ବିଶେଷ

Luxurious Watch: ପୃଥିବୀର ସବୁଠୁ ଦାମୀ ଘଣ୍ଟା…

ଲୋକମାନଙ୍କର ପସନ୍ଦ ଭିନ୍ନ ଭିନ୍ନ। କେହି କେହି ହାତରେ ସବୁଠୁ ଷ୍ଟାଇଲିସ୍‌ ଓ ଦାମିକା ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ କେହି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ ସୁନ୍ଦର ଘଣ୍ଟା ପିନ୍ଧିବାକୁ ପସନ୍ଦ କରନ୍ତି।

କଥାରେ ଅଛି, ସମୟକୁ କେହି ଧରି ରଖିପାରିବେନି। ହେଲେ ସମୟକୁ ‌କେବଳ ଗୋଟିଏ ଜିନିଷ ବହନ କରି ବୁଲେ। ଅର୍ଥାତ୍‌ କେବଳ ଗୋଟିଏ ଜିନିଷ ହିଁ ସମୟକୁ ବାନ୍ଧି ରଖି ପାରିଥାଏ। ଆଉ ସେହି ଦୁରୁହ ଚିଜଟିକୁ ଆମେମାନେ ବାନ୍ଧି ରଖି ସମୟକୁ ଧରିବାକୁ ଚେଷ୍ଟା କରିଥାଉ। କେବେ ସଫଳ ହେଉ ପୁଣି କେବେ ବିଫଳ। ସେଥିପାଇଁ ତ ଆଜିକାଲିର ସୁବିଧା ବାହାନା ହେଉଛି ‘ମୋ ପାଖରେ ସମୟ ନାହିଁ’। ତେବେ ଲୋକମାନଙ୍କର ପସନ୍ଦ ଭିନ୍ନ ଭିନ୍ନ। କେହି କେହି ହାତରେ ସବୁଠୁ ଷ୍ଟାଇଲିସ୍‌ ଓ ଦାମିକା ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବ‌ା ବେଳେ କେହି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ ସୁନ୍ଦର ଘଣ୍ଟା ପିନ୍ଧିବାକୁ ପସନ୍ଦ କରନ୍ତି। ସେ ହାତଘଣ୍ଟା ହେଉ ବା କାନ୍ଥ ଘଣ୍ଟା, ଆଗରୁ କେବଳ ସମୟ ଦେଖିବାକୁ ବ୍ୟବହାର ହେଉଥିବା ଘଣ୍ଟା ଏବେ ଫ୍ୟାସନ୍‌ରେ ପରିଣତ ହୋଇଗଲାଣି। ଏବେ ଅନେକ ଧନୀ ଲୋକ ମଧ୍ୟ ବିଭିନ୍ନ ପ୍ରକାର ଓ ରକମର ଘଣ୍ଟା ବ୍ୟବହାର କଲେଣି। ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଫୁଟବଲ୍‌ କିଙ୍ଗ ମେସିଙ୍କୁ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଘଣ୍ଟାର ଚର୍ଚ୍ଚା ସବୁ ଖବରର ଶିରୋନାମା ପାଲଟିଥିଲା। ସେମିତି ପୃଥିବୀର କିଛି ଦୁର୍ମୂଲ୍ୟ ଘଣ୍ଟା ବିଷୟରେ ଆସନ୍ତୁ ଜାଣିବା…

କିଛି ଦୁର୍ମୂଲ୍ୟ ଘଣ୍ଟା:

ଗ୍ରାଫ୍‌ ଡାଇମଣ୍ଡ ହାଲୁସିନେସନ୍‌:

ଗ୍ରାଫ୍ ଡାଇମଣ୍ଡସ୍ ଦ୍ୱାରା ନିର୍ମିତ ହାଲୁସିନେସନ୍ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଘଣ୍ଟା। ଗ୍ରାଫ୍ ଡାଇମଣ୍ଡ୍‌ସର ଚେୟାରମ୍ୟାନ୍ ଲରେନ୍ସ ଗ୍ରାଫ୍ ନିଜର ଦୂରଦୃଷ୍ଟିକୁ ଆଧାର କରି ଏହାର କଳ୍ପନା କରିଥିଲେ। ପ୍ଲାଟିନମ୍ ବ୍ରେସଲେଟ୍‌ରେ ଭର୍ତ୍ତି ହୋଇଥିବା ବିଭିନ୍ନ ରଙ୍ଗ ଓ ଡିଜାଇନ୍‌ର ୧୧୦ କ୍ୟାରେଟ୍ ହୀରାକୁ ନେଇ ଏହି ଘଣ୍ଟା ତିଆରି ହୋଇଥାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ୨୦୧୪ ମସିହାରେ ଏହା  ବହୁ ସେଲିବ୍ରିଟି ଓ ନାମୀଦାମୀ ସୌଖିନ ଲୋକ ଏହାର ଗ୍ରାହକ ଅଛନ୍ତି। ଏହାର ଚାହିଦା ମଧ୍ୟ କିଛି କମ୍‌ ନୁହେଁ। ଏହାର ଦାମ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୪୫୮ କୋଟି ଟଙ୍କା।

