ଖେଳଜାତୀୟ

Luck changed in Kiit: କିଟ୍‌ରେ ବଦଳିଲା ଭାଗ୍ୟ: ଓଡ଼ିଶା ପାଇଲା ପ୍ରତୀକ୍ଷିତ ବିଜୟ, ନାଗାଲାଣ୍ଡ ୨୯୯ ରନ୍‌ରେ ପରାସ୍ତ‌

ଭୁବନେଶ୍ବର: କିଟ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳିଥିବା ନାଗାଲାଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଅନେକ ପ୍ରଥମ ଅର୍ଜନ କରି ଓଡ଼ିଶା ବହୁପ୍ରତୀକ୍ଷିତ ବିଜୟ ହାସଲ କରିଛି। ଢେର୍‌ ସମୟ ପରେ ଘରୋଇ ପରିବେଶରେ ଆଧିପତ୍ୟଭରା ପ୍ରଦର୍ଶନ....

ଭୁବନେଶ୍ବର: କିଟ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳିଥିବା ନାଗାଲାଣ୍ଡ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଅନେକ ପ୍ରଥମ ଅର୍ଜନ କରି ଓଡ଼ିଶା ବହୁପ୍ରତୀକ୍ଷିତ ବିଜୟ ହାସଲ କରିଛି। ଢେର୍‌ ସମୟ ପରେ ଘରୋଇ ପରିବେଶରେ ଆଧିପତ୍ୟଭରା ପ୍ରଦର୍ଶନ କରି ଏବଂ ତିନିଟି ଶତକ ସହ ଏକାଧିକ ସ୍ମରଣୀୟ ବୋଲିଂ ସ୍ପେଲ୍ ପକାଇ ନାଗାଲାଣ୍ଡକୁ ୨୯୯ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରି ଦେଇଛି। ତା’ସହିତ ନିଜ ନିରାଶାଭରା ଅଭିଯାନକୁ ପୁଣି ଥରେ ଜୀବନ୍ତ କରିଛି। ଏଥିରେ ନୂଆ ରୋମାଞ୍ଚ ବି ଭରିଛି।

