Medicine Shop: କିଏ ରୋକିବ ଔଷଧ ଦୋକାନୀଙ୍କ ମନମାନି? ଦୁଇ ବର୍ଷରେ କେବଳ ୬ ଲାଇସେନ୍ସ ସସ୍ପେଣ୍ଡ୍
ରାଉରକେଲା ଡିଆଇ ସର୍କଲ୍ରେ ମୋଟ୍ ୨୬୬ ଥର ଯାଞ୍ଚ କରାଯାଇଥିବାବେଳେ ୧୦୩ଟି ନମୁନା ସଂଗ୍ରହ, ୧୪ ଜଣ ଦୋକାନିଙ୍କୁ କାରଣ ଦର୍ଶାଅ ନୋଟିସ, ୨ ଜଣଙ୍କ ଡିଏଲ୍ ନିଲମ୍ବନ ଓ ୩ ଟି ଦୋକାନରୁ ଅବୈଧ ଔଷଧ ଜବତ କରାଯାଇଥିଲା।

ରାଉରକେଲା: ଔଷଧ ଦୋକାନ ପାଇଁ ସରକାରଙ୍କ ଦ୍ବାରା କଡ଼ା ନିୟମ କରାଯାଇଛି। ବିଶେଷକରି ଔଷଧ ବିକ୍ରୟ ଓ ବଣ୍ଟନ ତଦାରଖ କରିବାକୁ ଫାର୍ମାସିଷ୍ଟ୍ ନିଯୁକ୍ତି, ଔଷଧ ଦେବା ପୂର୍ବରୁ ପ୍ରେସ୍କ୍ରିପ୍ସନ ବାଧ୍ୟତାମୂଳକ, ରେକର୍ଡ୍ ରଖିବା ଆଦି ନିୟମର କଡ଼ା ପାଳନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିନ୍ତୁ ଏସବୁ ନିୟମର ଖୋଲା ଉଲ୍ଲଂଘନ କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ ଔଷଧ ଦୋକାନୀ। ତେବେ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉନାହାନ୍ତି। ଗତ ଦୁଇ ବର୍ଷରେ ଭେଷଜ ନିରୀକ୍ଷକ (ଡ୍ରଗ୍ସ ଇନ୍ସପେକ୍ଟର)ଙ୍କ ଦ୍ବାରା କରାଯାଇଥିବା ଯାଞ୍ଚ୍, ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିସଂଖ୍ୟାନକୁ ଦେଖିଲେ, ଏହା ସ୍ପଷ୍ଟ ହୁଏ।
ଜିଲ୍ଲାରେ ପ୍ରାୟ ୨୫୦୦ରୁ ୨୮୦୦ ଔଷଧ ଦୋକାନ ରହିଛି। ଏସବୁର ତଦାରଖ ପାଇଁ ଜଣେ ଆସିଷ୍ଟାଣ୍ଟ୍ ଡ୍ରଗ୍ କଣ୍ଟ୍ରୋଲର୍ ଥିବାବେଳେ ସୁନ୍ଦରଗଡ଼ ଓ ରାଉରକେଲା ଡିଆଇ ସର୍କଲ୍ ପାଇଁ ଜଣେ ଲେଖାଏ ଡ୍ରଗ୍ ଇନ୍ସପେକ୍ଟର ନିୟୋଜିତ। ଜିଲ୍ଲାରେ ଥିବା ମୋଟ୍ ଦୋକାନ ମଧ୍ୟରୁ ପାଖାପାଖି ୭୦% ଦୋକାନ ରାଉରକେଲା ସହରାଞ୍ଚଳରେ ଓ ଅବଶିଷ୍ଟ ଦୋକାନ ଜିଲ୍ଲା ମୁଖ୍ୟାଳୟ, ବ୍ଲକ ଅଞ୍ଚଳରେ ଅବସ୍ଥିତ। ବିଭାଗ ପକ୍ଷରୁ ଗତ ଦୁଇ ବର୍ଷ ଭିତରେ, ଅର୍ଥାତ୍ ୨୦୨୪-୨୫ ଓ ୨୦୨୫-୧୬ ଆର୍ଥିକ ବର୍ଷରେ କେବଳ ୫୦୫ ଥର ଯାଞ୍ଚ କରାଯାଇଥିଲା। ଯାଞ୍ଚବେଳେ ଔଷଧର ମାନ ନେଇ ସନ୍ଦେହ ପ୍ରକାଶ ପାଇବାରୁ ୨୧୫ଟି ନମୁନା ସଂଗୃହୀତ ହୋଇଥିଲା। ତେବେ କେବଳ ୬୪ ଜଣ ଉଲ୍ଲଂଘନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା।
ବିଡ଼ମ୍ବନା, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ବିଭାଗୀୟ କର୍ତ୍ତୃପକ୍ଷ କୋହଳ ନୀତି ଆପଣେଇଥିଲେ। ଆଲୋଚ୍ୟ ଅବଧିରେ, କେବଳ ୯ ଜଣଙ୍କ ଡ୍ରଗ୍ ଲାଇସେନ୍ସ ନିଲମ୍ବନ/ବାତିଲ କରାଯାଇଥିବାବେଳେ ୬ଟି ଦୋକାନରୁ ଅବୈଧ ଔଷଧ ଜବତ କରାଯାଇଥିଲା। ଏଥିମଧ୍ୟରୁ ରାଉରକେଲା ଡିଆଇ ସର୍କଲ୍ରେ ମୋଟ୍ ୨୬୬ ଥର ଯାଞ୍ଚ କରାଯାଇଥିବାବେଳେ ୧୦୩ଟି ନମୁନା ସଂଗ୍ରହ, ୧୪ ଜଣ ଦୋକାନିଙ୍କୁ କାରଣ ଦର୍ଶାଅ ନୋଟିସ, ୨ ଜଣଙ୍କ ଡିଏଲ୍ ନିଲମ୍ବନ ଓ ୩ ଟି ଦୋକାନରୁ ଅବୈଧ ଔଷଧ ଜବତ କରାଯାଇଥିଲା।
ସେହିଭଳି ସୁନ୍ଦରଗଡ଼ ସର୍କଲ୍ରେ ୨୩୯ ଥର ଅତର୍କିତ ଯାଞ୍ଚ କରାଯାଇଥିବାବେଳେ ୧୧୨ଟି ନମୁନା ସଂଗ୍ରହ, ୫୦ ଜଣଙ୍କୁ ନୋଟିସ୍, ୭ ଜଣଙ୍କ ଡିଏଲ୍ ନିଲମ୍ବନ ଓ ୬ଟି ଦୋକାନରୁ ଭେଜାଲ୍ ଔଷଧ ଜବତ ହୋଇଥିଲା। ପ୍ରକାଶଥାଉକି, ନିୟମିତ ଯାଞ୍ଚ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଦୋକାନୀ ନିୟମ ମାନୁନାହାନ୍ତି। ମନମର୍ଜି ବିନା ପ୍ରେସ୍କ୍ରିପ୍ସନରେ ଔଷଧ ବିକ୍ରି କରିବାସହ ବିଭିନ୍ନ ମେଡିକାଲ୍ ଷ୍ଟୋର୍ରେ ବେଆଇନଭାବେ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯିବା, ପଞ୍ଜିକୃତ ଫାର୍ମାସିଷ୍ଟଙ୍କ ଅନୁପସ୍ଥିତି, ନିମ୍ନମାନ ତଥା ମିଆଦ ଶେଷ ହୋଇଥିବା ଔଷଧ ବିକ୍ରି, ଗ୍ରାହକଙ୍କୁ ବିଲ୍ ପ୍ରଦାନ କରାନଯିବା ଆଦି ପରିଲକ୍ଷିତ ହେଉଛି।
ସୌଜନ୍ୟ ସମ୍ବାଦ




