Breaking News

ଗଣିତ ଜ୍ଞାନ ଆହରଣ ପାଇଁ ସାପ୍ତାହିକ ହାଟ ପରିକଳ୍ପନା

0

ଫୁଲବାଣୀ: କେଳାପଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଗଣିତ ଜ୍ଞାନ ଆହରଣ ପାଇଁ ନିଆରା କାର୍ଯ୍ୟକ୍ରମ ସାପ୍ତାହିକ ହାଟର ପରିକଳ୍ପନା କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସକ୍ରିୟଭାବେ ଅଂଶଗ୍ରହଣ କରି କିଣାବିକା ସାଙ୍ଗକୁ ଓଜନ, ଫେଡ଼ାଣ, ମିଶାଣ, ଗୁଣନ ଆଦି ଗାଣିତିକ ଜ୍ଞାନ ଆହରଣ କରିଥିଲେ।
କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର କେଳାପଡ଼ା ଗ୍ରାମ ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଠାକୁର ବେହେରାଙ୍କ ପ୍ରେରଣାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ଏକ ସାପ୍ତାହିକ ହାଟର ପରିକଳ୍ପନା କରାଯାଇଥିଲା। ଏହି ହାଟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ପସରା ପକାଇ ବ୍ୟବସାୟ କରିଥିଲେ ଏବଂ କିଛି ଛାତ୍ରଛାତ୍ରୀ ଆବଶ୍ୟକ ଜିନିଷପତ୍ର ଓ ପନିପରିବା କିଣିଥିଲେ।
ନୂଆ ବିଷୟବସ୍ତୁ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମନରେ ଭାବପ୍ରବଣା ଓ କୌତୁହଳ ଥିବା ଦେଖିବାକୁ ମିଳିଥିଲା ଏବଂ ଏହି ହାଟର ପରିକଳ୍ପନାରେ ସେମାନେ ବହୁତ ଖୁସିଥିବା ଜଣାପଡ଼ିଥିଲା। ଏଥିରୁ ସେମାନେ ବଟକରା ୫୦ ଗ୍ରାମରୁ ଆରମ୍ଭ କରି କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ସମ୍ପର୍କରେ ଜାଣିପାରିଥିଲେ। ଓଜନ ସମ୍ବନ୍ଧୀୟ ଜ୍ଞାନ, କିଣାବିକା ସମୟରେ ଟଙ୍କା ଓ ମୁଦ୍ରା ଚିହ୍ନିବା ସାଙ୍ଗକୁ ଜିନିଷ କିଣାବିକା ସମୟରେ ମିଶାଣ ଓ ଫେଡ଼ାଣ ଜ୍ଞାନ ଆହରଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ସାବିତ୍ରୀ ବିଶୋଈ, ତନୟା ମହାନ୍ତି, ସ୍ନଗ୍ଧାରାଣୀ ପଟ୍ଟନାୟକ, ମମତା ମହାକୁଡ଼ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। କିଛି ସମୟ ପାଇଁ ଛାତ୍ରଛାତ୍ରୀମାନେ ହାଟ ଗହଳି ଭିତରେ ଖୁସିରେ ସମୟ ବିତାଇବା ସହ ଗଣିତ ଜ୍ଞାନ ଶିଖି ପାରିଥିଲେ। ପ୍ରଧାନଶିକ୍ଷକଙ୍କ ଏହି ନିଆରା ଶିକ୍ଷାଦାନ ଉଦ୍ୟମକୁ ଅଭିଭାବକ ମହଲରେ ବେଶ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.