ବିଶେଷ

Long live life: ଜୀବନ ଜିନ୍ଦାବାଦ୍‌: ବାହା ନ ହୋଇ ବି ମାଆ!

ମାଆ ନାହିଁ ଯାହାର, ସାହା ନାହିଁ ତାହାର। ଏହି ଉକ୍ତିଟିକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ପୁରୀ ଅସ୍ତରଙ୍ଗର ଦୁଇ ମାଆଛେଉଣ୍ଡ ପିଲାଙ୍କ ସାହାରା ବନିଥିବା ବଡ଼ବାପା ଝିଅ ଭଉଣୀ ଶକ୍ତିସ୍ବରୁପା ମହାନ୍ତି। ଶକ୍ତିସ୍ବରୁପାଙ୍କୁ ସେତେବେଳେ ବୟସ ୧୯-୨୦ ଭିତରେ।

ମାଆ ନାହିଁ ଯାହାର, ସାହା ନାହିଁ ତାହାର। ଏହି ଉକ୍ତିଟିକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ପୁରୀ ଅସ୍ତରଙ୍ଗର ଦୁଇ ମାଆଛେଉଣ୍ଡ ପିଲାଙ୍କ ସାହାରା ବନିଥିବା ବଡ଼ବାପା ଝିଅ ଭଉଣୀ ଶକ୍ତିସ୍ବରୁପା ମହାନ୍ତି। ଶକ୍ତିସ୍ବରୁପାଙ୍କୁ ସେତେବେଳେ ବୟସ ୧୯-୨୦ ଭିତରେ। ସ୍ତନ କର୍କଟରେ ଆରପାରିକୁ ଚାଲିଗଲେ ଖୁଡ଼ୀ। ସେ ବେଶି ଦିନ ବଞ୍ଚିବେ ନାହିଁ ବୋଲି ଡାକ୍ତର କହିବା ପରେ ଖୁଡ଼ୀଙ୍କ ପରିବାର ଲୋକ ଧାଇଁଆସିଥିଲେ ତାଙ୍କର ପୁଅଝିଅଙ୍କୁ ସାଥିରେ ନେଇଯିବାକୁ। ହେଲେ ବାପଘର ଲୋକଙ୍କ ଅପେକ୍ଷା ଝିଆରୀଙ୍କ ଉପରେ ଖୁଡ଼ୀଙ୍କର ଥିଲା ଭରସା ଓ ବିଶ୍ବାସ। ମୋ ପିଲା ସେମାନଙ୍କ ବଡ଼ଭଉଣୀ ପାଖରେ ରହିବେ ବୋଲି କହି ବାପଘର ଲୋକଙ୍କୁ ଫେରାଇ ଦେଇଥି‌ଲେ ମୃତ୍ୟୁ ସହ ଲଢୁଥିବା କର୍କଟ ପୀଡ଼ିତା।

ସେଦିନ ମୃତ୍ୟୁଶଯ୍ୟାରେ ଆଖିରୁ ଲୁହଗଡ଼ାଇ ନିଜ ପିଲାଙ୍କ ହାତକୁ ତାଙ୍କ ହାତକୁ ବଢ଼ାଇଦେଲେ ଖୁଡ଼ୀ। କାନ୍ଧରେ ଓହଳିଥାଏ ୪ ବର୍ଷର କୁନିପୁଅ, କୋଳରେ ବସିଥାଏ ୬ ବର୍ଷର ଝିଅ। ଚାହୁଁ ଚାହୁଁ ଖୁଡ଼ୀ ଶେଷ ନିଃଶ୍ବାସ ତ୍ୟାଗକଲେ। ତିନିବର୍ଷ ପୂର୍ବରୁ ନିଜ ମାଆଙ୍କୁ ହରାଇଥିବାରୁ ସେ କଷ୍ଟକୁ ବେଶ୍‌ ଭଲ ଭାବେ ଅନୁଭବ କରିପାରୁଥିଲେ ଶକ୍ତିସ୍ବରୁପା। ମାଆର ମମତା ପାଇଁ ସେ ଯେଉଁଭଳି ବିକଳ ହୋଇଛନ୍ତି, କୁନି ଭାଇଭଉଣୀଙ୍କୁ ସେ କଷ୍ଟ ସହିବାକୁ ଦେବେ ନାହିଁ ବୋଲି ମନ ଦୃଢ଼ କଲେ। ଦୁଇ ପିଲାଙ୍କୁ ନିଜ ଛାତିକୁ ଭିଡ଼ିନେଲେ ଶକ୍ତିସ୍ବରୁପା। ସେବେଠୁ ସେମାନଙ୍କୁ ସେ ମାଆର ଅଭାବ ଅନୁଭବ କରିବାକୁ ଦେଇନାହାନ୍ତି।

