Literature: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ…
ଆମ ନିକଟକୁ ଆସୁଥିବା ନୂଆ ନୂଆ ପୁସ୍ତକଗୁଡ଼ିକର ଚର୍ଚ୍ଚା ଏହି ସ୍ତମ୍ଭରେ କରାଯାଏ। ଆପଣମାନେ ଏହି ସ୍ତମ୍ଭରୁ ବିଭିନ୍ନ ପ୍ରକାର ବହି ବିଷୟରେ ସୂଚନା ପାଇପାରିବେ ଏବଂ ନୂଆ ପୁରୁଣା ଲେଖକଙ୍କ କୃତି ବିଷୟରେ ମଧ୍ୟ ଅବଗତ ହୋଇପାରିବେ।

ହଜିଲା ଗୀତର ସୁର
ଔପନ୍ୟାସିକ: ଗୌରହରି ଦାସ
ପ୍ରକାଶକ: ବ୍ଲାକ୍ ଈଗଲ୍ ବୁକ୍ସ
ଡବ୍ଲିନ୍, ଆମେରିକା
ମୂଲ୍ୟ: ୨୪୦ ଟଙ୍କା, ପୃଷ୍ଠା: ୧୭୫
ଉପନ୍ୟାସଟି ହଲବା, ମାଟିଆ, କୋୟା, ବଣ୍ଡା, କନ୍ଧ ଓ ଭୂମିଆ ପରି ବିଭିନ୍ନ ଆଦିବାସୀ ସଂପ୍ରଦାୟର ସଂସ୍କୃତିକୁ ଉପଜୀବ୍ୟ କରି ଗଢ଼ିଉଠିଛି। ଏଥିରେ ସେମାନଙ୍କର ମୃତ୍ୟୁ ସଂସ୍କାର ସମୟରେ ଗାନ କରାଯାଉଥିବା ‘କଥାନି’ ବା ପାରମ୍ପରିକ ଗୀତର ଗୁରୁତ୍ୱ ବର୍ଣ୍ଣନା କରାଯାଇଛି। ଏହି ଗୀତ ମାଧ୍ୟମରେ ସେମାନେ ଜୀବନର କ୍ଷଣଭଙ୍ଗୁରତା, ମୃତ୍ୟୁ ଚେତନା ଏବଂ ମୃତ ବ୍ୟକ୍ତିର ଜୀବନଗାଥାକୁ ବର୍ଣ୍ଣନା କରନ୍ତି। ଏଭଳି ଜଣେ ଗୀତକୁଡ଼ିଆଣୀ (ଯିଏ ରାତିସାରା ଶବ ପାଖରେ ବସି ଗୀତ ଗାଏ) ଏହି ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର। ଝିଅ ଡାଳିମ୍ବର ମୃତ୍ୟୁ ପରେ ତା’ର ମାଆ ଚମ୍ପା ସବୁଦିନ ସଞ୍ଜ ବୁଡ଼ିବା କ୍ଷଣି ଘର ଅଗଣାରେ ବସି ଗୀତ େବାଲୁଛି। ମନକୁ ମନ କହୁଛି, ସିଏ ଗୀତ ନ ଗାଇଲେ ସମସ୍ତେ ଶୋଇପଡ଼ିବେ। ତା’ ଝିଅର ଡୁମା ରାଗିଯିବ। ଏହି ଉପନ୍ୟାସଟିରେ ମୁଖ୍ୟତଃ ଶୋଷଣ ଓ ସାମାଜିକ ସମସ୍ୟାର ସମ୍ମୁଖୀନ ହୋଇଥିବା ଦୁଇଟି ପରିବାରର ମର୍ମସ୍ପର୍ଶୀ କାହାଣୀ ରହିଛି। ତେବେ ଏ ଶୋଷଣର କଷଣ ଯେପରି ସେମାନଙ୍କର ଦେହସୁହା ହେଇଯାଇଛି। ହେମ କହୁଛି, ‘‘ଯାହାର ସିନା କିଛି ହରେଇବାର ଥାଏ ସେ ଡରେ। ଆମର ଆଉ କ’ଣ ହରେଇବାର ଅଛି? ବାବା ଯାଇଛି, ଭଉଣୀ ଯାଇଛି, ମାଆ କତରାଲଗା, ବାଡ଼ିବଗିଚା ଥାଇ ନଥିଲା ପରି। କୋଉଦିନ ନାଗରାଜ ଆଉ ପାଞ୍ଚହଜାର ଟଙ୍କା ଦେଇଥିବା କହି ସେଗୁଡ଼ା ପୂରା ଦଖଲ କରିନେବ, କିଏ ଜାଣେ?’’ ଉପନ୍ୟାସଟିରେ ସରଳ ଆଦିବାସୀଙ୍କ ଜୀବନ-ଯନ୍ତ୍ରଣା ଓ ଜୀବନ-ଦର୍ଶନକୁ ସାବଲୀଳ ଭାବେ ବାଢ଼ି ଦେଇଛନ୍ତି ଔପନ୍ୟାସିକ।
ମାୟାବିନୀ
ଔପନ୍ୟାସିକା: ଭାନୁମତୀ ସାହୁ
ପ୍ରକାଶକ: ଏଥେନା ବୁକ୍ସ
ଭୁବନେଶ୍ବର
ମୂଲ୍ୟ: ୨୫୦ ଟଙ୍କା, ପୃଷ୍ଠା: ୧୫୯
