ଲାମାନିଙ୍କ ସମର୍ଥକମାନେ ଗଡଗରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଏହା ପଛରେ ଏକ ରାଜନୈତିକ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରି ସେମାନେ ରାଜ୍ୟର ଶାସକ କଂଗ୍ରେସ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button