Literature: ରାଜେନ୍ଦ୍ର ବେହେରାଙ୍କ କଲମରୁ ନିସୃତ ଗଳ୍ପ ‘ମୂଷା’…
ମୋ ଧର୍ମପତ୍ନୀଙ୍କ ନଜରରେ ଆମ ସରକାରୀ ବାସଭବନରେ ଆବହମାନ କାଳରୁ ବେଆଇନ ଭାବେ ଦଳବଦ୍ଧ ହେଇ ବସବାସ କରୁଥିବା ଖଳପ୍ରକୃତି ମୂଷାମାନେ କୌଣସି ପାକିସ୍ତାନୀ ଆତଙ୍କବାଦୀଙ୍କଠାରୁ କମ୍ ନ ଥିଲେ।

ମୂଷା
ରାଜେନ୍ଦ୍ର ବେହେରା
ମୋ ଧର୍ମପତ୍ନୀଙ୍କ ନଜରରେ ଆମ ସରକାରୀ ବାସଭବନରେ ଆବହମାନ କାଳରୁ ବେଆଇନ ଭାବେ ଦଳବଦ୍ଧ ହେଇ ବସବାସ କରୁଥିବା ଖଳପ୍ରକୃତି ମୂଷାମାନେ କୌଣସି ପାକିସ୍ତାନୀ ଆତଙ୍କବାଦୀଙ୍କଠାରୁ କମ୍ ନ ଥିଲେ। କାରଣ ଉଭୟଙ୍କର ମାନସିକତାରେ ବିଶେଷ କିଛି ଫରକ ନ ଥିଲା। ଧନଜୀବନ ନଷ୍ଟ କରି ଅଫୁରନ୍ତ ଆନନ୍ଦରେ ଗଦ୍ଗଦ୍ ହେଉଥିବା ଏଇ ଅହିତକାରୀ ପ୍ରାଣୀମାନଙ୍କ ସମୂଳ ବିନାଶ ପାଇଁ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ଫଳାଫଳ ସନ୍ତୋଷଜନକ ହେଉନାହିଁ ଏକଥା ପ୍ରାୟତଃ ସ୍ପଷ୍ଟ ଥିଲା।
ଏମିତିରେ କଦବା କ୍ବଚିତ୍ ଘରେ ମୂଷାଟିଏ ଧରାହେଲେ ଗଣେଶଙ୍କ ବାହନ ନ୍ୟାୟରେ ଆମେ ତାକୁ ମାରିବାକୁ କୁଣ୍ଠାବୋଧ କରୁ ଏବଂ ପରବର୍ତ୍ତୀ ସମୟରେ ସେଇ ନିର୍ଦ୍ଦିଷ୍ଟ ମୂଷାଟି ପ୍ରତିବଦଳରେ ଅମୁଲ ଡବାଠାରୁ ଆରମ୍ଭ କରି ପଢ଼ାବହି ପର୍ଯ୍ୟନ୍ତ ଦାନ୍ତରେ କର୍ତ୍ତନ କରି ମୂଷାତ୍ତ୍ବକୁ ଜାହିର କରେ। ତଥାପି ଧର୍ମପତ୍ନୀ ମୂଷା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଧୈର୍ଯ୍ୟ ଧରି ରହିପାରନ୍ତି, ଏକଥାର ପ୍ରମାଣ ବି ଅନେକ। କିନ୍ତୁ ସାବିତ୍ରୀ ବ୍ରତ ନିମନ୍ତେ ବାପଘରୁ ଆସିଥିବା ମୂଲ୍ୟବାନ ଶାଢ଼ିଟିକୁ ଯେଉଁଦିନ ମୂଷାଟି ପାଖାପାଖି ଦି’ ଚାଖଣ୍ଡ ଯାଏ ଦାନ୍ତରେ କତୁରିବାର ଅଭଦ୍ରାମି କଲା ସେଇଦିନ ପତ୍ନୀଙ୍କର ରାଗ ପଞ୍ଚମ ହେବା ନିହାତି ସ୍ୱାଭାବିକ ଥିଲା ଏବଂ ମୂଷାଟିର ନିଶଟିଏ ବି ବଙ୍କା ନ କରିପାରିବାର ଗ୍ଳାନିରେ ଯେଉଁ କ୍ରୋଧ ଉଦ୍ରେକ ହେଲା ତାହା ଦିଗହରା ହୋଇ ମୋ ପରି ନିରୀହ ପ୍ରାଣୀମୁହାଁ ହେବା ସହ ମୋର କର୍ତ୍ତବ୍ୟବୋଧ ପ୍ରତି ଆହ୍ବାନଟିଏ ସୃଷ୍ଟି କଲା।
