Breaking News

ପୂର୍ବ ଢାଞ୍ଚାରେ ହେବ ମାଟ୍ରିକ, ବର୍ଷ ‌ଶେଷକୁ ଗୋଟିଏ ପରୀକ୍ଷା

ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ରହିବ; ଜୁଲାଇ ୩ରେ ମାଟ୍ରିକ ସପ୍ଲିମେଣ୍ଟାରୀ

0

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(‌ବୋର୍ଡ) ଦ୍ବାରା ପରିଚାଳିତ ୨୦୨୪ର ମାଟ୍ରିକ୍ ପରୀକ୍ଷା ପୂର୍ବ ଢ଼ାଞ୍ଚା ଅନୁସାରେ ଅନୁଷ୍ଠିତ ହେବ। ଗଲା ଦୁଇ ବ‌ର୍ଷ ଧରି ଚାଲିଥିବା ବାର୍ଷିକ ଦୁଇଟି ସମ୍ମେଟିଭ୍ ଆସେସ୍‌ମେଣ୍ଟ (ଏସ୍‌ଏ-୧ ଓ ଏସ୍‌ଏ-୨) ପରୀକ୍ଷାକୁ ପରିବର୍ତ୍ତନ କରି ବର୍ଷ ‌ଶେଷକୁ ଗୋଟିଏ ମାଟ୍ରିକ୍‌ ପରୀକ୍ଷା କରାଯିବ। କିନ୍ତୁ ପୂର୍ବ ଦୁଇ ବର୍ଷ ଧରି ଚାଲିଥିବା ବ‌ାର୍ଷିକ ୪ଟି ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ(୪ଟି ଫର୍ମାଟିଭ୍ ଆସେସ୍‌ମେଣ୍ଟ) ଚାଲୁ ରହିବ। ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟରୁ ୨୦ ପ୍ରତିଶତ ୱେଟେଜ୍ ଓ ବ‌ର୍ଷ ଶେଷ ମାଟ୍ରିକ୍ ପରୀକ୍ଷାରୁ ୮୦ ପ୍ରତିଶତ ୱେଟେଜ୍ ଦିଆଯାଇ ଛାତ୍ରଛାତ୍ରୀଙ୍କୁ ନମ୍ବର ପ୍ରଦାନ କରାଯିବ। ଏହି ବ୍ୟବସ୍ଥା ହାଇସ୍କୁଲ ଓ ମଧ୍ୟମା ପାଇଁ ଲାଗୁ କରାଯିବ ‌ବୋଲି ବୋର୍ଡ ମୁଖ୍ୟକାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।

ବୋର୍ଡ ସଭାପତି ଶ୍ରୀ ହାଜରାଙ୍କ କହିବା ଅନୁସାରେ, ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କ୍ରମେ ନବମ ଓ ଦଶମ ପରୀକ୍ଷା ପଦ୍ଧତିରେ ପରିବର୍ତ୍ତନ କରାଯାଇଛି। କରୋନା ମହାମାରୀ ପାଇଁ ‌ବୋର୍ଡ ପକ୍ଷରୁ ବିଗତ ଦୁଇ ବ‌ର୍ଷ ଧରି ଚାଲିଥିବା ଏସ୍‌ଏ-୧ ଓ ଏସ୍‌ଏ-୨କୁ ପରିବର୍ତ୍ତନ କରାଯାଇ ବର୍ଷ ଶେଷକୁ ଗୋଟିଏ ପରୀକ୍ଷା(ମାଟ୍ରିକ୍) କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷଠାରୁ ଏହି ବ୍ୟବସ୍ଥାରେ ଉଭୟ ହାଇସ୍କୁଲ ଓ ମଧ୍ୟମା ପରୀକ୍ଷା ପରିଚାଳିତ ହେବ। କିନ୍ତୁ ପୂର୍ବ ପ୍ରଚଳିତ ବ‌ର୍ଷକୁ ୪ଟି ଇଣ୍ଟରନାଲ୍ ଆସେସ୍‌ମେଣ୍ଟ(ଏଫ୍‌ଏ-୧, ଏଫ୍‌ଏ-୨, ଏଫ୍‌ଏ-୩, ଏଫ୍‌ଏ-୪) ଓ ଆସ୍ପିରେସନାଲ୍‌ କମ୍ପୋନେଣ୍ଟ ମିଶିକରି କରାଯିବ। ବ‌ର୍ଷ ଶେଷ ମାଟ୍ରିକ୍ ପରୀକ୍ଷା ୧୦୦ ନମ୍ବର ବିଶିଷ୍ଟ କରାଯିବ। ଇଣ୍ଟରନାଲ ଆସେସ୍‌ମେଣ୍ଟ୍‌ରୁ ୨୦ପ୍ରତିଶତ ଓ ବର୍ଷ ଶେଷ(ମାଟ୍ରିକ୍ ପରୀକ୍ଷା)ରୁ ୮୦ ପ୍ରତିଶତ ‌‌ୱେ‌ଟେଜ୍ ଆଧାରରେ ପିଲାମାନେ ନମ୍ବର ପାଇବେ।

