ଦେଶ ବିଦେଶ

Madhya Pradesh High Court: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଐତିହାସିକ ରାୟ: ‘ଭୋଜଶାଳା’ ଏକ ‘ସରସ୍ୱତୀ ମନ୍ଦିର’

ଇନ୍ଦୋର: ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ଧାର୍‌ ଜିଲ୍ଲାର ଐତିହାସିକ ଭୋଜଶାଳା-କମାଲ ମୌଲା ମସଜିଦ୍ ବିବାଦ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ଖଣ୍ଡପୀଠ ଆଜି ଏକ  ଐତିହାସିକ ରାୟ ଶୁଣାଇଛନ୍ତି। ଜଷ୍ଟିସ ବିଜୟ କୁମାର ଶୁକ୍ଲା ଓ ଜଷ୍ଟିସ ଆଲୋକ ଅୱସ୍ଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବିବାଦୀୟ ପରିସରକୁ ସମ୍ପୂର୍ଣ୍ଣ ଭାବେ ମା’ ବାଗ୍‌ଦେବୀ ସରସ୍ୱତୀଙ୍କ ମନ୍ଦିର ବୋଲି ଘୋଷଣା କରିଛନ୍ତି। ଅଦାଲତ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ ୧୧ଶ ଶତାବ୍ଦୀରେ ପରମାର ବଂଶର ରାଜା ଭୋଜଙ୍କ ଦ୍ୱାରା ନିର୍ମିତ ଏହି ସ୍ଥଳଟି ମୂଳତଃ ଏକ ସଂସ୍କୃତ ଶିକ୍ଷା କେନ୍ଦ୍ର ଏବଂ ସରସ୍ୱତୀ ମନ୍ଦିର ଥିଲା। ଏହି ନିଷ୍ପତ୍ତି ଆସିବା ପରେ ହିନ୍ଦୁ ପକ୍ଷଙ୍କ ପାଇଁ ସେଠାରେ ସ୍ଥାୟୀ  ପୂଜାର୍ଚ୍ଚନା କରିବାର ମାର୍ଗ ପ୍ରଶସ୍ତ ହୋଇଛି ଏବଂ ପୂର୍ବରୁ ପ୍ରଚଳିତ ସାପ୍ତାହିକ ବ୍ୟବସ୍ଥା (ମଙ୍ଗଳବାର ପୂଜା ଓ ଶୁକ୍ରବାର ନମାଜ) ସମ୍ପର୍କିତ  ବ୍ୟବସ୍ଥାକୁ କୋର୍ଟ ରଦ୍ଦ କରିଦେଇଛନ୍ତି।

ହିନ୍ଦୁ ପକ୍ଷଙ୍କୁ ମିଳିଲା ପୂଜାର୍ଚ୍ଚନା ଅଧିକାର
ମସଜିଦ୍ ପାଇଁ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ଜମି ଯୋଗାଇବାକୁ ନିର୍ଦ୍ଦେଶ

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ୯୮ ଦିନର ବୈଜ୍ଞାନିକ ସର୍ବେକ୍ଷଣ ଏବଂ ଏହାର ୨୦୦୦ରୁ ଅଧିକ ପୃଷ୍ଠାର ରିପୋର୍ଟକୁ କୋର୍ଟ ପ୍ରମୁଖ ସାକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି। ପ୍ରତ୍ନତତ୍ତ୍ୱକୁ ଏକ ବିଜ୍ଞାନ ଭାବେ ଦର୍ଶାଇ କୋର୍ଟ କହିଛନ୍ତି ଯେ ସେଠାରେ ମିଳିଥିବା ସଂସ୍କୃତ ଶିଳାଲେଖ, ତ୍ରିଶୂଳ ଚିହ୍ନ ଏବଂ ହିନ୍ଦୁ ଦେବଦେବୀଙ୍କ ପ୍ରାୟ ୯୭ଟି ଭଗ୍ନ ମୂର୍ତ୍ତି ଏହା ଏକ ପ୍ରାଚୀନ ମନ୍ଦିର ଥିବାର ଅକାଟ୍ୟ ପ୍ରମାଣ ଦେଉଛି।  ଏହାକୁ ଆଧାର କରି କୋର୍ଟ ମୁସଲିମ ସଙ୍ଗଠନଗୁଡ଼ିକର ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି। ତେବେ ମୁସଲିମ ପକ୍ଷ ଚାହିଲେ ମସଜିଦ ନିର୍ମାଣ ପାଇଁ ସରକାରଙ୍କଠାରୁ ଅନ୍ୟତ୍ର ସ୍ୱତନ୍ତ୍ର ଜମି ମାଗିପାରିବେ ବୋଲି ହାଇକୋର୍ଟ ସୂଚାଇଛନ୍ତି।

