ଦେଶ ବିଦେଶ

Maduro appears in court: କୋର୍ଟରେ ହାଜର ହେଲେ ମାଦୁରୋ; ବିପଜ୍ଜନକ ଉଦାହରଣ: ଜାତିସଂଘ ମହାସଚିବ

ଭେନେଜୁଏଲାର ଗାଦିଚ୍ୟୁତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସିଲିଆ ଫ୍ଲୋରେସଙ୍କୁ ସୋମବାର ମାନ୍‌ହଟନସ୍ଥିତ ଅଦାଲତରେ ହାଜର କରାଯାଇଛି। ଗତ ଶନିବାର ଆମେରିକା ସେନା ମାଦୁରୋ ଦମ୍ପତିଙ୍କୁ ଗିରଫ....

ୱାସିଂଟନ: ଭେନେଜୁଏଲାର ଗାଦିଚ୍ୟୁତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ସିଲିଆ ଫ୍ଲୋରେସଙ୍କୁ ସୋମବାର ମାନ୍‌ହଟନସ୍ଥିତ ଅଦାଲତରେ ହାଜର କରାଯାଇଛି। ଗତ ଶନିବାର ଆମେରିକା ସେନା ମାଦୁରୋ ଦମ୍ପତିଙ୍କୁ ଗିରଫ କରିବା ସହ ବ୍ରୁକଲିନର ମେଟ୍ରୋପଲିଟାଲ ଡି‌ଟେନସନ୍‌ ସେଣ୍ଟର(ଏମ୍‌ଡିସି)ରେ ରଖିଥିଲା। ବ୍ରୁକଲିନସ୍ଥିତ ଏହି ଜେଲ୍‌ର ସ୍ଥିତି ଅନ୍ୟନ୍ତ ଖରାପ। ବନ୍ଦୀମାନଙ୍କୁ ଏଠାରେ ଅତି ଦୟନୀୟ ଭାବେ ରହିବାକୁ ପଡ଼ିଥାଏ। ମାନ୍‌ହଟନ ହେଲିପୋର୍ଟରେ ଓହ୍ଲାଇବା ପରେ ହାତରେ ହ୍ୟାଣ୍ଡ୍‌କଫ୍‌ ପଡ଼ିଥିବା ମାଦୁରୋ ଦମ୍ପତିଙ୍କୁ କୋର୍ଟକୁ ନିଆଯାଇଥିଲା।

ମାଦୁରୋଙ୍କ ବିରୋଧରେ ଆମେରିକାର ନ୍ୟାୟ ବିଭାଗ ୪ଟି ବଡ଼ ଅଭିଯୋଗ ଆଣିଛି। ଡ୍ରଗ୍‌ ଚୋରାଚାଲାଣକାରୀଙ୍କୁ ନିକୋଲାସ ଭେନେଜୁଏଲାର କୂଟନୈତିକ ପାସପୋର୍ଟ ବିକ୍ରି କରୁଥିଲେ। ଚୋରାରେ ଡ୍ରଗ୍‌ କାରବାର କରୁଥିବା ଅସାଧୁ ମେଣ୍ଟକୁ ପରିବହନ ସୁବିଧା ଯୋଗାଇ ଦେଉଥିଲେ। ସେହି ଅସାଧୁ ମେଣ୍ଟ ମଧ୍ୟରେ ସିନାଲୋଆ କାର୍ଟେଲ ଏବଂ ଟ୍ରେନ ଡି ଆରାଗୁଆ ଗ୍ୟାଙ୍ଗ୍‌ ରହିଛନ୍ତି। ୨୫ ବର୍ଷ ଧରି ନିକୋଲାସଙ୍କ ସମେତ ଭେନେଜୁଏଲାର ଅନ୍ୟ ନେତାମାନେ ସେମାନଙ୍କ ପଦବିର ଅପବ୍ୟବହାର କରି ଏପରି କାର୍ଯ୍ୟ କରୁଥିଲେ। ଆମେରିକାକୁ କୋକେନ ପ୍ରେରଣ କରିବା ଲାଗି ୨୫ ବର୍ଷ ଧରି ମାଦୁରୋ ସାମିଲ ଥିବା ଅଭିଯୋଗ ବି ଆମେରିକାର ନ୍ୟାୟ ବିଭାଗ କରିଛି। ନିକୋଲାସ ମାଦୁରୋଙ୍କ ବିଚାର ଦାୟିତ୍ବ ୯୨ ବର୍ଷୀୟ ବିଚାରପତି ଆଲଭିନ କେ ହେଲରଷ୍ଟିନ୍‌ଙ୍କୁ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ କାରନାମାକୁ ବିଶ୍ବର ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଏମାନଙ୍କ ମଧ୍ୟରେ ଚୀନ, ରୁଷ୍‌, ବ୍ରାଜିଲ, ଜର୍ମାନୀ ରହିଛନ୍ତି।