ବାହାରେ ଚାକିରି କରିଲେ କାଳେ ଦୁଇ ପିଲା ଅଣଦେଖା ହୋଇଯିବେ, ସେଥିପାଇଁ ନିଜ କ୍ୟାରିୟର୍‌କୁ ବି ପଛରେ ରଖିଲେ ଉଚ୍ଚଶିକ୍ଷିତା ଶକ୍ତିସ୍ବରୂପା। ଯେଉଁ ସ୍କୁଲ୍‌ରେ ସାନଭଉଣୀ ପାଠ ପଢୁଥିଲେ, ସେହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସେ ଶିକ୍ଷୟିତ୍ରୀ ଭାବେ ଚାକିରି କଲେ। ଭଉଣୀକୁ ସାଙ୍ଗରେ ସାଇକେଲ୍‌ରେ ନେଇ ପାଠ ପଢ଼ାଇବାକୁ ଗଲେ। ପରେ ପରେ ଭାଇ ବି ସ୍କୁଲ୍‌ ଗଲା ତାଙ୍କ ସହ। ସାଇକେଲ୍‌ର ଆଗରେ ଜଣକୁ ଓ ପଛରେ ଜଣକୁ ବସାଇ ସ୍କୁଲ୍‌ ଯିବାରେ ଟିକିଏ ବି ସଂକୋଚ କରନ୍ତିନି ସ୍ନେହବତ୍ସଳା ଭଉଣୀ।

ଏଣେ ବିବାହ ବୟସ ହୋଇଯିବାରୁ ଚିନ୍ତିତ ହୋଇଉଠିଲେ ଦୁଇ ପୁଅଝିଅ। ବଡ଼ଭଉଣୀ ବିଭା ହୋଇଗଲେ ତାଙ୍କ ଭବିଷ୍ୟତ ଉପରେ କଳା ବାଦଲ ଢାଙ୍କି ଯିବନି ତ? ସେମାନଙ୍କ କୁନି ମନରେ ଆସୁଥିବା ଏମିତି ଭାବନାକୁ  ବୁଝିପାରୁଥିଲେ ଶକ୍ତିସ୍ବରୁପା। ସେ ଜଣେ ଏମିତି ପୁଅକୁ ନିଜ ଜୀବନସାଥୀ କରିବାକୁ ମନସ୍ଥ କଲେ, ଯିଏକି ତାଙ୍କୁ ଖୁବ୍‌ ଭଲ ଭାବେ ବୁଝିଥିଲେ। ୧୦ ବର୍ଷର ପ୍ରେମ ପରେ ୨୦୨୩ ମସିହାରେ ଦୁଇ ପରିବାରର ସହମତିରେ ତାଙ୍କର ବିବାହ ହେଲା। ସେ ବର୍ଷ ଥାଏ ତାଙ୍କ ସାନଭଉଣୀ ସୋନାକ୍ଷୀଙ୍କ ଦଶମ ପରୀକ୍ଷା। ତେଣୁ ସ୍କୁଲ୍‌ ବଦଳାଇବା ତାଙ୍କ ପକ୍ଷେ ସମ୍ଭବ ନଥିଲା। ହେଲେ ଶାଶୂଘରେ ରହି ସାନଭଉଣୀର ଟିକିନିଖି ଖବର ନେଉଥିଲେ ସେ। ଏପରିକି ଦଶମ ପରୀକ୍ଷାର ଦୁଇ ମାସ ପୂର୍ବରୁ ନିଜ ବାପଘରେ ଯାଇ ରହିଲେ ଭଉଣୀକୁ ପାଠ ପଢ଼ାଇବା ପାଇଁ। ଭଉଣୀ ଦଶମ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା। ପିଲାଟି ଦିନରୁ ଶକ୍ତସ୍ବରୂପା କରିଆସିଥିବା ସମସ୍ତ ପରିଶ୍ରମ ଲାଗି ଯେମିତି ବଡ଼ ଫଳ ମିଳିଗଲା।

ଭଉଣୀକୁ ପାଖକୁ ନେଇଯିବା ପାଇଁ ଆଉ କିଛି ବି ବାଧା ନଥିଲା। ଶେଷରେ ସ୍ବାମୀଙ୍କ ସହିତ ଯାଜପୁରରେ ରହୁଥିବା ଶକ୍ତିସ୍ବରୁପା ଭଉଣୀକୁ ବି ନିଜ ପାଖକୁ ନେଇଗଲେ। ସେ ଏବେ ତାଙ୍କରି ପାଖରେ ରହି ଯୁକ୍ତଦୁଇ ବିଜ୍ଞାନ ପାଠ ପଢୁଛି। ଏଣେ ନବମ ଶ୍ରେଣୀରେ ଥିବା ତାଙ୍କ ଦାଦା ପୁଅ ଭାଇ ନିଜ ଘରେ ରହି ପାଠ ପଢୁଥିଲେ ବି ତା’ ଉପରେ ଦୃଷ୍ଟି ରଖିବାରେ ଅବହେଳା କରନ୍ତିନି ଶକ୍ତିସ୍ବରୁପା। ସେ କହନ୍ତି ତାଙ୍କ ନିଜ ଭାଇ ଚାକିରି କରିବା ପରେ ଆଉ ଏବେ ଆର୍ଥିକ ସମସ୍ୟା ନାହିଁ। ସେ ନିଜେ ଦୁଇ ପିଲାଙ୍କ ସାହାରା ବନିଥିବା ବେଳେ ତାଙ୍କ ଭାଇ ଏଥିପାଇଁ ଆର୍ଥିକ ସହଯୋଗ ଯୋଗାଇ ଦିଅନ୍ତି। ଶକ୍ତିସ୍ବରୁପାଙ୍କ ବାପଘରେ ତାଙ୍କ ବାପା, ଦାଦା, ଜେଜେମାଆଙ୍କ ସହ ଦାଦାଙ୍କ ପୁଅ ରହନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button