ମୂଷାମାନଙ୍କର ବିନାଶ ପାଇଁ କାହିଁକି ମୋ ତରଫରୁ ବିହିତ ପଦକ୍ଷେପ ନିଆଗଲା ନାହିଁ ତା’ର କୈଫିୟତ ଦେବା ମୋ ପକ୍ଷରେ ଥିଲା ଆଉ ଏକ ଆହ୍ବାନ। ପତ୍ନୀଙ୍କ କ୍ରୋଧ ଉପଶମର ଆଶୁ ପ୍ରତିକାର ହିସାବରେ ତୁରନ୍ତ ବଜାରରୁ ଏକ ମୂଷାଯନ୍ତା କିଣି ସେଇ ନିର୍ଦ୍ଦିଷ୍ଟ ମୂଷାଟିକୁ ଯନ୍ତାବଦ୍ଧ କରିବା ହିଁ ଏକମାତ୍ର ଉପାୟ ବୋଲି ମୋର ହୃଦୟଙ୍ଗମ ହେଲା ଏବଂ ମୁଁ ତାହା ହିଁ କଲି। ଆଶା ମୁତାବକ ତହିଁ ଆରଦିନ ସକାଳେ ଯନ୍ତା ଭିତରେ ମୂଷାଟିଏ ଆବିଷ୍କୃତ ହେଲା ଏବଂ ବାପଘରୁ ଆଣିଥିବା ଶାଢ଼ିଟିର ଦୁରବସ୍ଥା ପାଇଁ ସେଇ ନିର୍ଦ୍ଦିଷ୍ଟ ମୂଷାଟି ସମ୍ପୂର୍ଣ୍ଣ ଦାୟୀ ବୋଲି ଧରି ନିଆହେଲା ଯଦିଓ ଏ ଅଭିଯୋଗର ସେମିତି କିଛି ଠୋସ୍ ପ୍ରମାଣ ନ ଥିଲା। ମୂଷାଟିର ଏ ପ୍ରକାର ଅକ୍ଷମଣୀୟ ଅପରାଧ ପାଇଁ କେଉଁ ଦଣ୍ଡ ଦିଆଯିବା ଉଚିତ ସେ ବିଷୟରେ ତର୍ଜମା ହେଲା।
ଶେଷରେ ଘର ପାଖରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଶାଳବଣରେ ମୂଷାଟିର ବନବାସ ବ୍ୟବସ୍ଥା କରାହେଲା। ମୁଁ ପରିସ୍ଥିତିକୁ ହାଲୁକା କରିବା ପାଇଁ ହସିଦେଇ ଘରଣୀଙ୍କୁ କହିଲି- ହଇହୋ, ମୂଷା ତା’ ସ୍ୱଭାବ ମୁତାବକ ମୂଷାପଣିଆକୁ ଜାହିର କରୁଛି, କିନ୍ତୁ ଏଇ ଦୁନିଆରେ ମଣିଷ ହେଇ ମଣିଷପଣିଆକୁ ଭୁଲିବାର ଉଦାହରଣ ତ ଅନେକ। ମୂଷାଟିର ଶାଢ଼ି କାଟିବା ସହିହୁଏ କିନ୍ତୁ ଗର୍ବ, ଅହଂକାରର ଅଦେଖା ଦାନ୍ତରେ ସମ୍ପର୍କର ଡୋରି କାଟିବା ପରି ଜଘନ୍ୟ ଅପରାଧ ପାଇଁ ମଣିଷକୁ କି ଦଣ୍ଡ ଦିଆଯାଇପାରେ। ଘରଣୀ ଗମ୍ଭୀର ହୋଇ କହିଲେ- ମଣିଷ ହେଇ ମୂଷାର ମାନସିକତା ନେଇ ବଞ୍ଚୁଥିବା ଚରିତ୍ରମାନଙ୍କୁ ଦଣ୍ଡ ନୁହେଁ, ବରଂ ସେମାନଙ୍କଠାରୁ ନିରାପଦ ଦୂରତାରେ ରହିବା ହିଁ ବୁଦ୍ଧିମତ୍ତାର ପରିଚୟ।
ମୋ: ୬୩୭୧୩୪୧୦୬୧
ସୌଜନ୍ୟ ସମ୍ବାଦ




