ବିଶେଷ

Keep the brain young: ଅପରକୁ ସାହାଯ୍ୟ କରନ୍ତୁ ମସ୍ତିଷ୍କକୁ ଯୁବସୁଲଭ ରଖନ୍ତୁ

ଭିନ୍ନ ଭିନ୍ନ ସ୍ତରରେ ମନୁଷ୍ୟ ଶରୀର ଜରାଗ୍ରସ୍ତ ହୋଇଥାଏ। କେତେକଙ୍କ କ୍ଷେତ୍ରରେ ମନୁଷ୍ୟ ଜିଉଁଥିବା ବର୍ଷ ଅନୁସାରେ ଶରୀର ଜରାଗ୍ରସ୍ତ ହୁଏ; ଆଉ କେତେକଙ୍କ କ୍ଷେତ୍ରରେ ଶାରୀରିକ ବୟସ ସହିତ ଜରାର ବିଶେଷ ସମ୍ପର୍କ ନ ଥାଏ।

ଭିନ୍ନ ଭିନ୍ନ ସ୍ତରରେ ମନୁଷ୍ୟ ଶରୀର ଜରାଗ୍ରସ୍ତ ହୋଇଥାଏ। କେତେକଙ୍କ କ୍ଷେତ୍ରରେ ମନୁଷ୍ୟ ଜିଉଁଥିବା ବର୍ଷ ଅନୁସାରେ ଶରୀର ଜରାଗ୍ରସ୍ତ ହୁଏ; ଆଉ କେତେକଙ୍କ କ୍ଷେତ୍ରରେ ଶାରୀରିକ ବୟସ ସହିତ ଜରାର ବିଶେଷ ସମ୍ପର୍କ ନ ଥାଏ। ସେମିତି, ମସ୍ତିଷ୍କ କେତେ ଶୀଘ୍ର ଜରାଗ୍ରସ୍ତ ହୁଏ, ସମ୍ପ୍ରତି ତାହା ଉପରେ ଗବେଷଣା କରାଯାଇଥିଲା। ସେଥିରୁ ଜଣାପଡ଼ିଛି ଯେ ଜଣେ ଅନ୍ୟଜଣଙ୍କୁ କରୁଥିବା ସାହାଯ୍ୟ ଉପରେ ମସ୍ତିଷ୍କର ବୟସ ନିର୍ଭର କରୁଛି।

ଯୁକ୍ତରାଷ୍ଟ୍ର ଆମେରିକାର ଅଷ୍ଟିନ୍‌ସ୍ଥିତ ଟେକ୍‌ସାସ୍‌ ବିଶ୍ବବିଦ୍ୟାଳୟ ଏବଂ ବୋଷ୍ଟନ୍‌ସ୍ଥିତ ମାସାଚ୍ୟୁସେଟ୍‌ସ ବିଶ୍ବବିଦ୍ୟାଳୟ‌ର ଦଳେ ଗବେଷକଙ୍କ ମତରେ, ନିୟମିତ ସ୍ବେଚ୍ଛାରେ ଅପରକୁ ସାହାଯ୍ୟ କଲେ ମସ୍ତିଷ୍କର ବୟସ ଶାରୀରିକ ବୟସ ଠାରୁ ପ୍ରାୟ ୧୫ରୁ ୨୦ ପ୍ରତିଶତ କମ୍‌ ଜରାଗ୍ରସ୍ତ ହୁଏ। ୫୦ ବର୍ଷରୁ ଅଧିକ ବୟସ୍କ ୩୧,୩୦୩ ଜଣ ଲୋକଙ୍କଠାରୁ ପ୍ରାୟ ଦୁଇ ଦଶନ୍ଧି ଧରି ଆନୀତ ଟେଲିଫୋନ୍‌ ସର୍ବେକ୍ଷଣ ଡେଟା ବିଶ୍ଳେଷଣରୁ ଏକଥା ଜଣାପଡ଼ିଛି। ଏତାଦୃଶ ମସ୍ତିଷ୍କ ବୟସ ପରୀକ୍ଷଣ ସେମାନଙ୍କ ସାହାଯ୍ୟକାରୀ ମନୋବୃତ୍ତି ଉପରେ ଆଧାରିତ। ସେମାନେ କୌଣସି ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ସାହାଯ୍ୟ ଅଥବା ସାଙ୍ଗସାଥୀ, ଆତ୍ମୀୟ ବା ଆବଶ୍ୟକ ବେଳେ ପଡ଼ାପଡ଼ିଶାଙ୍କୁ ସାହାଯ୍ୟ କରୁଥିଲେ।