ବାରବାଟୀରେ ବରୋଦାଠାରୁ ହାରି ଚଳିତ ଋତୁର ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା କାନପୁରରେ ଉତ୍ତରପ୍ରଦେଶ ବିପକ୍ଷରେ ଡ୍ର’ କରିଥିଲା। ପୁଣି କଟକ ଓ ନାଗପୁରରେ ଆନ୍ଧ୍ର ଓ ବିଦର୍ଭଠାରୁ ହାରି ସଙ୍କଟରେ ପଡ଼ିଥିଲା। ଏଣୁ କିଟ୍ ଷ୍ଟାଡିୟମ୍‌ରେ ଖେଳିଥିବା ତୃତୀୟ ଘରୋଇ ମ୍ୟାଚ୍‌ ଓଡ଼ିଶା ପାଇଁ ସମ୍ମାନ ଓ ସାନ୍ତ୍ବନା ସୁଯୋଗ ପ୍ରଦାନ କରିଥିଲା। ଯାହାକୁ ହାତରୁ ଖସିଯିବାକୁ ଦେଇ ନଥିଲା ଶୁଭ୍ରାଂଶୁ ସେନାପତିଙ୍କ ଦଳ। ନାଗାଲାଣ୍ଡକୁ ଫେରିବାର କୌଣସି ସୁଯୋଗ ‌ନଦେଇ ମାତ୍ର ୧୬୫ ରନ୍‌ରେ ଅଲ୍‌ଆଉଟ୍ କରିଦେବା ସହ ବିଜୟର ସ୍ବାଦ ଚାଖିଥିଲା। କିଟ୍ ଷ୍ଟାଡିୟମ୍ ମଧ୍ୟ ଓଡ଼ିଶା ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥିଲା। ଚଳିତ ରଣଜୀ ଋତୁରେ ହେଉଛି ରାଜ୍ୟ ଦଳର ଏହା ପ୍ରଥମ ବିଜୟ। ଶେଷ ଦିନ ଚା’ପାନ ବିରତିର ଠିକ୍ ପୂର୍ବରୁ ନାଗାଲାଣ୍ଡର ଶେଷ ୱିକେଟ୍ ଅକ୍ତିଆର କରି ପୂରା ୬ ପଏଣ୍ଟ୍ ଅର୍ଜନ କରିନେଇଥିଲା ଓଡ଼ିଶା। ଫଳରେ ୫ ମ୍ୟାଚ୍‌ରୁ ମୋଟ ୭ ପଏଣ୍ଟ୍‌ ଅର୍ଜନ କରି ଏଲିଟ୍ ଗ୍ରୁପ୍-ଏ’ ପଏଣ୍ଟ୍ ତାଲିକାର ସପ୍ତମରୁ ଷଷ୍ଠକୁ ଉନ୍ନୀତ ହୋଇଛି। କିଟ୍ ଷ୍ଟାଡିୟମ୍‌ରେ ମଧ୍ୟ ଓଡ଼ିଶା ଷଷ୍ଠ ମ୍ୟାଚ୍‌ ଖେଳି ପ୍ରଥମ ବିଜୟ ପାଇଛି। ଅନ୍ୟପକ୍ଷରେ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ନାଗାଲାଣ୍ଡ ତାଲିକାର ‌ଶେଷ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ନାଗାଲାଣ୍ଡ ୨୯୯ ରନ୍‌ରେ ପରାସ୍ତ‌
 ଗୋବିନ୍ଦ, ସମ୍ବିତଙ୍କ ବୋଲିଂ ଚମକ
ସ୍ବସ୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ନାଗାଲାଣ୍ଡକୁ ୪୬୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ମଙ୍ଗଳବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ୍ ଝାଡ଼ି ବିଜୟ ବାସ୍ନା ବାରିଥିଲା ଓଡ଼ିଶା। ବୁଧବାର ୨୦୨୫-୨୬ ଋତୁର ପ୍ରଥମ ବିଜୟ ମୁଣ୍ଡି ମାରିବାରେ କୌଣସି ତ୍ରୁଟି କରି ନଥିଲା। ୧୪ ରନ୍‌ରେ ପ୍ରଥମ ୱିକେଟ୍ ହରାଇ ସଂଘର୍ଷ କରୁଥିବା ନାଗାଲାଣ୍ଡ ପାଇଁ ଡେଗା ନିଶ୍ଚଲ ଓ ହେମ୍ ଛେତ୍ରୀ ଦ୍ବିତୀୟ ୱିକେଟ୍‌ରେ ୫୮ ରନ୍‌ର ଭାଗୀଦାରି ଗଢ଼ି ଆଶା ଦେଇଥିଲେ। ବିଜୟ ଅପେକ୍ଷା ମ୍ୟାଚ୍ ବଞ୍ଚାଇ ୧ ପଏଣ୍ଟ୍‌ ହାସଲ କରିବା ଲକ୍ଷ୍ୟରେ ଥିବା ନାଗାଲାଣ୍ଡ କିନ୍ତୁ ପରବର୍ତ୍ତୀ ସମୟରେ ୯୩ ରନ୍‌ରେ ୯ ୱିକେଟ୍ ହରାଇ ପରାଜିତ ହୋଇଥିଲା। ପ୍ରଥମ ପାଳିରେ ତିନିଟି ୱିକେଟ୍ ନେଇଥିବା ଓଡ଼ିଶାର ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର ହିଁ ଲଗାତାର ତିନିଟି ଝଟ୍‌କା ଦେଇ ନାଗାଲାଣ୍ଡ ପ୍ରତିରୋଧକୁ ପାଣିଚିଆ କରି ଦେଇଥିଲେ। ବାଦଲ ବିଶ୍ବାଳ ଓ ସେ ମିଶି ପ୍ରତିପକ୍ଷ ମଧ୍ୟକ୍ରମକୁ ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଅଧିନାୟକ ରଙ୍ଗସେନ୍ ଜୋନାଥନଙ୍କ ଛଡ଼ା ଟର୍ଣ୍ଣ ଓ ବାଉନ୍ସ ପ୍ରଦାନ କରୁଥିବା କିଟ୍ ପିଚ୍‌ରେ ଅନ୍ୟ କୌଣସି ନାଗା ବ୍ୟାଟର୍ ବେଶି ସମୟ ରହିପାରି ନଥିଲେ। ବିନୋ ଝିମୋମିଙ୍କୁ ଆଉଟ୍ କରି ଗୋବିନ୍ଦ ପାଞ୍ଚ ୱିକେଟ୍ ସଫଳତା ପାଇବା ସହ ଏହି ମ୍ୟାଚ୍‌କୁ ବ୍ୟକ୍ତିଗତ ଭାବେ ସ୍ମରଣୀୟ କରିଥିଲେ। ସେହିଭଳି ମଙ୍ଗଳବାର ନାଗାଲାଣ୍ଡର ପ୍ରଥମ ୱିକେଟ୍ ଭାବେ ସେଦେଝାଲି ରୁପେରୋଙ୍କୁ ଶିକାର କରିଥିବା ବାଦଲ ବୁଧବାର ଆଉ ଦୁଇ ନାଗା ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ୍ ଫେରାଇ ଦେଇଥିଲେ। ସେହିଭଳି ଏକ ଏକ ସିଧା ଥ୍ରୋରେ ଚେତନ ବିଷ୍ଟଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍ କରି ନିଜ ଉପସ୍ଥିତିକୁ ସାର୍ଥକ କରିଥିଲେ। ସମ୍ବିତ ବରାଳ ଶେଷ ୱିକେଟ୍ ଭାବେ ଦୀପ ବୋରାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିବା ସହ ଓଡ଼ିଶା ଶିବିରରେ ଖୁସିର ଲହରି ଖେଳି ଯାଇଥିଲା। ସୂଚନାଯୋଗ୍ୟ ଯେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ ଘରୋଇ ପରିବେଶରେ ଜାନୁଆରି ୨୨ରୁ ତାମିଲନାଡ଼ୁକୁ ଭେଟିବ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି-୨୭୫ । ନାଗାଲାଣ୍ଡ ପ୍ରଥମ ପାଳି: ୧୬୧। ଓଡ଼ିଶା ଦ୍ବିତୀୟ ପାଳି: ୭୧ ଓଭରରେ ୩୫୦/୫, ଘୋଷଣା। ନାଗାଲାଣ୍ଡ୍‌ ଦ୍ବିତୀୟ ପାଳି (ଲକ୍ଷ୍ୟ ୪୬୫): ୮୩ ଓଭରରେ ୧୬୫ (ଡେଗା ନିଶ୍ଚଲ-୫୨, ହେମ୍ ଛେତ୍ରୀ ୩୭, ରଙ୍ଗସେନ ଜୋନାଥନ ୩୫, ଗୋବିନ୍ଦ ପୋଦ୍ଦାର ୫/୬୯, ବାଦଲ ବିଶ୍ବାଳ ୩/୩୮, ସମ୍ବିତ ବରାଳ-୧/୨୧)।

