Massive Fire: ଦିଲ୍ଲୀ ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଫର୍ଣ୍ଣିଚର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ, ୩୦୦ ଦୋକାନ ପୋଡ଼ି ପାଉଁଶ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଫର୍ଣ୍ଣିଚର ମାର୍କେଟ୍‌ରେ ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶାସ୍ତ୍ରୀ ପାର୍କର ଫର୍ଣ୍ଣିଚର ମାର୍କେଟ୍‌ରେ ହୋଇଥିବା ଅଗ୍ନିକାଣ୍ଡରେ ୩୦୦ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା, କିନ୍ତୁ ସେମାନେ ସମୟ ମଧ୍ୟରେ ପହଞ୍ଚି ନପାରିବାରୁ ନିଆଁ ଭୟଙ୍କର ରୂପ ନେଇଥିଲା ଏବଂ ଦୋକାନକୁ ପୋଡ଼ି ଦେଇଥିଲା।

ଦମକଳ ଗାଡ଼ି ଉପରକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକେ

ଅଗ୍ନିଶମ ବାହିନୀ ଆସିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦମକଳ ଗାଡ଼ିଗୁଡ଼ିକ ଉପରେ ପଥର ମାଡ଼ କରିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଲୋକମାନେ ସେମାନଙ୍କ ଦୋକାନକୁ ବଞ୍ଚାଇବା ପାଇଁ ଦୌଡ଼ିଥିଲେ। କିନ୍ତୁ କାଠ ଏବଂ ପ୍ଲାଇଉଡ୍‌ରେ ନିଆଁ ଲାଗିଯାଇଥିଲା। ଏହା ସମଗ୍ର ବଜାରକୁ ବ୍ୟାପିଯାଇଥିଲା। ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ତେବେ ଦମକଳ ଗାଡ଼ି ପହଞ୍ଚିବା ବେଳକୁ ଅଧିକାଂଶ ଦୋକାନ ପୋଡ଼ି ସାରିଥିଲା। ନିଆଁ ଲିଭାଇବା ପାଇଁ ପଚିଶଟି ଦମକଳ ଗାଡ଼ି କାମ କରିଥିଲା। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ, ଯଦି ଦମକଳ ଗାଡ଼ି ଠିକ୍ ସମୟରେ ପହଞ୍ଚିଥାନ୍ତା, ତେବେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିଥାନ୍ତା। ସୌଭାଗ୍ୟବଶତଃ, କେହି ମୃତାହତ ହୋଇନାହାନ୍ତି। ତେବେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

 

 

 

ସୌଜନ୍ୟ ସମ୍ବାଦ