ସେହିପରି ନବମ ଶ୍ରେଣୀରେ ଏସ୍ଏ-୧ ଓ ଏସ୍ଏ-୨ ପରୀକ୍ଷା କରାଯିବ ନାହିଁ କିମ୍ବା ନବମ ଶ୍ରେଣୀର କୌଣସି ପରୀକ୍ଷା ବୋର୍ଡ କରିବ ନାହିଁ। ନବମ ଶ୍ରେଣୀର ଉଭୟ ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷାକୁ ସ୍କୁଲ ପରିଚାଳନା କରିବ। କିନ୍ତୁ ନବମ ‌ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ବିଦ୍ୟାଳୟମାନଙ୍କୁ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ। ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ବିଦ୍ୟାଳୟ ଦ୍ବାରା ପରିଚାଳିତ ହେବ ଓ ଏଥି ପାଇଁ ବୋର୍ଡ, ଜିଲ୍ଲାଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯିବ। ଚଳିତ ବର୍ଷଠାରୁ ସପ୍ଲିମେଣ୍ଟାରି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ହାଜରା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି ଯେ, ବର୍ଷ ଶେଷ ମାଟ୍ରିକ୍ ପରୀକ୍ଷା ୧୦୦ ନମ୍ବର ବିଶି‌ଷ୍ଟ ‌ହେବ।

ଏଥିରେ ୫୦ନମ୍ବର ସବ୍‌ଜେକ୍ଟିଭ୍ ଓ ୫୦ ନମ୍ବର ଅବ୍‌ଜେକ୍ଟିଭ୍ ପରୀକ୍ଷା ହେବ। ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ୱେଟେଜ୍ ଓ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ(୪ଟି ଏଫ୍‌ଏ)ରୁ ୨୦ ପ୍ରତିଶତ ୱେଟେଜ୍ ଦିଆଯାଇ ପରୀକ୍ଷାଫଳ ପ୍ରକାଶ କରାଯିବ।

ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୩ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ‌ଏହା ସହିତ ଚଳିତ ବର୍ଷ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଦ୍ବିତୀୟ) ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୨୬ ତାରିଖରୁ ଜୁନ୍‌ ୧ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ କରାଯିବ। ଫେଲ୍‌ ହୋଇଥିବା, ଏମ୍‌ପି ହୋଇଥିବା ତଥା ଏସ୍‌ଏ-୧ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଆସନ୍ତା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ସପ୍ଲିମେଣ୍ଟାରୀ ପରୀକ୍ଷାର ପ୍ରତି ବିଷୟରେ ୮୦ ନମ୍ବର ପରୀକ୍ଷା ହେବ ଓ ଏହାକୁ ୧୦୦କୁ ରୂପାନ୍ତର କରାଯାଇ ଛାତ୍ରଛାତ୍ରୀଙ୍କୁ ନମ୍ବର ମିଳିବ। ସପ୍ଲିମେଣ୍ଟାରି ପରୀକ୍ଷାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଚଳିତ ଶିକ୍ଷାବର୍ଷରେ କଲେଜରେ ନାମ‌ ଲେଖାଇବାର ସୁ‌ଯୋଗ ପାଇବେ ବୋଲି ଉପସଭାପତି ଡକ୍ଟର ମହାନ୍ତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.