ଓଡିଶା

Police Department: ପୁଲିସ ବିଭାଗ ସିସିଟିଏନ୍‌ଏସ୍‌ ପ୍ରକ୍ରିୟାରେ ଟେଣ୍ଡର କେଳେଙ୍କାରୀ: ରାଜ୍ୟ ରାଜକୋଷକୁ ୬ କୋଟି କ୍ଷତି

ରାଜ୍ୟ ଅପରାଧ ନଥି ବ୍ୟୁରୋ (ଏସ୍‌ସିଆର୍‌ବି)ରେ ସିସିଟିଏନ୍‌ଏସ୍‌ (କ୍ରାଇମ୍‌ ଆଣ୍ଡ କ୍ରିିମିନାଲ୍ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ୍‌ସ)ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟାଦେଶ ପ୍ରଦାନରେ ବଡ଼ଧରଣର କେଳେଙ୍କାରୀ ହୋଇଛି।

କଟକରାଜ୍ୟ ଅପରାଧ ନଥି ବ୍ୟୁରୋ (ଏସ୍‌ସିଆର୍‌ବି)ରେ ସିସିଟିଏନ୍‌ଏସ୍‌ (କ୍ରାଇମ୍‌ ଆଣ୍ଡ କ୍ରିିମିନାଲ୍ ଟ୍ରାକିଂ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ୍‌ସ)ର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟାଦେଶ ପ୍ରଦାନରେ ବଡ଼ଧରଣର କେଳେଙ୍କାରୀ ହୋଇଛି। ଆନୁଷଙ୍ଗିକ ଯୋଗ୍ୟତା ନଥାଇ କେପିଏମ୍‌ଜି ଆଡଭାଇଜରି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ ନାମକ ଏକ ସଂସ୍ଥାକୁ ଏଲ୍‌-୧ ଘୋଷିତ କରାଯାଇଛି। ଏହି ପ୍ରକ୍ରିୟାରେ ରାଜ୍ୟ ରାଜକୋଷକୁ ଅତିରିକ୍ତ ୫ କୋଟି ୯୪ ଲକ୍ଷ ଟଙ୍କା କ୍ଷତି ହେଉଥିବା ପ୍ରସଙ୍ଗକୁ ସିଏଜି ଧରିଛନ୍ତି। କିନ୍ତୁ କେଳେଙ୍କାରୀ ସାମନାକୁ ଆସିବା ସତ୍ତ୍ବେ ଏହା ପଛର କାର୍ପଟଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ସନ୍ଦେହର କାରଣ ହୋଇଛି। ସିସିଟିଏନ୍‌ଏସ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବ ଏନ୍‌ଆଇଆଇଟି ନେଇଥିଲା। ୨୦୨୨ ଜୁଲାଇରେ ଚୁକ୍ତି ଶେଷ ହେବା ପରେ ସାନି ଟେଣ୍ଡର ଡକାଯାଇଥିଲା। ଏଥିପାଇଁ ଏସ୍‌ସିଆର୍‌ବି ପକ୍ଷରୁ ପ୍ରସ୍ତାବ ପାଇଁ ଅନୁରୋଧ (ଆର୍‌ପିଏଫ୍) ଜାରି କରାଯାଇଥିଲା। ତେବେ ସାନି ଟେଣ୍ଡରରେ କ୍ବାଲିଟି କମ୍ କଷ୍ଟ ବେସଡ୍ ସିଲେକ୍ସନ୍‌ (କ୍ୟୁସିବିଏସ୍) ପ୍ରଣାଳୀ ଅନୁଯାୟୀ ମୂଲ୍ୟାୟନ କରାଯିବାର ଥିଲା। ଆର୍‌ପିଏଫ୍ ଅନୁଯାୟୀ ବୈଷୟିକ ମୂଲ୍ୟାୟନ ତିନୋଟି ମାନଦଣ୍ଡ ଆଧାରରେ କରାଯିବାର ଥିଲା। ପ୍ରବନ୍ଧନ ଓ ପ୍ରକ୍ରିୟା ପାଇଁ ସର୍ବାଧିକ ୨୫ ନମ୍ବର, ନିଲାମଦାରଙ୍କ ଅଭିଜ୍ଞତା ପାଇଁ ୩୫ ନମ୍ବର, ଡାଟା ସେଣ୍ଟର ଓ ଆପ୍ଲିକେସନ୍‌ ସହାୟତା ଇତ୍ୟାଦି ପାଇଁ ୪୦ ନମ୍ବର ରହିଥିଲା।

