ଓଡିଶା

Lopamudra Mohanty: ଶରୀର ଦାନ କରିିବେ ସମାଜସେବୀ ଲୋପାମୁଦ୍ରା ମହାନ୍ତି

ରକ୍ତଦାନ ପରେ ଅଙ୍ଗଦାନକୁ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ। ଏହି କ୍ରମରେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି ଅଙ୍ଗଦାନ ଭଳି ମହାନ କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି।

ଭୁବନେଶ୍ୱର: ରକ୍ତଦାନ ପରେ ଅଙ୍ଗଦାନକୁ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ।  ଏହି କ୍ରମରେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତି ଅଙ୍ଗଦାନ ଭଳି ମହାନ କାର୍ଯ୍ୟରେ ଯୋଡ଼ି ହୋଇଛନ୍ତି। ‘ସାହିତ୍ୟାୟନ’ ଓ ‘ଓଡ଼ିଶା ଜୀବନ ଦାନ ଅଭିଯାନ’ ପକ୍ଷରୁ ହୋଟେଲ ଈରାରେ ଆୟୋଜିତ ତାଙ୍କ ୮୦ତମ ଜନ୍ମ ଦିବସରେ ମୃତ୍ୟ ପରେ ନିଜ ଶରୀରକୁ ଦାନ କରିବାକୁ ସେ ସ୍ୱୀକୃତି ପ୍ରଦାନ କରିଛନ୍ତି।

କାର୍ଯ୍ୟକ୍ରମରେ ଅତିଥି ଭାବେ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଏହି ମହାନ କାର୍ଯ୍ୟ ପାଇଁ ଲୋପାମୁଦ୍ରା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କୁ ଲେଖନୀ ଚାଳନା କରିବା ପାଇଁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ଅନ୍ୟର ଜୀବନ ପାଇଁ ନିଜ ଶରୀର ଦାନ କରିବାର ନିଷ୍ପତ୍ତି ସମସ୍ତଙ୍କୁ ପ୍ରେରଣା ଦେବ ବୋଲି କହିଥିଲେ। ଅନ୍ୟତମ ଅତିଥି ତଥା ପଠାଣି ସାମନ୍ତ ପ୍ଲାନେଟାରିଅମର ପୂର୍ବତନ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଥିଲେ ଯେ ଆମ ଅଙ୍ଗ ମୃତ୍ୟୁ ପରେ ଅନ୍ୟ ଶରୀରରେ ବଞ୍ଚି ରହିଲେ ଜୀବନ ସାର୍ଥକ ହୋଇଥାଏ। ଅନ୍ୟତମ ଅତିଥି ‘ଓଡ଼ିଶା ଜୀବନ ଦାନ ଅଭିଯାନ’ର ଆବାହକ ଦେବେନ୍ଦ୍ର ସୂତାର ଯୋଗଦେଇ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗଦାନ କରିହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ବହୁ ଲୋକ ଅଙ୍ଗଦାନ ପାଇଁ ଆଗେଇ ଆସୁଥିବାର ସୂଚନା ଦେବା ସହିତ ଆହୁରି ପ୍ରୋତ୍ସାହନ ବଢ଼ିଲେ ଦାନକାରୀଙ୍କ ସଂଖ୍ୟା ବଢ଼ିବ ବୋଲି ସେ କହିଥିଲେ।

ଲୋପାମୁଦ୍ରା ମହାନ୍ତି ତାଙ୍କ ସଫଳତା ପଛରେ ତାଙ୍କ ପରିବାରର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଥିଲେ। ପରିବାରର ଲୋକଙ୍କ ସହଯୋଗ ଯୋଗୁଁ ସେ ଏହି ନିଷ୍ପତ୍ତି ନେଲେ ବୋଲିି କହିଥିଲେ। ଏହି ଅବସରରେ ସଙ୍କଳିତ ପୁସ୍ତକ ‘ଲୋପା ଅପା’ ଉନ୍ମୋଚିତ ହୋଇଥିଲା।  ଅନ୍ୟମାନଙ୍କ ମଧ୍ୟମରେ  ଅସୀମ ଅମିତାଭ ଦାସ, ସୂର୍ଯ୍ୟମଣି ତ୍ରିପାଠୀ, ପ୍ରଫେସର ପ୍ରମୋଦ ପରିଡ଼ା, ମିିହିର ସାହୁ, ପ୍ରଦୀପ ସିହ୍ନା, ବିଘ୍ନେଶ୍ୱର ସାହୁ, ବାସନ୍ତୀ ମହାନ୍ତି, କବିତା ବାରିକଙ୍କ ସମେତ ତାଙ୍କ ପରିବାର ସଦସ୍ୟ ପ୍ରଭଞ୍ଜନ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ପ୍ରବୋଧ ମହାନ୍ତି, ପ୍ରଗତି ମହାନ୍ତି,ସୋମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ‘ସାହିତ୍ୟାୟନ’ର ସମ୍ପାଦକ ସଞ୍ଜୟ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button