ଧାରା ଅତୁଟ ରଖିବା ଏକମାତ୍ର ଲକ୍ଷ୍ୟ: ଶୁଭ୍ରାଂଶୁ
ଚଳିତ ଋତୁରେ ଆମେ ଆଶାଜନକ ସଫଳତା ପାଇ ନଥିଲୁ। ଏଣୁ ବିଜୟ ପାଇଁ ବେଶ୍ ଭୋକିଲା ଥିଲୁ। ଘରୋଇ ପରିବେଶରେ ସେହି ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରିଥିବାରୁ ଆତ୍ମସନ୍ତୋଷ ମିଳିଛି। ଆତ୍ମବିଶ୍ବାସ ବି ବଢ଼ିଛି। ଅବଶିଷ୍ଟ ଦୁଇ ମ୍ୟାଚ୍‌ରେ ଆମେ ଏହି ଧାରା ବଜାୟ ରଖି ସମ୍ମାନର ସହ ଋତୁ ଶେଷ କରିବାକୁ ଚାହିବୁ। ଦଳଗତ ଭାବେ ଆଶ୍ବସ୍ତ ହେବା ସହ ବ୍ୟକ୍ତିଗତ ଭାବେ ଖେଳାଳିମାନଙ୍କ ଆତ୍ମବିଶ୍ବାସ ମଧ୍ୟ ବଢ଼ିଛି। ଆଗାମୀ ଦୁଇ ମ୍ୟାଚ୍‌କୁ ଆଉ ମାସାଧିକ କାଳ ଥିବାରୁ କ’ଣ ତ୍ରୁଟି ରହିଲା, ଆଉ କେମିତି ସୁଧାର ଆସିପାରିବ ତାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବାର ସୁଯୋଗ ରହିବ। ଅନୀଲ ପରିଡ଼ା ନିଜ ଦ୍ବିତୀୟ ମ୍ୟାଚ୍‌ରେ ଶତକ ଅର୍ଜନ କରିବା ଅଧିକ ଖୁସି ଦେଇଛି। ସ୍ବସ୍ତିକ ମଧ୍ୟ ଭଲ ପାଳି ଖେଳିଲେ। ମୁଁ ଶତକ ହାସଲ କରିବା‌ ମଧ୍ୟ ଭଲ କଥା। ତେବେ ପ୍ରତ୍ୟାବର୍ତ୍ତନରେ ଲଢ଼ୁଆ ପ୍ରଦର୍ଶନ ପାଇଁ ବିପ୍ଳବ ସାମନ୍ତରାୟଙ୍କୁ ମୁଁ ଧନ୍ୟବାଦ ଦେବି। ଅନିଲ ଓ ତାଙ୍କ ମଧ୍ୟରେ ହୋଇଥିବା ଦ୍ବିଶତକୀୟ ଭାଗୀଦାରି ପରେ ହିଁ ମ୍ୟାଚ୍‌ ଆମ ଆଡ଼କୁ ଏକପ୍ରକାର ଢଳି ଯାଇଥିଲା। ରଣଜୀ ଦଳକୁ ଫେରି ୯୨ ରନ୍‌ର ସାହସୀ ପାଳି ଖେଳିଥିବା ବିପ୍ଳବ ମଧ୍ୟ ନିଜ ପ୍ରଦର୍ଶନ‌ରେ ଖୁସି ଅଛନ୍ତି। ଓପିଟିଏଲ୍‌ରେ ମୁଁ ଭଲ କରିଥିଲି। ‌ମୋ ଉପରେ ଯେବେବି ଚୟନକର୍ତ୍ତା ଆସ୍ଥା ପ୍ରକଟ କରିବେ ସେବେ ନିଜର ଶତପ୍ରଦର୍ଶନ ଦେବାକୁ ଚେଷ୍ଟା କରିବି ବୋଲି ସେ କହିଥିଲେ।

