Breaking News

ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା, ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରା ପାର୍ଟିକୁ ଯାତ୍ରା ପ୍ରଦର୍ଶନ ପାଇଁ ଦିଆଯିବ ଅନୁମତି

0

ଭୁବନେଶ୍ବର: ଜାନୁଆରୀ ୨୮ରୁ ଖଣ୍ଡଗିରି ମେଳା, ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ୨୮ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଖଣ୍ଡଗିରି ମେଳା ପାଇଁ ଅନୁମତି ଦିଆଯାଇଛି। ଗୋଟିଏ ଦିନରେ ସର୍ବାଧିକ ୫ଟି ଯାତ୍ରା ପାର୍ଟିକୁ ଯାତ୍ରା ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ହେବ ଫିକା ପଡ଼ିଥିବା ଖଣ୍ଡଗିରି ମାଘମେଳା ଏଥର ଅନୁଷ୍ଠିତ ହେବ। ପାହାଡ ଉପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥଙ୍କ ବିଶ୍ବଶାନ୍ତି ଯଜ୍ଞରେ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ। ଏହାସହ ପାହାଡ ତଳେ ରାଜ୍ୟର ବିଭିନ୍ନ ଯାତ୍ରା ଅନୁଷ୍ଠାନ ପକ୍ଷରୁ ପରିବେଷଣ ହେବ ଏବର୍ଷର ନୂଆ ନୂଆ ନାଟକ। ଏଥି ସହିତ ଚଳିତ ବର୍ଷ ମଧ୍ୟ ଖଣ୍ଡଗିରି ମାଘମେଳାରେ ଅଢେଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ ଲାଗିବ। ଲୋକମାନେ ଗତ ଦୁଇବର୍ଷ ଧରି ମେଳାକୁ ଉପଭୋଗ କରିପାରିନଥିବା ବେଳେ ଚଳିତ ବର୍ଷ ମନଭରି ଉପଭୋଗ କରିବା ସହ ମନପସନ୍ଦର ସାମଗ୍ରୀମାନ କିଣାକିଣି କରିପାରିବେ।
ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ବହୁଲୋକ ସମାଗମ ହେବାକୁ ଥିବାରୁ ଭୁବନେଶ୍ବର ମାହାନଗର ନିଗମ(ବିଏମସି) ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି କରାଯାଉଛି। ଜାନୁଆରୀ ୨୮ ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ମାଘମେଳା। ଏନେଇ ଆଜି ବିଏମସି ପ୍ରସ୍ତୁତି ବୈଠକ ଡକାଯାଇଥିଲା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପୂଜା କମିଟି, କମିଶନରେଟ ପୁଲିସ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଯାତ୍ରା କମିଟି ସଦସ୍ୟ, ପାନୀୟ ଜଳ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଶୃଙ୍ଖଳିତ ଯାତ୍ରା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିମାନ ନିଆଯାଇଛି।

ଲୋକମାନଙ୍କ ସମାଗମକୁ ନଜରରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏବର୍ଷ ଅଢେଇ ଶହରୁ ଉର୍ଦ୍ଧ୍ବ ଷ୍ଟଲ ପଡିବ। ସବୁ ବ୍ୟବସାୟୀ ଏବଂ ଯାତ୍ରା କମିଟି ବିଏମସି ଏବଂ ପୁଲିସ, ଅଗ୍ନିଶମ ବିଭାଗ ଠାରୁ ଅନୁମତି ନେବେ। ସାନିଟେସନ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲୋକମାନଙ୍କ ପାଇଁ ୪ଟି ମୋବାଇଲ୍‌ ଟଏଲେଟ୍‌ ରହିବ। ଏଥି ସହିତ ମେଳାରେ ପ୍ଳାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ରହିଛି। ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତାୟନ ହେବା ସହ ପ୍ରତିଦିନ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମେଳାରେ ପଡିଥିବା ଷ୍ଟଲ ଗୁଡିକରୁ ଖାଦ୍ୟର ମାନ ଯାଞ୍ଚ କରିବେ। ଚଳିତ ଥର ଅଧିକ ଲୋକ ସମାଗମ ହେବାର ରହିଥିବାରୁ ବିଏମସି ପକ୍ଷରୁ ଅଧିକ ସ୍ବେଚ୍ଛାସେବୀ ନିଯୁକ୍ତି ପାଇଁ କମିଟି ମାନଙ୍କୁ ସୁପାରିଶ କରାଯାଇଛି।