ଗ୍ରାଫ୍‌ ଡାଇମଣ୍ଡ୍‌ସ ଦି ଫ୍ୟାସିନେସନ୍‌:

ଫ୍ୟାସିନେସନ୍‌ ଘଡ଼ି ଦୁନିଆର ସବୁଠୁ ମହଙ୍ଗା ଘଣ୍ଟା ଭିତରେ ଦ୍ବିତୀୟ ସ୍ଥାନରେ ରହିବ। ଏହା ମଧ୍ୟ ବ୍ରିଟିଶ୍‌ ଗହଣା ବ୍ରାଣ୍ଡର ଖ୍ୟାତନାମା ଗ୍ରାଫ୍‌ ଡାଇମଣ୍ଡ୍‌ସ ଦ୍ବାରା ନିର୍ମିତ ସବୁଠୁ ଉତ୍କୃଷ୍ଟ ଘଣ୍ଟା। ୨୦୧୫ ମସିହାରେ ଏ‌ହା ବଜାରକୁ ଆସିଥିଲା। ଏହା ଦେଖିବାକୁ ‌ବ୍ରେସ୍‌ଲେଟ୍‌ ଭଳି ଏବଂ ଏଥିରେ ୧୫୨.୯୬ କ୍ୟାରେଟ୍‌ର ହୀରା ଖଞ୍ଜାଯାଇଥାଏ। ଘଣ୍ଟାଟିକୁ ଆକର୍ଷଣୀୟ କରିବା ପାଇଁ ଏହାର ମଝିରେ ୩୮.୧୩ କ୍ୟାରେଟ୍‌ର ହୀରା ଖଞ୍ଜାହୋଇଥାଏ। ଏହାର ଆକର୍ଷଣୀୟ ଡିଜାଇନ୍‌ ଏଭଳି ହୋଇଥାଏ ଯେ, ସାଧାରଣ ଭାବେ ଦେଖିଲେ ଘଣ୍ଟାଟି ଗୋଟିଏ ହୀରା ମୁଦି ଭଳି ଦିଶିବ। ଏହାର ଦାମ୍‌ ୩୩୩ କୋଟି ଟଙ୍କା।

ପାଟେକ୍‌ ଫିଲିପ୍‌ ଗ୍ରାଣ୍ଡ୍‌ମାଷ୍ଟର୍‌ ଚାଇମ୍‌:

ଏହା ହେଉଛି ବିଶ୍ବର ତୃତୀୟ ସର୍ବାଧିକ ଲୋକପ୍ରିୟ ତଥା ଦାମିକା ଘଣ୍ଟା। ଗ୍ରାଣ୍ଡ୍‌ମାଷ୍ଟର୍‌ଚାଇମ୍‌ ପାଟେକ୍‌ ବ୍ରାଣ୍ଡ୍‌ର ସବୁଠୁ ଉତ୍କୃଷ୍ଟ ଓ ସର୍ବାଧିକ ବିକ୍ରି ହୋଇଥିବା ଘଣ୍ଟା। ପାଟେକ୍‌ ବ୍ରାଣ୍ଡ୍‌ର ୧୭୫ତମ ବାର୍ଷିକ ଉତ୍ସବରେ ଗ୍ରାଣ୍ଡ୍‌ମାଷ୍ଟର୍‌ ଚାଇମ୍‌ ବଜାର ପ୍ରବେଶ କରିଥିଲା। ଏହାର ଡୁଆଲ୍‌-ଡାଏଲ୍‌ ଫିଚର୍‌ ପାଇଁ ଏହାର ସର୍ବାଧିକ ଚାହିଦା ରହୁଛି। ଉଭୟ ଡାଏଲ୍‌କୁ ବ୍ଲୁ ଓପାଲିନ୍‌ ଦ୍ବାରା ସଜାଯାଇଛି ଏବଂ ଏହାର ନମ୍ବର ସୁନା ହୋଇଥିବା ବେଳେ ଏହାର ଡାଏଲ୍‌ ପ୍ଲେଟ୍‌ ୧୮ କ୍ୟାରେଟ୍‌ କଠିନ ସୁନା ଦ୍ବାରା ଆଚ୍ଛାଦିତ। ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ଭିତରେ ଏଥିରେ ପାଞ୍ଚଟି ଭିନ୍ନ ଭିନ୍ନ ଚିମିଂ ମୋଡ୍‌, ଏକ ଶ୍ରବଣଯୋଗ୍ୟ ଆଲାର୍ମ ଏବଂ ତାରିଖ ପୁନରାବୃତ୍ତି ବ୍ୟବସ୍ଥା ମଧ୍ୟ ରହିଛି। ଧଳାସୁନାରେ ନିର୍ମିତ ଏହି ଘଣ୍ଟାରେ ନାଭି ବ୍ଲୁ ରଙ୍ଗର ଆଲିଗେଟର୍‌ ଚମଡ଼ା ଏହି ଘଣ୍ଟାକୁ ଆକର୍ଷଣୀୟ କରିଥାଏ। ଏହାର ମୂଲ୍ୟ ପ୍ରାୟ ୨୫୮ କୋଟି ଟଙ୍କା।