ଟଙ୍କା ରୋଜଗାରର ନିଶା ଯୁବପିଢ଼ିକୁ କିପରି ବିପଥଗାମୀ କରାଇଛି ଏବଂ ଏଥିପାଇଁ ପରିବାରର ସମ୍ମାନ ସହ ସବୁକିଛି ଚାଲିଯାଇଛି-ଏଭଳି ଏକ ବାସ୍ତବଧର୍ମୀ କାହାଣୀ ରହିଛି ସଂକଳନର ପ୍ରଥମ ତଥା ଶୀର୍ଷକ ଉପନ୍ୟାସିକା ‘ମାୟାବିନୀ’ରେ। ମାୟାବିନୀମାନଙ୍କ ମାୟାରେ ପଡ଼ି ପୁଅ କରିଥିବା ନିଜର ଭୁଲ୍ ପାଇଁ ଯେତେ ଅନୁତପ୍ତ ହେଲେ ବି ବାପାଙ୍କ ମନରେ ଯେଉଁ ଆଘାତ ଲାଗିଛି ସେ ନିଜର ମୃତ୍ୟୁ ଯାଏ ତାହା ଭୁଲି ପାରିନାହାନ୍ତି। ସେ ପୁଲିସ୍ ଅଧିକାରୀକୁ କହିଛନ୍ତି, ‘‘ସାର୍ ମୋ ପୁଅ ମୋତେ ଯେତିକି ଟଙ୍କା ଦେଇଥିଲା ତା ସବୁ ଫେରାଇ ଦେଉଛି ମୋ ଜମିବାଡ଼ି ବିକ୍ରି କରି। ମୁଁ ଧାରୁଆ ହେବିନି ଅଯୋଗ୍ୟ ପୁତ୍ରର। ତାକୁ ଧିକ୍। ତା ଟଙ୍କା ରୋଜଗାର ପନ୍ଥାକୁ ଧିକ୍। ତା ପାଇଁ ମୋ ହୃଦୟରୁ ସବୁ ସ୍ନେହ ମମତା ଲିଭିଯାଇଛି। ତା ଖବର ଆମକୁ ଜଣାଇବେ ନାହିଁ।’’ ସାମାଜିକ ବ୍ୟଭିଚାର କେଉଁ ନା କେଉଁ ବାଟରେ ସମାଜକୁ ଧେସଇ ପଶୁଛି। ବ୍ୟାଧିଗ୍ରସ୍ତ କରାଉଛି ସମାଜକୁ। ‘ଆପଣାପଣର ବିଷାଦ’ ଉପନ୍ୟାସିକାଟି ଏମିତି ଏକ ଭିତ୍ତିଭୂମି ଉପରେ ଗଢ଼ି ଉଠିଛି। ସଂକଳନଟିରେ ରହିଛି ‘ନୂତନ ଆଗନ୍ତୁକ’, ‘ଅବୁଝା ରାସ୍ତା’ ଓ ‘ଶେଷଯାତ୍ରାର ଯାତ୍ରୀଟିଏ’ ଶୀର୍ଷକ ଆଉ ତିନିଟି ମନୋଜ୍ଞ ଉପନ୍ୟାସିକା। କାହାଣୀଗୁଡ଼ିକ ବେଶ୍ ସାବଲୀଳ ଭାବେ ଲେଖିକା ବାଢ଼ିଦେଇଛନ୍ତି।
ଅବ୍ୟକ୍ତ ଇସାରା
କବୟିତ୍ରୀ: ଜୟଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର
ପ୍ରକାଶକ: ନୃସିଂହ ଚରଣ ମହାପାତ୍ର
ବଜ୍ରକବାଟି ରୋଡ୍, କଟକ
ମୂଲ୍ୟ: ୧୨୦ ଟଙ୍କା, ପୃଷ୍ଠା: ୮୮
ମନ ଉଡ଼ିବାକୁ ଚାହେ- ସତରେ ନ ହେଲେ ନାହିଁ, କଳ୍ପନା ରାଇଜରେ। ଏମିତି ଘଟେ- ଯେତେବେଳେ ମନ କାହାପାଇଁ ଆନମନା ହୁଏ। କବୀ କହନ୍ତି, ‘‘ତୁମ ପାଇଁ ରଚିଛି ଗୀତିକବିତା/ ଖୋଜିଛି ଶାମୁକା ଭିତରେ ମୁକ୍ତା/ ପାଇଛି ଜହ୍ନର ଶୀତଳ ସ୍ପର୍ଶ।’’ ମନର ଏ ଚଞ୍ଚଳତାକୁ କବୀ ଚିତ୍ରିତ କରନ୍ତି ଅନ୍ୟ ଏକ କବିତାରେ, ‘‘ଅାମ ମନ ଆମରି ହିଁ ନୁହଁ/ ସେ ସବୁବେଳେ ଚଳଚଞ୍ଚଳ/ ପ୍ରଗଳ୍ଭା ନଦୀଟିଏ ପରି/ ଚପଳା ଝରଣାଟିଏ ପରି/ ବହିଯାଏ ଏକୂଳରୁ ସେକୂଳ।’’ ପ୍ରେମ କେତେବେଳେ ଦେଶପ୍ରେମ, ପ୍ରକୃତି ପ୍ରେମ ଓ ବିଭୁପ୍ରେମକୁ ରୂପାନ୍ତରିତ ହୋଇଛି। ନିଜ ସହ କଥା ହେବା ବେଳେ କବିତାର ନାୟିକା ଜୀବନକୁ ପ୍ରଶ୍ନ କରିଛି, ‘‘ହେ ଜୀବନ! ତୁ ନଦୀ ନା ସମୁଦ୍ର/ ଧନୀ ନା ଦରିଦ୍ର’’। କବୀ ଜୀବନକୁ ଯେପରି ଦେଖିଛନ୍ତି, ସେପରି ଲେଖିଛନ୍ତି। ସଂକଳନଟିରେ ରହିଛି ପଇଁଚାଳିଶଟି କବିତା।
ସୌଜନ୍ୟ ସମ୍ବାଦ




