Breaking News

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ: ୨୦୨୩ ଶେଷ ସୁଦ୍ଧା ଆରମ୍ଭ ହେବ ନିର୍ମାଣ କାମ

0

ଭୁବନେଶ୍ଵର: ଭୁବନେଶ୍ଵରରେ ୨୦୨୩ ମସିହା ଶେଷ ସୁଦ୍ଧା ମେଟ୍ରୋ ନିର୍ମାଣ କାମ ଆରମ୍ଭ ହେବ। ଏହି ମେଟ୍ରୋ ଚଳାଚଳ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ସହାୟତାରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରାଯାଉଛି। ଏନେଇ  ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ସୂଚନା ଦେଇଛନ୍ତି।

“ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ଭେ ହୋଇଥିଲା। ଏଥିପାଇଁ ଡିଏମଆରସିର ସହାୟତା ନିଆଯାଇଥିଲା। ମେଟ୍ରୋ ପାଇଁ ପ୍ରସ୍ତୁତ ହେଉଥିବା ଡିପିଆରକୁ ଅନୁମୋଦନ ମିଳିଲାପରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ଡାକଯିବ। ଯୋଜନା ଅନୁସାରେ ସବୁ କାମ ଠିକରେ ହେଲେ ଡିସେମ୍ବର ମାସ ଶେଷ ସୁଦ୍ଧା ମେଟ୍ରୋ ନିର୍ମାଣ କାମ ଆରମ୍ଭ ହେବ”, କହିଛନ୍ତି ଉଷା ଦେବୀ।

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ତ୍ରିଶୁଳିଆ ଦେଇ କଟକକୁ ଟ୍ରେନ ଚାଲିବ। ଏହା ମାଷ୍ଟରକ୍ୟାଣ୍ଟିନ, ବାଣୀ ବିହାର, ଜୟଦେବ ବିହାର ଓ ନନ୍ଦନକାନନ ଦେଇ ଯିବ। ଭୁବନେଶ୍ଵର ଓ କଟକ ମଧ୍ୟରେ ବଢ଼ୁଥିବା ଯାତ୍ରୀଙ୍କ ସଂଖ୍ୟା ଓ ଏଥିରୁ ହେଉଥିବା ଟ୍ରାଫିକ ସମସ୍ୟାକୁ କମ୍ କରିବା ପାଇଁ ରାଜ୍ୟ ସରକାର ଏହି ମେଟ୍ରୋ ପ୍ରକଳ୍ପର ଯୋଜନା କରିଛନ୍ତି।

“ଭୁବନେଶ୍ଵର ମେଟ୍ରୋ ପାଇଁ ଡିପିଆର ପ୍ରସ୍ତୁତି କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କେଉଁ କେଉଁ ଅଞ୍ଚଳ ଦେଇ ମେଟ୍ରୋ ଚାଲିବ ସେଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯାଇଛି। ଏବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର ଓ କଟକ ମଧ୍ୟରେ ଏହି ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ରହିଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ଖୋର୍ଦ୍ଧା ଓ ପୁରୀ ଯାଏଁ ସମ୍ପ୍ରସାରଣ କରାଯିବ”, କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାତନନ।

ଭୁବନେଶ୍ଵର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ରାଜ୍ୟ ସରକାର ଏପ୍ରିଲ ୧ ତାରିଖ ଦିନ ଅନୁମୋଦନ କରିଥିଲେ। ଅନୁମୋଦନ ମିଳିବା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏହାର ସର୍ଭେ କରଯାଇଥିଲା।

Leave A Reply

Your email address will not be published.