ଅଷ୍ଟିନ୍‌ ବିଶ୍ବବିଦ୍ୟାଳୟର ଅନ୍ୟତମ ସାମାଜିକବିଜ୍ଞାନୀ ସାଏ ହ୍ବାଙ୍ଗ୍‌ ହାନ୍‌ କହିଛନ୍ତି, ‘‘ଅପରକୁ ସାହାଯ୍ୟ କଲେ ମସ୍ତିଷ୍କରେ ଘଟୁଥିବା ଉନ୍ନତି କ୍ଷଣସ୍ଥାୟୀ ନୁହେଁ। ଏଭଳି ପରୋପକାର ଅବ୍ୟାହତ ରଖିବା ଦ୍ବାରା ସମୟକ୍ରମେ ଉନ୍ନତିକାରୀ ଉପାଦାନ ସଞ୍ଚିତ ହୋଇ ମସ୍ତିଷ୍କକୁ ବିଶେଷ ସକ୍ରିୟ ରଖେ। ଔପଚାରିକ ସ୍ବେଚ୍ଛାସେବୀ ରୂପେ ହେଉ କି, ଅନୌପଚାରିକ ଭାବେ କାହାକୁ ସାହାଯ୍ୟ କରିବା ହେଉ- ଉଭୟରୁ ସମାନ ଉପକାର ମିଳେ। ତା’ ସହିତ କ୍ରମାଗତ ଦୁଇରୁ ଚାରିଘଣ୍ଟା ଧରି କୌଣସି ସାଧାରଣ ସହାୟତା କାର୍ଯ୍ୟ କଲେ ମଧ୍ୟ ମସ୍ତିଷ୍କକୁ ବିଶେଷ ଉପକାର ମି‌ଳିଥାଏ।’’ କିନ୍ତୁ, ଗବେଷଣାରେ ସହାୟତାର ପ୍ରତ୍ୟକ୍ଷ ସୁଫଳ ବିଷୟରେ କୌଣସିଠାରେ ଉଲ୍ଲେଖ ନାହିଁ। ତଥାପି ସହାୟତା ବିଶେଷ ଗୁରୁତ୍ବବହନ କରେ। ସମ୍ଭବତଃ ଅପରକୁ ସାହାଯ୍ୟ-ସହାନୁଭୁତି ଦେବା ଦ୍ବାରା ଘଟୁଥିବା ମାନସିକ ସକ୍ରିୟତା ଏବଂ ସାମାଜିକ ଭାବ ବିନିମୟ ମଧ୍ୟରେ ଏହି ସୁଫଳ ନିହିତ ଥାଏ। ଏହା ପୂର୍ବରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ନିଃସଙ୍ଗତା ମସ୍ତିଷ୍କ ନିମନ୍ତେ ହାନିକାରକ ଏବଂ ଶାରୀରିକ କ୍ରିୟାକଳାପ ମସ୍ତିଷ୍କକୁ ତେଜିୟାନ୍‌ ରଖେ।

ଗବେଷକମାନେ କହିଛନ୍ତି ଯେ ସାହାଯ୍ୟ ମନୋଭାବରୁ ବିରତ ହେଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଦ୍ରୁତ ବେଗରେ ନିଷ୍କ୍ରିୟ ହୋଇଆସେ। ତେଣୁ, ବ‌େୟାଜ୍ୟେଷ୍ଠମାନେ ସର୍ବଦା ସମ୍ପ୍ରଦାୟ ଓ ସମାଜ ନିମନ୍ତେ କିଛି କାର୍ଯ୍ୟ କରିବା ଉଚିତ। ହାନ୍‌ କହିଛନ୍ତି, ‘‘ଅନୌପଚାରିକ ଭାବେ କରାଯାଉଥିବା ସହାୟତା ପ୍ରତି ସାମାଜିକ ସ୍ବୀକୃତି ନ ଥିବାରୁ ତାହା ମସ୍ତିଷ୍କ ଉନ୍ନତ କରିବାରେ ବିଶେଷ କାର୍ଯ୍ୟ କରେ ନାହିଁ ବୋଲି ପ୍ରତୀୟମାନ ହେଉଥାଇପାରେ। କିନ୍ତୁ, ଏହା ଅସତ୍ୟ। ଏହା ଔପଚାରିକ ସହାୟତା ପ୍ରଦାନରୁ ପ୍ରାପ୍ତ ସୁଫଳଠାରୁ କୌଣସି ଗୁଣରେ ଊଣା ନୁହେଁ।’’ ଗବେଷକମାନଙ୍କ କଥାରୁ ଜଣାପଡୁଛି କି, କିଛି ନ ହେଲେ ସପ୍ତାହକୁ ଅନ୍ତତଃ ଦୁଇରୁ ଚାରି ଘଣ୍ଟା ଅପରକୁ ସାହାଯ୍ୟ କରିବା ଦ୍ବାରା ମସ୍ତିଷ୍କ ଯୁବସୁଲଭ ଚଳଚଞ୍ଚଳ ରହିବ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button