ଯାତ୍ରା ପରିବେଷଣ ପାଇଁ ସ୍ବତନ୍ତ୍ର ଏସଓପି ଜାରି

ଖଣ୍ଡଗିରି ମାଘମେଳାରେ ମୂଖ୍ୟ ଆକର୍ଷଣ ହେଉଛି ଯାତ୍ରା। ରାଜ୍ୟର ପ୍ରାୟ ସବୁ ବଡ଼ ଯାତ୍ରା ଅନୁଷ୍ଠାନ ଏହିଠାରୁ ଚଳିତ ବର୍ଷର ଯାତ୍ରାର ଶୁଭାରମ୍ଭ କରିଥାନ୍ତି। ଲୋକମାନେ ମଧ୍ୟ ଯାତ୍ରାକୁ ବହୁମାତ୍ରାରେ ଉପଭୋଗ କରିବା ସହ ଭଲ ନାଟକକୁ ବାରମ୍ଭାର ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଯାହା ଫଳରେ ଗୋଟିଏ ଗୋଟିଏ ଯାତ୍ରା ପାର୍ଟି ଗୋଟିଏ ନାଟକକୁ ଲଗାତର ୭ ଦିନ ପରିବେଷଣ କରିବାକୁ ନଜିର ରହିଛି। ତେବେ ଚଳିତ ବର୍ଷ ଖଣ୍ଡଗିରି ମାଘମେଳାରେ ଯାତ୍ରା ପରିବେଷଣକୁ ନେଇ ବିଏମସି ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି।

କୌଣସି ବର୍ଗଙ୍କୁ ଆଘାତ ଦେଲା ଭଳି ଯାତ୍ରା ପରିବେଷଣ ଉପରେ ରୋକ୍ ଲାଗାଯିବା ସହ ଯାତ୍ରାରେ କୋୖଣସି ଉତ୍ତେଜକ ଶବ୍ଦ ବ୍ୟବହାର ହେବନାହିଁ। ଲାଉଡ ସ୍ପିକରରେ ଯାତ୍ରା ପ୍ରଚାର ହୋଇପାରିବ ନାହିଁ। ମେଳା ଜାନୁଆରୀ ୨୮ରୁ ଆରମ୍ଭ ହେଉଥିବା ବେଳେ ଯାତ୍ରା ୩୦ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ପର୍ୟ୍ୟନ୍ତ ଚାଲିବ। ଜାଗା କମ ପାଇଁ ଗୋଟିଏ ଦିନରେ ୫ ଟି ଯାତ୍ରାପାର୍ଟିକୁ ପରିବେଷଣ ଅନୁମତି ମିଳିଛି।

ପାର୍କିଂ ପାଇଁ ୩ ଟି ସ୍ଥାନ ଚିହ୍ନଟ

ଖଣ୍ଡଗିରି ମାଘମେଳାରେ ବହୁ ଲୋକସମାଗମ ହେଉଥିବା ବେଳେ ଏହି ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ମେଳାକୁ ଆସୁଥିବା ଲୋକଙ୍କ ଗାଡି ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି।ମେଲଣ ପଡିଆ, ଓସଆରଟିସି ପଡିଆ ଏବଂ ଏସଆଇ ପାର୍କିଂ ରେ ଗାଡି ରହିବ। ଗାଡି ଷ୍ଟାଣ୍ଡର ଫି ନିର୍ଦ୍ଧାରଣ କରି ବୋର୍ଡ ଲଗାଯିବ। ସେହି ଅନୁସାରେ ପାର୍କିଂ ଫି ଦେଇ ମେଳାକୁ ଆସୁଥିବା ଲୋକ ଗାଡି ରଖିବେ। ତେବେ ବହୁ ସମୟରେ ଦେଖାଯାଏ ମେଳାକୁ ଆସୁଥିବା ଲୋକ ରାସ୍ତା କଡରେ ଗାଡି ପାର୍କିଂ କରି ମେଳାକୁ ଆସନ୍ତି। ତେବେ ପୁଲିସ ଏଥର ରାସ୍ତା କଡରେ ପାର୍କିଂ କଲେ ମୋଟା ଅଙ୍କର ଫାଇନ କାଟିବ ବୋଲି କହିଦେଇଛି।

 

Leave A Reply

Your email address will not be published.