ଏକ ସାର୍ବଭୌମ ଦେଶ ବିରୋଧରେ ସାମରିକ ଆକ୍ରମଣକୁ ଚୀନ ଦୃଢ଼ ନିନ୍ଦା କରିଛି। ରୁଷ୍‌ର ବିଦେଶ ମନ୍ତ୍ରଣାଳୟ ଆମେରିକାର ଏହି କାର୍ଯ୍ୟକୁ ଭେନେଜୁଏଲା ବିରୋଧରେ ସାମରିକ ଆକ୍ରମଣ ବୋଲି ଦର୍ଶାଇଛି। ଏହା ଚିନ୍ତାଜନକ ଓ ନିନ୍ଦନୀୟ ବୋଲି ମସ୍କୋ କହିଛି। ବର୍ତ୍ତମାନ ପରିସ୍ଥିତିରେ ଉତ୍ତେଜନା ଯେଭଳି ଅଧିକ ନ ବ୍ୟାପିବ ତାହା ଉପରେ କାର୍ଯ୍ୟ କାରିବା ପ୍ରାଥମିକତା ହେବା ଉଚିତ ବୋଲି ରୁଷ୍‌ର ବିଦେଶ ମନ୍ତ୍ରଣାଳୟ କହିଛି। ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲଭା କହିଛନ୍ତି ଭେନେଜୁଏଲା ସୀମା ଭିତରେ ବୋମାମାଡ଼ ଏବଂ ରାଷ୍ଟ୍ରପତିଙ୍କୁ ଧରି ନେବା ଗ୍ରହଣଯୋଗ୍ୟ ନୁହେଁ। ଭେନେଜୁଏଲାର ସାର୍ବଭୌମତ୍ବ ପ୍ରତି ଏହା ଆକ୍ରମଣ ବୋଲି ସେ କହିଛନ୍ତି। ଭାରତ ମଧ୍ୟ ଏହି ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ମାପଚୁପ ମନ୍ତବ୍ୟ ଦେଇଛି। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଏବଂ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ସବୁପକ୍ଷକୁ ଭାରତର ବିଦେଶ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ସେହିଭଳି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁ‌ଏଲ ମାକ୍ରନ ଏହି ଘଟଣାକୁ ସମର୍ଥନ କିମ୍ବା ମଞ୍ଜୁର କରନ୍ତି ନାହିଁ ବୋଲି କହିଛନ୍ତି ଫ୍ରାନ୍ସ ସରକାରଙ୍କ ଜଣେ ପ୍ରବକ୍ତା। ଜର୍ମାନୀ ଏହି କାର୍ଯ୍ୟାନୁଷ୍ଠାନ ସଂପର୍କରେ ଯୁକ୍ତରାଷ୍ଟ୍ର ଆମେରିକାଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ଅନ୍ୟପକ୍ଷରେ ଭେନେଜୁଏଲାର କାମଚଳା ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍‌ ଆମେରିକା ପ୍ରତି ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ସହଯୋଗମୂଳକ କାର୍ଯ୍ୟସୂଚୀ ନେଇ ମିଳିତଭାବେ ତାଙ୍କ ଦେଶରେ କାର୍ଯ୍ୟ କରିବା ଲାଗି ସେ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି।

ଉଲ୍ଲେଖଥାଉକି, ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ପ୍ରସଙ୍ଗରେ କଲମ୍ବିଆର ପ୍ରସ୍ତାବ ଏବଂ ଚୀନ ଓ ରୁଷ୍‌ର ସମର୍ଥନ ପରେ ସୋମବାର ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ହୋଇଛି। ‘ଆର୍ନ୍ତଜାତିକ ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ’ କାର୍ଯ୍ୟସୂଚୀ ଅନ୍ତର୍ଗତ ଏହି ବୈଠକ ଚାଲିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଏହି ଆକ୍ରମଣ ଘଟଣାକୁ ‘ବିପଜ୍ଜନକ ଉଦାହରଣ’ ଆଖ୍ୟା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

 

Leave a Reply

Your email address will not be published. Required fields are marked *

Back to top button