ସିଏଜି ରିପୋର୍ଟ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଏହା ବ୍ୟତୀତ ଗତ ତିନିଟି ଆର୍ଥିକ ବର୍ଷରେ ଆଇଟି କିମ୍ବା ଆଇଟି ସଂଯୁକ୍ତ ବ୍ୟବସାୟରେ ଅତିକମ୍‌ରେ ୧୫୦ କୋଟିର କାରବାର ରହିଥିବ ଏବଂ ଅଧିକ କାରବାର ପାଇଁ ଅଧିକ ନମ୍ବର ମିଳିବା ନିୟମ ରହିଥିଲା। କିନ୍ତୁ କାରବାର କ୍ଷେତ୍ରରେ ସଂପୃକ୍ତ ସଂସ୍ଥାକୁ ନିୟମ ବାହାରେ ନମ୍ବର ଦିଆଯାଇଛି। ଟେଣ୍ଡରରେ କେପିଏମ୍‌ଜି ଆଡଭାଇଜରି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌, କୋଫୋର୍ଜ ଲିମିଟେଡ୍‌, ସିଏମ୍‌ଏସ୍‌ ଆଇଟି ସର୍ଭିସ ପ୍ରାଇଭେଟ୍ ଲିମିଟେଡ ସଂସ୍ଥା ଭାଗ ନେଇଥିଲେ। ଏଥିରେ କେପିଏମ୍‌ଜିର ଆଇଟି କ୍ଷେତ୍ରରେ କାରବାର ୧୫୩.୩୩ କୋଟି ଥିବା ସତ୍ତ୍ବେ ତାହାକୁ ୪ ନମ୍ବର ପ୍ରଦାନ କରାଯାଇଥିଲା। ଅନ୍ୟ କ୍ଷେତ୍ରରେ ଯେଉଁଠି ସଂସ୍ଥା କିଛି ବି ନମ୍ବର ପାଇବା କଥା ନୁହେଁ, ସେଥିରେ ତାହାକୁ ୩ ନମ୍ବର ଦିଆଯାଇଥିଲା। ଏଭଳି ବେଆଇନ ଭାବେ ନମ୍ବର ପ୍ରଦାନ ଯୋଗୁ କେପିଏମ୍‌ଜି ଏଲ୍‌-୧ ଘୋଷିତ ହୋଇଥିଲା।
କେପିଏମ୍‌ଜିକୁ ଏସ୍‌ସିଆର୍‌ବି ପକ୍ଷରୁ ୧୯.୩୧ କୋଟି ଟଙ୍କାରେ କାର୍ଯ୍ୟାଦେଶ ଦିଆଯାଇଛି। ଅନ୍ୟପଟେ ସିଏମ୍‌ଏସ୍‌ ଏଥିପାଇଁ ୧୩.୩୭ କୋଟି ଟଙ୍କା ଧାର୍ଯ୍ୟ କରିଥିଲା। ଠିକ୍ ମୂଲ୍ୟାୟନ ପ୍ରକ୍ରିୟାରେ ସିଏମ୍‌ଏସ୍‌ ଏଲ୍‌-୧ ହୋଇଥିଲେ ରାଜକୋଷରେ ୫.୯୪ କୋଟି ଟଙ୍କା ସଞ୍ଚୟ ହୋଇପାରିଥାନ୍ତା। ସିଏଜି ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରିଥିବା ସତ୍ତ୍ବେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button