ବିଶେଷ

Life mantra: ଜୀବନ-ମନ୍ତ୍ର: ଷଟ୍‌ତିଳା କଥା ଦେଇଥିଲେ ପାଇ

ମାଘମାସ କୃଷ୍ଣପକ୍ଷ ଏକାଦଶୀର ନାମ ‘ଷଟ୍‌ତିଳା’ ଏକାଦଶୀ। ଏହି ଏକାଦଶୀ ବ୍ରତକଥାରେ ‘ତିଳ’ ବା ରାଶିକୁ ନେଇ ଛଅଟି ବିଧି ବର୍ଣ୍ଣିତ ହୋଇଛି। ସେହି ଛଅଟି ବିଧି ହେଉଛି- ତିଳଜଳରେ ସ୍ନାନ, ତିଳବଟା ଲେପନ, ତିଳଆହୁତିରେ ହୋମ, ତିଳଜଳ ପାନ, ତିଳଦାନ ଓ ତିଳଭୋଜନ।

ମାଘମାସ କୃଷ୍ଣପକ୍ଷ ଏକାଦଶୀର ନାମ ‘ଷଟ୍‌ତିଳା’ ଏକାଦଶୀ। ଏହି ଏକାଦଶୀ ବ୍ରତକଥାରେ ‘ତିଳ’ ବା ରାଶିକୁ ନେଇ ଛଅଟି ବିଧି ବର୍ଣ୍ଣିତ ହୋଇଛି। ସେହି ଛଅଟି ବିଧି ହେଉଛି- ତିଳଜଳରେ ସ୍ନାନ, ତିଳବଟା ଲେପନ, ତିଳଆହୁତିରେ ହୋମ, ତିଳଜଳ ପାନ, ତିଳଦାନ ଓ ତିଳଭୋଜନ। ସେଥିପାଇଁ ଏହି ଏକାଦଶୀର ନାମ ‘ଷଟ୍‌ତିଳା ଏକାଦଶୀ’। ‘ପଦ୍ମପୁରାଣ’ ଅନୁସାରେ, ଯୁଧିଷ୍ଠିରଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏହି ବ୍ରତକଥା କହିଥିଲେ। ଏହି ବ୍ରତକଥା ଆମକୁ ଯେଉଁ କଥାଟି ସୂଚାଏ, ତାହାହେଉଛି- ‘ଦେଇଥିଲେ ପାଇ।’ ବ୍ରତକଥାଟି ଏହିପରି।

ଅତୀତ କାଳର କଥା। ମର୍ତ୍ତ୍ୟଲୋକରେ ଥିଲେ ଜଣେ ଧର୍ମପରାୟଣା ବ୍ରାହ୍ମଣୀ। ସେ ଥିଲେ ଭଗବାନ ବିଷ୍ଣୁଙ୍କର ଭକ୍ତା। ବ୍ରତପାଳନ ଓ ଦେବପୂଜନରେ ସେ ଦିନ ବିତାଉଥିଲେ। କିନ୍ତୁ କେବେ କୌଣସି ଭିକ୍ଷୁକଙ୍କୁ ଭିକ୍ଷା ବା ବ୍ରାହ୍ମଣଙ୍କୁ ଭୋଜନ ଦେଉ ନ ଥିଲେ। ତାହା ଜାଣି ଭଗବାନ ବିଷ୍ଣୁ ଦିନେ ଏକ କାପାଳିକର ବେଶ ଧାରଣ କରି ତାଙ୍କ ପାଖରେ ଭିକ୍ଷା ନିମନ୍ତେ ପହଞ୍ଚିଲେ। ସେହି ବ୍ରାହ୍ମଣୀଙ୍କୁ ଭିକ୍ଷା ମାଗିଲେ। କିନ୍ତୁ ବ୍ରାହ୍ମଣୀ ଭିକ୍ଷା ନ ଦେଇ, ସେ କେଉଁଠାରୁ ଆସିଛନ୍ତି ଏବଂ କେଉଁଆଡ଼େ ଯିବେ ବୋଲି ତାଙ୍କୁ ପ୍ରଶ୍ନ କରିବାରେ ଲାଗିଲେ। ମାତ୍ର କାପାଳିକ ବେଶଧାରୀ ବିଷ୍ଣୁ ତାଙ୍କୁ ଆଉ କିଛି ନ କହି, କେବଳ ‘‘ମୋତେ ଭିକ୍ଷା ଦିଅ’’ ବୋଲି କହିଚାଲିଲେ। ସେଥିରେ କ୍ଷୁବ୍‌ଧ ହୋଇ ବ୍ରାହ୍ମଣୀ କିଛି ମାଟି ଆଣି ତାଙ୍କ ଭିକ୍ଷାପାତ୍ରରେ ଢାଳିଦେଲେ ଏବଂ ସେଠାରୁ ଚାଲିଗଲେ।