‘ହିନ୍ଦୁ ଫ୍ରଣ୍ଟ ଫର୍‌ ଜଷ୍ଟିସ’ ସମେତ ଅନ୍ୟ କେତେକ ସଙ୍ଗଠନ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଦୀର୍ଘ ୨୫ ଦିନର ନିୟମିତ ଶୁଣାଣି ପରେ ଏହି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ସମଗ୍ର ପରିସରର ସଂରକ୍ଷଣ ଏବଂ ପରିଚାଳନା ଦାୟିତ୍ୱ କେନ୍ଦ୍ର ସରକାର ଓ ଏଏସ୍‌ଆଇ  ଅଧୀନରେ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଲଣ୍ଡନ ମ୍ୟୁଜିୟମରେ ଥିବା ମା’ ସରସ୍ୱତୀଙ୍କ ମୂଳ ପ୍ରତିମାକୁ ଭାରତ ଫେରାଇ ଆଣିବା ପାଇଁ ହୋଇଥିବା ଆବେଦନ ଉପରେ ବିଚାର କରିବାକୁ ପ୍ରଶାସନକୁ କୁହାଯାଇଛି। ଏହି ସମ୍ବେଦନଶୀଳ ରାୟକୁ ଦୃଷ୍ଟିରେ ରଖି ଧାର୍‌ ଜିଲ୍ଲା ତଥା ସମଗ୍ର ମଧ୍ୟପ୍ରଦେଶରେ ପ୍ରାୟ ୧,୨୦୦ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ସୋସିଆଲ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ସୁପ୍ରିମକୋର୍ଟରେ କାଭିଏଟ୍ ଦାଖଲ କଲା ହିନ୍ଦୁପକ୍ଷ

fshsfhsfhsfh

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଧାର୍ ଜିଲ୍ଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସରକୁ ନେଇ ଆଇନଗତ ଲଢ଼େଇ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଆଜି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଐତିହାସିକ ରାୟ ପରେ, ହିନ୍ଦୁପକ୍ଷଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଏକ କାଭିଏଟ୍  ଆବେଦନ ଦାଖଲ କରାଯାଇଛି। ମୁସଲିମ ପକ୍ଷ ଯଦି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଆନ୍ତି, ତେବେ ହିନ୍ଦୁ ପକ୍ଷଙ୍କ ଯୁକ୍ତି ନଶୁଣି କୋର୍ଟ ଯେପରି କୌଣସି ଏକତରଫା  ସ୍ଥଗିତାଦେଶ ନଦିଅନ୍ତି, ସେଥିପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଭୋଜଶାଳା ମାମଲାର ଅନ୍ୟତମ ପ୍ରମୁଖ ଆବେଦନକାରୀ ଜିତେନ୍ଦ୍ର ସିଂହ ‘ବିଶେନ’ ସୁପ୍ରିମକୋର୍ଟରେ ଏହି କାଭିଏଟ୍ ଦାଖଲ କରିଛନ୍ତି। ବରିଷ୍ଠ ଆଇନଜୀବୀ ବରୁଣ କୁମାର ସିହ୍ନାଙ୍କ ଜରିଆରେ ଏହି ଆବେଦନ କରାଯାଇଛି। ଯଦି ମୁସଲିମ ପକ୍ଷ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରନ୍ତି, ତେବେ ହିନ୍ଦୁ ପକ୍ଷଙ୍କୁ ଆଗୁଆ ନୋଟିସ୍ ନଦେଇ ସୁପ୍ରିମକୋର୍ଟ କୌଣସି ଅନ୍ତରୀଣ ନିର୍ଦ୍ଦେଶ ବା ସ୍ଥଗିତାଦେଶ ଜାରି କରିପାରିବେ ନାହିଁ ବୋଲି ଏଥିରେ ଦାବି କରାଯାଇଛି।  ଆଜି ହାଇକୋର୍ଟ ରାୟ ପରେ ୧୧ଶ ଶତାବ୍ଦୀର ଭୋଜଶାଳା ପରିସରକୁ ସୁରକ୍ଷିତ ରଖିବା  ସମସ୍ତ ଜରୁରୀ ପଦକ୍ଷେପ  ଗ୍ରହଣ କରାଯାଇଛି।

 

 

 

ସୌଜନ୍ୟ Prameya News7

 

Show More
Back to top button