Mann Ki Baat: ୨୦୨୫ର ଶେଷ ‘ମନ୍ କୀ ବାତ୍’ ପ୍ରଧାନମନ୍ତ୍ରୀ ସ୍ମରଣ କଲେ ଦେଶର ଉପଲବ୍ଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୫ର ଶେଷ ‘ମନ୍ କୀ ବାତ୍’ରେ ଚଳିତ ବର୍ଷକୁ ଦେଶ ପାଇଁ ଅତ୍ୟନ୍ତ ଗୌରବମୟ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷାରୁ କ୍ରୀଡ଼ାକ୍ଷେତ୍ର, ବିଜ୍ଞାନରୁ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୫ର ଶେଷ ‘ମନ୍ କୀ ବାତ୍’ରେ ଚଳିତ ବର୍ଷକୁ ଦେଶ ପାଇଁ ଅତ୍ୟନ୍ତ ଗୌରବମୟ ବୋଲି ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରୀୟ ସୁରକ୍ଷାରୁ କ୍ରୀଡ଼ାକ୍ଷେତ୍ର, ବିଜ୍ଞାନରୁ ବିଶ୍ୱ ମଞ୍ଚ ପର୍ଯ୍ୟନ୍ତ ଭାରତ ନିଜର ଛାପ ଛାଡ଼ିଛି ବୋଲି ମୋଦୀ କହିଛନ୍ତି। ‘୨୦୨୫ ଭାରତୀୟଙ୍କୁ ଅନେକ ଗୌରବମୟ ମୁହୂର୍ତ୍ତ ଦେଇଛି ଏବଂ ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଜୋର୍ଦାର ଉପସ୍ଥିତି ଦେଖାଇଛି’ ବୋଲି ମୋଦୀ କହିଛନ୍ତି।
ଅପରେସନ୍ ସିନ୍ଦୂରକୁ ମୋଦୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଅଭିଯାନ ବିଶ୍ୱକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଆଜିର ଭାରତ ନିଜର ସୁରକ୍ଷା ଉପରେ କୌଣସି ବୁଝାମଣା କରେ ନାହିଁ। ‘ଅପରେସନ୍ ସିନ୍ଦୂର ସମୟରେ ଦେଶର ପ୍ରତ୍ୟେକ କୋଣରୁ ମାତୃଭୂମି ପ୍ରତି ଭକ୍ତି ଓ ପ୍ରେମର ଚିତ୍ର ଉଭା ହୋଇଥିଲା’ ବୋଲି ମୋଦୀ କହିଛନ୍ତି। ଏହି ଅଭିଯାନ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଠିକଣା ଉପରେ କରାଯାଇଥିଲା। ମହାକୁମ୍ଭକୁ ମୋଦୀ ବର୍ଷର ଆରମ୍ଭରେ ଆୟୋଜିତ ଏକ ବିଶ୍ୱସ୍ତରୀୟ ଘଟଣା ବୋଲି କହିଛନ୍ତି। ପ୍ରୟାଗରାଜ ମହାକୁମ୍ଭରେ ଭାରତର ଧର୍ମ ବିଶ୍ୱାସ, ସଂସ୍କୃତି ଓ ଅନନ୍ୟ ଐତିହ୍ୟ ଏକାଠି ଦେଖାଯାଇଥିଲା ଏବଂ ଏହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବର୍ଷ ଶେଷରେ ଅଯୋଧ୍ୟାର ରାମ ମନ୍ଦିରରେ ଧ୍ୱଜାରୋହଣ ମଧ୍ୟ ଦେଶବାସୀଙ୍କ ହୃଦୟ ଭରିଦେଇଥିଲା। ବିଜ୍ଞାନ କ୍ଷେତ୍ରରେ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବାରେ ପ୍ରଥମ ଭାରତୀୟ ହୋଇଥିବା କଥା ମୋଦୀ ସ୍ମରଣ କରିଛନ୍ତି। ପରିବେଶ, ସାମାଜିକ ବିକାଶ, ସୁରକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଅନେକ ଉପଲବ୍ଧ ହାସଲ ହୋଇଛି। ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ୍ରେ ୮୦ରୁ ଅଧିକ ସରକାରୀ ବିଭାଗର ୨୭୦ରୁ ଅଧିକ ସମସ୍ୟାର ସମାଧାନ ଖୋଜାଯାଇଛି। ତାମିଲ ଭାଷାର ଲୋକପ୍ରିୟତା ଓ ବନ୍ଦେ ମାତରମର ୧୫୦ ବର୍ଷ ଉତ୍ସବକୁ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣକରି ପ୍ରଧାନମନ୍ତ୍ରୀ ଓଡ଼ିଶାର ପାର୍ବତୀ ଗିରିଙ୍କ ସଂପର୍କରେ କହିଥିଲେ, ଯିଏ ୧୬ ବର୍ଷ ବୟସରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ।
ସୌଜନ୍ୟ ସମ୍ବାଦ




