ଅର୍ଥନୀତି

ପ୍ରେସ୍‌କ୍ରିପ୍‌ସନ ଦେଖାଇଲେ ମିଳିବ କଫ୍‌ ସିରପ: କଠୋର ନିୟମ ଆଣିବେ ସରକାର

ଲୋକମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି କଫ୍‌ ସିରପ ବିକ୍ରି ନିୟମକୁ ସରକାର କଡ଼ାକଡ଼ି କରିବାକୁ ଯାଉଛନ୍ତି। ସେଥିପାଇଁ ଡ୍ରଗ୍‌ସ ନିୟମ ୧୯୪୫ରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତାବ ଆଗତ କରିଛନ୍ତି।

ନୂଆଦିଲ୍ଲୀ: ଲୋକମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନଜରରେ ରଖି କଫ୍‌ ସିରପ ବିକ୍ରି ନିୟମକୁ ସରକାର କଡ଼ାକଡ଼ି କରିବାକୁ ଯାଉଛନ୍ତି। ସେଥିପାଇଁ ଡ୍ରଗ୍‌ସ ନିୟମ ୧୯୪୫ରେ ସଂଶୋଧନ ଆଣିବାକୁ ସରକାର ପ୍ରସ୍ତାବ ଆଗତ କରିଛନ୍ତି। ନିୟମର ସିଡ୍ୟୁଲ୍‌ ‘କେ’ରୁ କଫ୍‌ ସିରପ୍‌କୁ ପ୍ରତ୍ୟାହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଛି। ଏହା ଉପରେ ୩୦ ଦିନ ଭିତରେ ମତାମତ ଦେବାକୁ ଅଂଶୀଦାରମାନଙ୍କୁ ମନ୍ତ୍ରଣାଳୟ କହିଛି। ନୂଆ ବିଲ୍‌କୁ ସରକାର ଡ୍ରଗ୍‌ସ (ସଂଶୋଧନ) ନିୟମ ୨୦୨୫ ଭାବେ ଉପସ୍ଥାପନ କରିବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ତାହା କାର୍ଯ୍ୟକାରୀ ହେବ। ଡ୍ରଗ୍‌ସ ନିୟମ ୧୯୪୫ର ସିଡ୍ୟୁଲ୍‌ଡ ‘କେ’ର କ୍ରମାଂକ ସଂଖ୍ୟା ୧୩ ଅଧୀନରେ ଥିବା ଏଣ୍ଟ୍ରି ସଂଖ୍ୟା‌ ୭ରୁ ‘ସିରପ୍‌’ ଶବ୍ଦକୁ ହଟାଯିବ।

ଏହି ନିୟମ ଲାଗୁ ହେବା ପରେ ଔଷଧ ଦୋକାନ କାଉଣ୍ଟରଗୁଡ଼ିକରେ ଆଉ ଅବାଧରେ କଫ୍‌ ସିରପ୍‌ ବିକ୍ରି ହୋଇପାରିବ ନାହିଁ। ତାମିଲନାଡ଼ୁର କମ୍ପାନି ଶ୍ରୀସନ ଫାର୍ମାସ୍ୟୁଟିକାଲ୍‌ସ ଉତ୍ପାଦନ କରିଥିବା କଫ୍‌ ସିରପ୍ ‘କୋଲଡ୍ରିଫ୍‌’ ସେବନ କରିବା ପରେ ରାଜସ୍ଥାନ ଓ ମହାରାଷ୍ଟ୍ରରେ ବହୁ ଶିଶୁଙ୍କ ମୃତ୍ୟୁ ହେବା ଓ ଅନେକଙ୍କ ଠାରେ ପାର୍ଶ୍ବପ୍ରତିକ୍ରିୟା ଦେଖାଦେବା ଘଟଣାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଚିନ୍ତା ପ୍ରକଟ କରିଥିଲା। ସିରପ୍‌ ଶବ୍ଦ ରହିଥିବାରୁ ଲୋକମାନେ ତାହାକୁ ଦୋକାନରୁ କିଣିଥିଲେ। କିନ୍ତୁ ସେଥିରୁ ଏଭଳି କିଛି ଉପାଦାନ ରହିଥିଲା ଯାହା ଶିଶୁମାନଙ୍କଠାରେ ବିଷ ଭଳି କାମ କରିଥିଲା। କାଉଣ୍ଟରରେ କଫ୍‌ ସିରପ ବିକ୍ରିକୁ ରୋକିବା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଶିଶୁମାନଙ୍କ ପାଇଁ ସାଧାରଣତଃ ତରଳ ଔଷଧ ପରାମର୍ଶ ଦିଆଯାଇଥାଏ। ସେଥିରୁ ଅଧିକ ବ୍ୟବହାର ହେଉଥିବା ସିରପ୍ ହେଉଛି କଫ୍‌ ସିରପ୍। କେମିଷ୍ଟ୍‌ମାନେ ମଧ୍ୟ ନିଜ ଆଡ଼ୁ ଗ୍ରାହକଙ୍କୁ ସେହି ସିରପ୍ ଦେଉଛନ୍ତି। ଏହି ପ୍ରଥା ବନ୍ଦ ହେବା ଦରକାର ବୋଲି ସେମାନେ କହିଛନ୍ତି। ଆଗାମୀ ଦିନରେ କଫ୍‌ ସିରପ୍‌ କେବଳ ପ୍ରେସ୍‌କ୍ରିପ୍‌ସନ୍‌ ଆଧାରରେ ମିଳିବ। ତାହା ହେଲେ ଲୋକମାନେ ଆଉ ନିଜ ଆଡ଼ୁ ତାହା ଖାଇବେ ନାହିଁ। ଫଳରେ ଶରୀରରେ ପ୍ରବେଶ କରୁଥିବା ଅନାବଶ୍ୟକ ଆଣ୍ଟିବାୟୋଟିକ୍‌, କଫ କମ୍‌ କରିବା ଉପାଦାନ ଓ ଷ୍ଟେରଏଡ୍‌ କମିବ। ତାହା ରୋଗୀଙ୍କ ସ୍ବାସ୍ଥ୍ୟ, ବିଶେଷ କରି ଶିଶୁଙ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ସହାୟକ ହୋଇପାରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button