Breaking News

କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅଚିହ୍ନା ରୋଗ ଆତଙ୍କ, ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

0

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ କୋଲାଗଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଅଚିହ୍ନା ରୋଗ ଆତଙ୍କ ଦେଖାଦେଇଛି। ୪ ଦିନ ମଧ୍ୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହେବା ସହିତ ୨୦ଜଣରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ପଡିଆ ଓ ମାଲକାନଗିରି ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ଏହି ଅଚିହ୍ନା ରୋଗ ଭୟରେ ହଷ୍ଟେଲ ଛାଡି ଘରକୁ ଫେରି ଯାଉଛନ୍ତି ଛାତ୍ରଛାତ୍ରୀ ।କୋଲାଗଣ୍ଡା ଗ୍ରାମରେ ସ୍ୱାସ୍ଥ୍ୟ ଟିମ ପହଞ୍ଚି ଚିକତ୍ସା ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇଛନ୍ତି ।

ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଜ୍ଵର,ବାନ୍ତି ହୋଇ ଗୋଡ଼ ହାତ ଫୁଲି ଯାଉଛି। ଏହି ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇ ଛାତ୍ର ପ୍ରଦୀପ ମୁଚାକି ଓ ସନ୍ତୁ କୁରାମି ପ୍ରାଣ ହରାଇଛନ୍ତି । ପଡ଼ିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ୪ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟ କୁ ପଡିଆ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ବ୍ଲକ ଅଧିକାରୀମାନେ ପରିଦର୍ଶନ କରିବା ସହିତ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ମହେଶ ଚନ୍ଦ୍ର ନାୟକ କହିଛନ୍ତି ।

ଅପରପକ୍ଷରେ କୋଲାଗଣ୍ଡା ଗ୍ରାମକୁ ଜିଲ୍ଲା ହସ୍ପିଟାଲରୁ ୫ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଯାଇଛନ୍ତି। ବିଦ୍ୟାଳୟର ପରିବେଶ ଅନୁଧ୍ୟାନ କରିବା ସହିତ, ଖାଦ୍ୟ,ପାଣି ପରୀକ୍ଷା କରିଛନ୍ତି। ଗାଁରେ ଏକ ହେଲଥ କ୍ୟାମ୍ପ କରାଯାଇଛି। ବିଦ୍ୟାଳୟର ୧୪୩ ଜଣ ଛାତ୍ରଛାତ୍ରୀଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ମ୍ୟାଲେରିଆ, ଡେଙ୍ଗୁ, କୋଭିଡ, ହେମୋଗ୍ଲୋବିନ ଟେଷ୍ଟ କରାଯାଇଛି। ଆକ୍ରାନ୍ତମାନଙ୍କୁ ହସ୍ପିଟାଲକୁ ଅଣାଯାଇ ଚିକିତ୍ସା କରାଯାଉଛି । କିଛି ଛାତ୍ରଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ କୁମାର ନନ୍ଦନ କହିଛନ୍ତି ।

ବିଶେଷ କରି ସେବା ଆଶ୍ରମ ବିଦ୍ୟାଳୟ ଗୁଡିକରେ ଅବ୍ୟବସ୍ଥା ପାଇଁ ବାରମ୍ବାର ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ସପ୍ତାହକ ତଳେ ପାଣ୍ଡ୍ରିପାଣି ସେବାଶ୍ରମରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତା’ ସହିତ ନନ୍ଦିନୀଗୁଡା ସେବାଶ୍ରମରୁ ମଧ୍ୟ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ପୁଣି କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ଅଚିହ୍ନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.