ମାଲକାନଗିରି: ନକ୍ସଲ ଦମନ ଅଭିଯାନରେ ଛତିଶଗଡ଼ ପୁଲିସକୁ ମିଳିଛି ବଡ଼ ସଫଳତା। ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜଙ୍ଗଲରେ ଯବାନଙ୍କ ସର୍ଚ୍ଚ ଅପରେସନ୍ ସମୟରେ ମାଓବାଦୀ ଲୁଚାଇ ରଖିଥିବା କେଜିଏ ସୁନା, ନଗଦ ୩ କୋଟି ୬୧ଲକ୍ଷ ଟଙ୍କା ଓ ୧୦୧ଟି ବନ୍ଧୁକ ମିଳିଛି। ଜବତ ବନ୍ଧୁକ ମଧ୍ୟରେ ୭ଟି ଏକେ-୪୭, ୧୧ଟି ଇନ୍ସାସ୍, ୬ଟି ଏସ୍ଏଲ୍ଆର୍, ୨୦ଟି ୩୦୩ ବନ୍ଧୁକ, ୨୫ଟି ୧୨ବୋର୍ ରାଇଫଲ୍, ୫ଟି ୩୧୫ ବୋର୍ ରାଇଫଲ୍ ଓ ବିଜିଏଲ୍, ଲଞ୍ଚର ରହିଛି। ଜଙ୍ଗଲରୁ ଏତେ ପରିମାଣର ଟଙ୍କା, ସୁନା ଓ ବନ୍ଧୁକ ଜବତ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି।
୭ଟି ଏକେ-୪୭ ସହ ୧୦୧ ବନ୍ଧୁକ ଜବତ
ମୁଖ୍ୟସ୍ରୋତକୁ ଫେରିଲେ ୧୦୮ ନକ୍ସଲ
ମୁଣ୍ଡରେ ଥିଲା ୩.୨୯ ଲକ୍ଷ ଟଙ୍କା ପୁରସ୍କାର
ଅନ୍ୟପକ୍ଷରେ ବସ୍ତର ପୁଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟିର ୧୦୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୪୪ ଜଣ ମହିଳା ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟିର ଡିଭିସିଏମ୍ ସଦସ୍ୟ ରାହୁଲ ତେଲାମ, ପାଣ୍ଡରୁ କବାସି, ଜିତରୁ ଓୟାମ, ପୂର୍ବ ବସ୍ତର ଡିଭିଜନ୍ର ଡିଭିସିଏମ୍ ସଦସ୍ୟ ରାମଧର, ମାଲେଶ, କମ୍ପାନି କମାଣ୍ଡର ମୁଚାକି, ଏଓବି କମାଣ୍ଡର କୋସା ମାଣ୍ଡବି ଅଛନ୍ତି। ୫ ଡିଭିସିଏମ୍, ଜଣେ କମ୍ପାନି କମାଣ୍ଡର, ୧୫ ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ, ୨୧ ଏରିଆ କମିଟି ମେମ୍ବର, ୬୩ ଜଣ ପାର୍ଟି ସଦସ୍ୟ ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ସମସ୍ତଙ୍କ ନାମରେ ମୋଟ ୩ କୋଟି ୨୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।
ଆତ୍ମସମର୍ପଣ ପରେ ସମସ୍ତନକ୍ସଲଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ଼ ଗୃହ ମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, ଛତିଶଗଡ଼ରେ ନକ୍ସଲ ସଂଗଠନର ୩୦ଟି ଏରିଆ କମିଟି କାମ କରୁଥିଲା। ସେଥି ମଧ୍ୟରୁ ୨୬ଟି ଏରିଆ କମିଟିର ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ସକ୍ରିୟ ଥିବା ୪ଟି ଏରିଆ କମିଟିକୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ପ୍ରୟାସ ଚାଲିଛି। ମାର୍ଚ୍ଚ ୩୧ ସୁଦ୍ଧା ଛତିଶଗଡ଼ ନକ୍ସଲମୁକ୍ତ ହେବ ବୋଲି ଶ୍ରୀ ଶର୍ମା କହିଛନ୍ତି। ପ୍ରକାଶଥାଉକି, ନକ୍ସଲ ଦମନ ଅଭିଯାନ ଜୋରଦାର ପରେ ଛତିଶଗଡ଼ରେ ୨୭୧୪ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ସୌଜନ୍ୟ ସମ୍ବାଦ