ଅନେକ ସକାରାତ୍ମକ ଶିକ୍ଷା ନେଇଛୁ: ଦେବାଶିଷ
ନାଗାଲାଣ୍ଡ ପ୍ଲେଟ୍ ଗ୍ରୁପ୍‌ରୁ ଆସି ଏଲିଟ୍ ଗ୍ରୁପ୍‌ରେ ଖେଳୁଛି। ଭଲ କଥା ହେଲା ଆମେ ପୂରା ମ୍ୟାଚ୍‌ରେ ଲଢ଼େଇ କରିଛୁ। ଏମିତି ନୁହେଁ ଯେ ଏକବାର ଆତ୍ମସମର୍ପଣ କରିଦେଇଛୁ। ଏଣୁ ଏଠାରୁ ଅନେକ ସକାରାତ୍ମକ ଶିକ୍ଷା ନେଇ ଯାଉଛୁ। ମୁଁ ଭାବୁଛି ପ୍ରଥମ ପାଳିରେ ଓଡ଼ିଶା ୩୪ ରନ୍‌ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ବିପ୍ଳବ ଓ ଅନିଲଙ୍କୁ ୧୭୯ ରନ୍‌ର ଭାଗୀଦାରି କରିବାର ସୁଯୋଗ ଦେବା ଏବଂ ଆମେ ଗୋଟିଏ ଓଭରରେ ତିନିଟି ୱିକେଟ୍ ହରାଇବା ମ୍ୟାଚ୍‌ର  ଟର୍ଣ୍ଣିଂ ପଏଣ୍ଟ୍ ଥିଲା ବୋଲି ନାଗାଲାଣ୍ଡ ପ୍ରଶିକ୍ଷକ ତଥା ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି କହିଥିଲେ। ଏହି ଦଳର ଯୁବ ଅଧିନାୟକ ରଙ୍ଗସେନ୍ ଜୋନାଥନ କହିଥିଲେ, ଆମେ ଏଭଳି ଉଚ୍ଚମାନର ବୋଲିଂ ଖେଳିବାରେ ଅଭ୍ୟସ୍ତ ନୁହଁ। ଓଡ଼ିଶା ଖେଳାଳିମାନେ ଚମତ୍କାର ବୋଲିଂ କରି ଆମକୁ ପ୍ରତି ମୁହୂର୍ତ୍ତରେ ପରୀକ୍ଷାରେ ପକାଇଥିଲେ। ଆମ ଖେଳାଳିମାନେ କିନ୍ତୁ ଏଠାରୁ ଅଭୁଲା ଅଭିଜ୍ଞତା ନେଇ ଫେରୁଛନ୍ତି।

 

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button