
ଭୁବନେଶ୍ୱର: ଶ୍ରୀଜଗନ୍ନାଥ କେବଳ ଭାବଗ୍ରାହୀ ନୁହନ୍ତି ସେ ଭାବଦାତା। ମଣିଷ କ୍ଷେତଭର୍ତ୍ତି ଅମଳ କରି ଗୋଦାମ ଭର୍ତ୍ତି କରି ନେଇପାରେ। ମହଣ ମହଣ ସୁନା ରୂପା ଠୁଳ କରିପାରେ ହେଲେ ଭାବର ତୁଳସୀ ଚାରାଟିଏ ନିଜ ମନ ଅଗଣାରେ ପୋତି ପାରେନାହିଁ ଯଦି ପ୍ରଭୁଙ୍କ ପାଖେ ସମର୍ପିତ ନଥାଏ। ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ସେ ଯେମିତି ଭାବର ଚୁମ୍ବକୀୟ ଶକ୍ତିରେ ଭକ୍ତଙ୍କୁ ଆକର୍ଷିତ କରି ପାରନ୍ତି ସେମିତି ଭକ୍ତଙ୍କ ଭାବର ରଜ୍ଜୁରେ ବନ୍ଧା ପଡ଼ିଯାଆନ୍ତି। ସେ ସର୍ବରହସ୍ୟମୟ ଠାକୁର ବୋଲି କହିଛନ୍ତି ମୁଖ୍ୟ ଅତିଥି ମନୋଜ କୁମାର ମହାପାତ୍ର।
ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟା ଭବନର ମିଳିତ ଆନୁକୂଲ୍ୟରେ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ୨୧୨ତମ ଆଲୋଚନାଚକ୍ର ‘ଭାବର ଠାକୁର ଶ୍ରୀଜଗନ୍ନାଥ’ ଶୀର୍ଷକରେ ଅନୁଷ୍ଠିତ ସଭାରେ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ବନଜ ଦେବୀଙ୍କ ଭାବପୂର୍ଣ୍ଣ ଗଦ୍ୟପୁସ୍ତକ ‘ମଣିମା ଶୁଣିମା ହେଉ’ ଓ ଚିତ୍ରଶିଳ୍ପୀ ବଳଦେବ ମହାରଥାଙ୍କ ଚିତ୍ର ଓ ଗଦ୍ୟର ପୁସ୍ତକ ‘ମଧୁରମ୍ ମଧୁରାଧିପତି’ ପୁସ୍ତକ ସଭାରେ ଲୋକାର୍ପିତ ହେବା ଅବସରରେ ମୁଖ୍ୟବକ୍ତା ଅସିତ ମହାନ୍ତି ଦୁଇଟି ପୁସ୍ତକର ସମୀକ୍ଷା କରି କହିଲେ ଯେ ଦୁଇଟି ଯାକ ପୁସ୍ତକ ଭାବ ଉପରେ ଆଧାରିତ ହୋଇଥିବାରୁ ଜ୍ଞାନବର୍ଦ୍ଧକ ହୋଇ ମଧ୍ୟ ହୃଦୟକୁ ଛୁଇଁପାରିଛି। କାରଣ ଭାବ ହିଁ ହୃଦୟ ରସ, ଜୀବନରସ, ଭାବ ହିଁ ଆଲୋକ, ଭାବ ହିଁ ଶକ୍ତି। ତେଣୁ ଦୁଇଟି ପୁସ୍ତକ ଶ୍ରୀଜଗନ୍ନାଥ ସାହିତ୍ୟକୁ ଦୁଇଟି ଅମୂଲ୍ୟ ଉପହାର। ଲେଖିକା ବନଜ ଦେବୀ ତାଙ୍କ ଜୀବନରେ ରଥଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନର ପୁସ୍ତକ ପାଇଁ ଲେଖୁଥିବା ‘ସାଆନ୍ତକୁ ଚିଟାଉ’ ଶୀର୍ଷକରେ ଭାବପୂର୍ଣ୍ଣ ରଚନାକୁ ନେଇ ଯେଉଁ ପୁସ୍ତକ ପ୍ରକାଶ କରିଛନ୍ତି ତାହା ତାଙ୍କୁ ବହୁତ ଆନନ୍ଦ ଦେଇଛି। ତାହା ପ୍ରଭୁଙ୍କୁ ଏକ ଭାବର ମାଳା ଗୁନ୍ଥି ପିନ୍ଧାଇଲାପରି ସନ୍ତୋଷ ଦେଇଛି।
ଏହିପରି ଚିତ୍ରଶିଳ୍ପୀ ବଳଦେବ ମହାରଥା କ୍ରମାଗତ ୨୨ ବର୍ଷ ଧରି ରଥଯାତ୍ରା ଉପଲକ୍ଷେ ରଥାରୁଢ଼ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରକାଶ ପାଉଥିବା ପୁସ୍ତକ ପାଇଁ ଯେଉଁ ପ୍ରଚ୍ଛଦପଟ୍ଟ ଅଙ୍କନ କରି ପ୍ରଚ୍ଛଦ ବିଷୟରେ ବିଶେଷ ଗଦ୍ୟ ରଚନା କରିଥାନ୍ତି ସେହି ଚିତ୍ର ଓ ଗଦ୍ୟର ସମାହାରରେ ପ୍ରକାଶିତ ପୁସ୍ତକ ଲୋକାର୍ପଣ ତାଙ୍କୁ ପ୍ରଭୁଙ୍କ ପାଖେ ସମର୍ପଣ ଭାବର ପୁଲକ ପ୍ରଦାନ କରୁଛି ବୋଲି ଭାବପ୍ରବଣ ହୋଇ ବ୍ୟକ୍ତ କରିଥିଲେ।
ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ର ଶ୍ରୀଜଗନ୍ନାଥ କେବଳ ଭକ୍ତ ଦାସିଆ ବାଉରୀ, ବନ୍ଧୁ ମହାନ୍ତି, ରଘୁ ଅରକ୍ଷିତ, ଭକ୍ତ ସାଲବେଗଙ୍କ ଭାବଡୋରିରେ ବନ୍ଧା ପଡ଼ିନଥାନ୍ତି ସେ ମଧ୍ୟ ଶଙ୍କରାଚର୍ଯ୍ୟ, ନାନକ, କବୀର, ଚୈତନ୍ୟ ଆଦି ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁମାନଙ୍କୁ ଭକ୍ତିର ଡୋରିରେ ଟାଣି ଅଣିଥାନ୍ତି ଯାହା ଫଳରେ ପ୍ରାୟ ବିଶିଷ୍ଟ ଧର୍ମଗୁରୁମାନେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭାବଡୋରିରେ ବନ୍ଧାହୋଇ ମଠ ସ୍ଥାପନ କରି ଶ୍ରୀଜଗନ୍ନାଥଙ୍କର ନିକଟତର ହୋଇଛନ୍ତି। ସଭା ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ ଓ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରାରମ୍ଭରୁ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ଭୁବନେଶ୍ୱରୀ ବେହେରା, ମିନତୀ ମିଶ୍ର, ଭବକୃଷ୍ଣ ମହାନ୍ତି ଓ ଅବିନାଶ ଅନୁପମ। ସଭାରେ ବହୁ ଜଗନ୍ନାଥପ୍ରେମୀ ଯୋଗ ଦେଇଥିଲେ।
ସୌଜନ୍ୟ ସମ୍ବାଦ




