kheloindia: ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା: ହକିରେ ଓଡ଼ିଶା ପାଇଁ ଯୁଗଳ ସ୍ବର୍ଣ୍ଣ ଆଶା
ଛତିଶଗଡ଼ର ରାୟପୁର, ଅମ୍ବିକାପୁର ଓ ଜଗଦଲପୁରଠାରେ ଖେଳାଯାଉଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାର ଉଭୟ ପୁରୁଷ ଓ ମହିଳା ହକିର ଫାଇନାଲ୍ରେ ପ୍ରବେଶ କରିଛି ଓଡ଼ିଶା। ରାଜ୍ୟ ପୁରୁଷ ଦଳ ସୋମବାରର ସେମିଫାଇନାଲ୍ରେ ଉତ୍କଣ୍ଠାପୂର୍ଣ୍ଣ ଭାବେ ୨-୧ ଗୋଲ୍ରେ ଆୟୋଜକ ଛତିଶଗଡ଼କୁ ପରାସ୍ତ କରିଛି।

ଭୁବନେଶ୍ବର: ଛତିଶଗଡ଼ର ରାୟପୁର, ଅମ୍ବିକାପୁର ଓ ଜଗଦଲପୁରଠାରେ ଖେଳାଯାଉଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ାର ଉଭୟ ପୁରୁଷ ଓ ମହିଳା ହକିର ଫାଇନାଲ୍ରେ ପ୍ରବେଶ କରିଛି ଓଡ଼ିଶା। ରାଜ୍ୟ ପୁରୁଷ ଦଳ ସୋମବାରର ସେମିଫାଇନାଲ୍ରେ ଉତ୍କଣ୍ଠାପୂର୍ଣ୍ଣ ଭାବେ ୨-୧ ଗୋଲ୍ରେ ଆୟୋଜକ ଛତିଶଗଡ଼କୁ ପରାସ୍ତ କରିଛି। ଅନ୍ୟପକ୍ଷରେ ମହିଳା ଦଳ ଆଉ ଏକ ଆଧିପତ୍ୟଭରା ପ୍ରଦର୍ଶନ ସହ ସେମିଫାଇନାଲ୍ରେ ମଧ୍ୟପ୍ରଦେଶକୁ ୮-୦ରେ ପରାସ୍ତ କରି ଫାଇନାଲ୍ ଟିକେଟ ହାସଲ କରିନେଇଛି। ଓଡ଼ିଶା ପୁରୁଷ ଦଳ ବୁଧବାରର ଫାଇନାଲ୍ରେ ଝାଡ଼ଖଣ୍ଡକୁ ଭେଟିବ। ମହିଳା ଦଳ ମିଜୋରାମ ସହ ମୁହାଁମୁହିଁ ହେବ। ଉଭୟ ଦଳ ଏହି ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛନ୍ତି। ଏଣୁ ଫାଇନାଲ୍ରେ ଏହି ଧାରା ଜାରି ରଖି ଯୁଗଳ ସ୍ବର୍ଣ୍ଣ ବିଜୟୀ ହେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି।
ରାୟପୁରସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍ର ହକି କଂପ୍ଲେକ୍ସରେ ଖେଳାଯାଇଥିବା ପୁରୁଷ ସେମିଫାଇନାଲ୍ର ପ୍ରଥମ ଦୁଇ କ୍ବାର୍ଟର୍ରେ ଓଡ଼ିଶା ୨-୦ରେ ଆଗୁଆ ହୋଇଯାଇଥିଲା। ୫ମ ମିନିଟ୍ରେ ସତୀଶ ମୁଣ୍ଡା ଏବଂ ୨୨ ମିନିଟ୍ରେ ଅଜୟ କୁମାର ଏକ୍କା ଏହି ଦୁଇଟି ଗୋଲ୍ ଦେଇଥିଲେ। ତୃତୀୟ କ୍ବାର୍ଟରର ପ୍ରଥମ ମିନିଟ୍ରେ ସୁମିତ ମିଞ୍ଜ୍ଙ୍କ ମାଧ୍ୟମରେ ଛତିଶଗଡ଼ ସେଥିରୁ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ତା’ ସହିତ ପରବର୍ତ୍ତୀ ୨୯ ମିନିଟ୍ ଖେଳରେ ଛତିଶଗଡ଼ ଜୋର୍ଦାର ଲଢ଼େଇ କରିଥିଲା। ଓଡ଼ିଶାର ଶକ୍ତିଶାଳୀ ଅଗ୍ରଭାଗକୁ ଗୋଲ୍ ଦେବାର କୌଣସି ସୁଯୋଗ ଦେଇ ନଥିଲା। ଅନୁରୂପ ଭାବେ ଓଡ଼ିଶା ମଧ୍ୟଭାଗ ମଧ୍ୟ ଏହି ଦଳର ସମସ୍ତ ଆକ୍ରମଣ ଓ ପ୍ରତିଆକ୍ରମଣକୁ ସଫଳତାର ସହ ପ୍ରତିହତ କରିଥିଲା। ଫଳରେ ଓଡ଼ିଶା ଶେଷ ପର୍ଯ୍ୟନ୍ତ ସେହି ୨-୧ରେ ଆଗୁଆ ରହିବା ସହ ବିଜୟର ମିଠା ସ୍ବାଦ ଚାଖିବା ସହ ଫାଇନାଲ୍ ଟିକେଟ ହାସଲ କରିବାର ଯୁଗଳ ଲକ୍ଷ୍ୟ ହାସଲ କରିଥିଲା।
ସୌଜନ୍ୟ ସମ୍ବାଦ




