ଓଡିଶା

Life mantra: ଜୀବନ-ମନ୍ତ୍ର: ମା’ ଲକ୍ଷ୍ମୀଙ୍କ ସ୍ବରୂପ

ମାର୍ଗଶିର ମାସ ଗୁରୁବାରରେ ଘରେ ଘରେ ଯେଉଁ ଲକ୍ଷ୍ମୀପୂଜା ହୁଏ, ସେଥିରେ‌ ଦେବୀ ଲକ୍ଷ୍ମୀଙ୍କର କୌଣସି ପ୍ରତିମା ପୂଜିତ ହୋଇ ନଥାନ୍ତି। କାରଣ ତାହା ଧାନ୍ୟଲକ୍ଷ୍ମୀଙ୍କର ପୂଜା। ନୂଆ ମାଣକୁ ଶୁକ୍ଳଧାନରେ ପୂର୍ଣ୍ଣ କରି, ତାହାକୁ ଶୁକ୍ଳଧାନ ଉପରେ ଥାପି, ତା’ ଉପରେ ଶୁକ୍ଳ ଧାନର ମେଣ୍ଟା ରଖି....

ମାର୍ଗଶିର ମାସ ଗୁରୁବାରରେ ଘରେ ଘରେ ଯେଉଁ ଲକ୍ଷ୍ମୀପୂଜା ହୁଏ, ସେଥିରେ‌ ଦେବୀ ଲକ୍ଷ୍ମୀଙ୍କର କୌଣସି ପ୍ରତିମା ପୂଜିତ ହୋଇ ନଥାନ୍ତି। କାରଣ ତାହା ଧାନ୍ୟଲକ୍ଷ୍ମୀଙ୍କର ପୂଜା। ନୂଆ ମାଣକୁ ଶୁକ୍ଳଧାନରେ ପୂର୍ଣ୍ଣ କରି, ତାହାକୁ ଶୁକ୍ଳଧାନ ଉପରେ ଥାପି, ତା’ ଉପରେ ଶୁକ୍ଳ ଧାନର ମେଣ୍ଟା ରଖି, ସେହି ଲକ୍ଷ୍ମୀପୂଜା କରାଯାଏ। କିନ୍ତୁ ଦେବୀ ଲକ୍ଷ୍ମୀଙ୍କର ସ୍ବତନ୍ତ୍ର ରୂପ ଶାସ୍ତ୍ରଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ହୋଇଛି। ତାହାର ଆଧାରରେ, ଶ୍ରୀମନ୍ଦିରର ସିଂହଦ୍ବାର ତୋରଣରେ ଏବଂ ଶ୍ରୀମନ୍ଦିର ପରିସରର ସ୍ବତନ୍ତ୍ର ଲକ୍ଷ୍ମୀମନ୍ଦିରରେ ତାଙ୍କର ପ୍ରତିମା ସଂସ୍ଥାପିତ ହୋଇଛନ୍ତି।

ଦେବୀ ଲକ୍ଷ୍ମୀଙ୍କର ଦିବ୍ୟ ସ୍ବରୂପ ବର୍ଣ୍ଣନା ସମ୍ବଳିତ ଗୋଟିଏ ସୁପ୍ରଚଳିତ  ଶ୍ଳୋକ ହେଉଛି–
‘‘ଲକ୍ଷ୍ମୀଶ୍ଚତୁର୍ଭୁଜା ବିପ୍ରା
ବରାଭୟଧରା ସତୀ।
ତଥୈବାବ୍‌ଜ ଯୁଗଂ ଦିବ୍ୟଂ
ଧାରୟନ୍ତୀ ସ୍ମିତାନନା ାା
ଚତୁର୍ଗଜ କରୋତ୍‌କ୍ଷିପ୍ତ
ସୁବର୍ଣ୍ଣ କଳସା‌ମୃତୈ।
କୃତାଭିଷେକ କମଳା
କମଳାସନସଂସ୍ଥିତା।’’
ଏହାର ଅର୍ଥ–ଦେବୀ ଲକ୍ଷ୍ମୀ ଚତୁର୍ଭୁଜା। ସେ ତାଙ୍କର ଦୁଇ ହସ୍ତରେ ଦୁଇଟି ପଦ୍ମପୁଷ୍ପ ଧାରଣ କରିଥାଆନ୍ତି ଏବଂ ତାଙ୍କର ଅନ୍ୟ ଦୁଇ ହସ୍ତରେ ବର ଓ ଅଭୟ ମୁଦ୍ରା ଶୋଭା ପାଏ। ତାଙ୍କର ମୁଖରେ ସଦାସର୍ବଦା ସ୍ମିତହାସ୍ୟ ଶୋଭା ପାଉଥାଏ। ସେ କମଳା ନାମରେ ମଧ୍ୟ ବିଦିତା ଏବଂ ସେ ସର୍ବଦା କମଳ ଆସନରେ ବିରାଜିତା ରହିଥାଆନ୍ତି। ଚାରିଟି ଗଜ ସୁବର୍ଣ୍ଣ କଳସର ଅମୃତ ଦ୍ବାରା ତାଙ୍କର ଅଭିଷେକ କରୁଥାଆନ୍ତି।
ଶ୍ରୀମନ୍ଦିର ପରିସରର ବାୟୁକୋଣରେ ଅବସ୍ଥିତ ଲକ୍ଷ୍ମୀମନ୍ଦିରରେ ପୂଜିତା ମା’ ଲକ୍ଷ୍ମୀଙ୍କ ବିଗ୍ରହରେ ଏହି ସ୍ବରୂପ ପ୍ରକଟିତ। ତେବେ ଶ୍ରୀମନ୍ଦିର ତୋରଣରେ ମା’ ଲକ୍ଷ୍ମୀଙ୍କର‌ ଯେଉଁ ପ୍ରତିମା ଉତ୍‌କୀର୍ଣ୍ଣ, ସେଥିରେ ପଦ୍ମାସନରେ ଆସୀନା ମା’ ଲକ୍ଷ୍ମୀ ତାଙ୍କ ଊର୍ଦ୍ଧ୍ବ ଦୁଇ ହସ୍ତରେ ଯେଉଁ ଦୁଇଟି ପଦ୍ମ ପୁଷ୍ପ ଧାରଣ କରିଛନ୍ତି, ସେହି ପଦ୍ମପୁଷ୍ପ ଉପରେ, ଦୁଇଟି ଶ୍ବେତ ହସ୍ତୀ ବିରାଜମାନ ରହି ତାଙ୍କର ଅଭିଷେକ କରୁଥିବା ପରିଲକ୍ଷିତ ହୁଏ। ଏହା ମା’ ଲକ୍ଷ୍ମୀଙ୍କର ଅନ୍ୟ ଏକ ଦିବ୍ୟ ରୂପ।
ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button