ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଲଇକେରା ଗାଁରୁ ମଦଭାଟି ଉଚ୍ଛେଦ ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରାଯିବା ସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ମଙ୍ଗଳବାରଠାରୁ ଧାରଣାରେ ବସିଥିଲେ ଶହ ଶହ ଗ୍ରାମବାସୀ। ଗାଁଦିବାରାତ୍ର ଧାରଣା ଜାରି ରହିଲା। ରାତି ୧୨ଟାରେ ବର୍ଷା ସହ ଘନଘନ ବିଜୁଳି ମାରିଥିଲା। କିନ୍ତୁ ତାକୁ ଖାତିର ନକରି ମହିଳାମାନେ କୋଳରେ ଛୁଆକୁ ଧରି ରାସ୍ତାରେ ରାତି କାଟିଲେ। ଶେଷରେ ଲୋକଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛି ପ୍ରଶାସନ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ ଲଇକେରାର ଦେଶୀ ମଦଭାଟିକୁ ଅସ୍ଥାୟୀ ରୂପେ ସିଲ୍ କରିଛି। ଏହା ସହ ଆସନ୍ତା ୨୬ ତାରିଖରେ ସୁନ୍ଦରଗଡ଼ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପୂର୍ଣ୍ଣ ଭିଡିଓଗ୍ରାଫି ମଧ୍ୟରେ ପୁଣି ଥରେ ସ୍ବତନ୍ତ୍ର ଗ୍ରାମସଭା କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଗ୍ରାମସଭାରେ ବହୁମତରେ ଯାହା ପ୍ରସ୍ତାବ ଆସିବ ତାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ବେଳେ କହିଛନ୍ତି। ଏହା ପରେ ଗାଁ ଲୋକେ ଧାରଣା ପ୍ରତ୍ୟାହାର କରିଥିଲେ।
ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତି କାଟିଲେ
ଲଇକେରା ମଦଭାଟି ସିଲ୍, ୨୬ରେ ସ୍ବତନ୍ତ୍ର ଗ୍ରାମସଭା
ଗ୍ରାମବାସୀଙ୍କ ଅଭିଯୋଗ, ହେମଗିର ବ୍ଲକ୍ ଲଇକେରାରେ ଥିବା ଏକ ଶାଖା ମଦଭାଟିରେ ଗୋପାଳପୁର ଦେଶୀ ମଦଭାଟିରୁ ମଦ ଆଣି ବିକ୍ରି କରାଯାଉଥିଲା। ଖଣି ଯୋଗୁଁ ଗୋପାଳପୁର ଗାଁ ବିସ୍ଥାପିତ ହେବାକୁ ଯାଉଥିବାବେଳେ ଏହି ମଦଭାଟି ଲଇକେରାକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରି ଗତବର୍ଷ ଏପ୍ରିଲ ୨୨ରେ ଗ୍ରାମସଭାର ସମ୍ମତି ନେବାକୁ ପଞ୍ଚାୟତକୁ ଚିଠି କରିଥିଲା। ୨୨.୫.୨୦୨୫ରେ ଲଇକେରା ସରପଞ୍ଚ ଦିନେଶ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ଗାଁ ଲୋକେ ଏହାକୁ ବିରୋଧ କରିଥିଲେ। କିନ୍ତୁ ପ୍ରଶାସନ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିବା ଦର୍ଶାଇବାରୁ ଲଇକେରାରେ ମଦରନ୍ଧା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମଦଭାଟିର ନବୀକରଣ ପାଇଁ ୧୨.୨.୨୦୨୬ରେ ଡକାଯାଇଥିବା ଗ୍ରାମସଭାରେ ଗାଁ ଲୋକେ ସର୍ବସମ୍ମତିକ୍ରମେ ମଦଭାଟିକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। କିନ୍ତୁ ପରେ ଗ୍ରାମସଭା ପ୍ରସ୍ତାବକୁ ପ୍ରଶାସନ କାର୍ଯ୍ୟକାରୀ କରୁନଥିବା ଓ ଅବକାରୀ ବିଭାଗ ମଦଭାଟି ସପକ୍ଷରେ କାରସାଦି କରୁଥିବା ଅଭିଯୋଗ କରି ଲୋକେ ଜିଲ୍ଲାପାଳଙ୍କୁ ଭେଟି ଆନ୍ଦୋଳନ ଚେତାବନୀ ଦେଇଥିଲେ। ଏହା ସତ୍ତ୍ବେ କୌଣସି ପଦକ୍ଷେପ ନିଆ ନଯିବାରୁ ଗାଁର ଶହଶହ ଅଧିବାସୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ।
ସୌଜନ୍ୟ ସମ୍ବାଦ