କିଛିକାଳ ପରେ ବ୍ରାହ୍ମଣୀଙ୍କର ପରଲୋକ ହେଲା। ଜୀବନକାଳରେ ବ୍ରତପାଳନ ଓ ‌ଦେବପୂଜନ ଆଦି କରିଥିବାରୁ ସେ ସ୍ବର୍ଗପୁରକୁ ଗଲେ। କିନ୍ତୁ କାପାଳିକଙ୍କୁ ଭିକ୍ଷାନ୍ନ ପରିବର୍ତ୍ତେ ମାଟି ଦେଇଥିବାରୁ ତାଙ୍କୁ ସୁନ୍ଦର ଘର ମିଳିଲା ସିନା, ସେ ଘରେ ଅନ୍ନ ନ ଥିଲା। ‌ସେଥିରେ ବ୍ରାହ୍ମଣୀ କ୍ଷୁବ୍ଧ ହେବାରୁ, ଭଗବାନ ବିଷ୍ଣୁ ତାଙ୍କୁ କହିଲେ- ହେ ସୁବ୍ରତା! ତୁମେ ମର୍ତ୍ତ୍ୟଲୋକକୁ ଯାଅ। ଦେବପତ୍ନୀ ମାନେ ତୁମର ଦର୍ଶନ ପାଇଁ ସେଠାକୁ ଆସିବେ। ତାଙ୍କ ପରାମର୍ଶରେ ଷଟ୍‌ତିଳା ବ୍ରତ କଲେ ତୁମେ ଉଚିତ ଫଳ ପାଇବ।

ତାହା ହେଲା। ଦେବପତ୍ନୀମା‌ନେ ଦିନେ ଆସି ବ୍ରାହ୍ମଣୀଙ୍କୁ ଦର୍ଶନ କରି ତାଙ୍କୁ ବ୍ରତବିଧି କହିବାରୁ ସେ ସେହି ବ୍ରତ କଲେ। ବିଧି ଅନୁସାରେ ବ୍ରତପାଳନ ସହିତ ଦାନ କରିବାରୁ ତାହାର ସୁଫଳ ମଧ୍ୟ ପାଇଲେ।
ଏହି ଷଟ୍‌ତିଳା ଏକାଦଶୀ ବ୍ରତ ପାପନାଶକ। କିନ୍ତୁ ଏହି ବ୍ରତକଥା ସୂଚାଏ- ଯେ ବିଧି ଅନୁସାରେ ଦାନ କଲେ ମଧ୍ୟ ପାପ ନାଶ ହୋଇଥାଏ। ବିଶେଷକରି ତୃପ୍ତିକର ଅନ୍ନଦାନ କରିଥିଲେ ହିଁ ଅନ୍ନ ମିଳେ ଓ ପୁଣ୍ୟ ହୁଏ। ଅନ୍ନଦାନ ନ କରିଥିଲେ ଅନ୍ନ ମିଳେନାହିଁ।

ସୌଜନ୍ୟ ସମ୍ବାଦ

 

 

 

Show More

Leave a Reply

Your email address will not be published. Required fields are marked *

Back to top button