ବ୍ରଗେଏଟ୍‌ ଗ୍ରା‌େଣ୍ଡ କମ୍ପ୍ଲିକେସନ୍‌ ମେରି ଆଣ୍ଟୋନେଟ୍‌:

ଏକ ତଥ୍ୟ ଅନୁସାରେ, ଏହି ଘଣ୍ଟା ପ୍ରଥମେ ଫ୍ରାନ୍ସର ରାଣୀ ମେରି ଆଣ୍ଟୋଏନେଟ୍‌ଙ୍କ ପାଇଁ ତାଙ୍କର ଜଣେ ପ୍ରେମିକଙ୍କ ତିଆରି କରିଥିଲେ। ଏହି ଘଣ୍ଟା ନିର୍ମାଣ ପାଇଁ ଦୀର୍ଘ ୪୦ ବର୍ଷ ଲାଗିଥିଲା ଏବଂ ଏହାର ନିର୍ମାଣ ଶେଷ ହେବା ପୂର୍ବରୁ ଦୁଃଖଦ ଭାବେ ମେରି ଆଣ୍ଟୋଏନେଟ୍‌ଙ୍କ କାର୍ଯ୍ୟକାଳ ସମାପ୍ତ ହୋଇସାରିଥିଲା। ଏହି ଘଣ୍ଟାର ଐତିହାସିକ ପୃଷ୍ଠଭୂମି ସମୟର କାଳଖଣ୍ଡ ଭିତରେ କେବଳ ଏହା ପଛରେ ଥିବା ରହସ୍ୟ ଓ ରୋମାନ୍ସକୁ ମନେ ପକାଇଦେଇଥାଏ। ତେବେ ଏହି ଦୁର୍ମୂଲ୍ୟ ଘଣ୍ଟାର ଦାମ୍‌ ୨୫୦ କୋଟି ଟଙ୍କା।

ରୋଲେକ୍ସ ୪୧୩୩:

ଏହି ଘଣ୍ଟାଟି ବିରଳ ଶ୍ରେଣୀରେ ଯାଉଛି। ପ୍ରଥମେ ଏହି ବିରାମ ଘଡ଼ି ମୂଳତଃ ୧୨ଟି ତିଆରି କରାଯାଇଥିଲା। ରୋଲକ୍ସ ୪୧୩୩ ଏହାର କ୍ରାଉନ୍‌/ ମୁକୁଟରେ ଥିବା ବଟନ୍‌ରୁ ହିଁ ଏହାର ନାମ ପାଇଥିଲା। ମାତ୍ର କେତୋଟି ସଂଖ୍ୟାରେ ତିଆରି ‌ହୋଇଥିବା ଏହି ଘଡ଼ି ଅନେକଙ୍କର ପସନ୍ଦ। ୧୯୪୨ରେ ଏହାର ଗୋଟିଏ ଖଣ୍ଡ ରୋଲେକ୍ସ କମ୍ପାନି ନିର୍ମାତା ରଖିଥିବା ବେଳେ ବାକି ଭିଣ୍ଟେଜ୍‌ କଲେକ୍ଟର୍‌ଙ୍କ ସବୁଠାରୁ ପସନ୍ଦଯୋଗ୍ୟ ଘଣ୍ଟା।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button