ଦେଶ ବିଦେଶ

Middle East War: ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ପ୍ରତିଶୋଧ ନେଲା ଇରାନ, ଇସ୍ରାଏଲର ୨ ସହରରେ ଧ୍ବଂସଲୀଳା

ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆଜି ଭୟଙ୍କର ରୂପ ଧାରଣ କରିଛି। ହର୍ମୁଜ ପ୍ରଣାଳୀ ଖାଲି କରିବା ପାଇଁ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଚରମବାଣୀ ପରେ ଉଭୟ ଇରାନ ଓ ଇସ୍ରାଏଲ....

ତେହେରାନ/ତେଲ୍‌ ଅଭିଭ୍‌: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆଜି ଭୟଙ୍କର ରୂପ ଧାରଣ କରିଛି।  ହର୍ମୁଜ ପ୍ରଣାଳୀ ଖାଲି କରିବା ପାଇଁ ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଚରମବାଣୀ ପରେ ଉଭୟ ଇରାନ ଓ ଇସ୍ରାଏଲ ପରସ୍ପର ଉପରେ ଭୀଷଣ ଆକ୍ରମଣ କରିଛନ୍ତି। ଇରାନର ନାଟାଞ୍ଜ ପରମାଣୁ ସମୃଦ୍ଧୀକରଣ ସ୍ଥଳରେ ହୋଇଥିବା ପୂର୍ବ ଆକ୍ରମଣର ପ୍ରତିଶୋଧ ନେଇ ଇରାନ ଶନିବାର ରାତିରେ ଇସ୍ରାଏଲର ଦକ୍ଷିଣ ଭାଗରେ ଥିବା ଡିମୋନା ଓ ଆରାଡ଼ ସହରକୁ ବାଲିଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ କରିଛି। ଏହି ଆକ୍ରମଣରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି
ଏବଂ ସେମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାର ଜବାବରେ ଇସ୍ରାଏଲ ମଧ୍ୟ ତେହେରାନକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ମାଡ଼ ଓ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣ ଚଳିତ ଯୁଦ୍ଧର ଚତୁର୍ଥ ସପ୍ତାହରେ ସାଂଘାତିକ  ଉତ୍ତେଜନା ସୃଷ୍ଟି କରିଛି।   ଇରାନୀ ମିସାଇଲଗୁଡ଼ିକ ଇସ୍ରାଏଲର ବହୁସ୍ତରୀୟ ବାୟୁରକ୍ଷା ବ୍ୟବସ୍ଥା ( ଆଇରନ ଡୋମ୍‌, ଡେଭିଡ୍ସ ସ୍ଲିଙ୍ଗ ଓ ଆରୋ)କୁ ଭେଦ କରି ପ୍ରଥମ ଥର ପାଇଁ ଏକ ପରମାଣୁ କେନ୍ଦ୍ର ଓ ଅନେକ ପ୍ରତିଷ୍ଠାନକୁ ସିଧାସଳଖ ଆଘାତ କରିଛି। ଏଥିରେ ଅନେକ କୋଠା ଧ୍ବଂସ ହୋଇଯାଇଛି। ତେବେ ପରମାଣୁ ରିଆକ୍ଟରରେ କୌଣସି ସିଧାସଳଖ ଆଘାତ କିମ୍ବା କ୍ଷତି ହୋଇନାହିଁ, ଏବଂ କୌଣସି ପରମାଣୁ ବିକିରଣ ହୋଇନାହିଁ।

ଆମେରିକା ରାଷ୍ଟ୍ରପତି  ଟ୍ରମ୍ପ ଏକ ୪୮ ଘଣ୍ଟିଆ ଚରମବାଣୀ ଜାରି କରି ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ଖୋଲିବା ପାଇଁ ଇରାନକୁ ଚେତାବନୀ ଦେବା ସହ  ଇରାନର ସବୁଠାରୁ ବଡ଼ ପାୱାର ପ୍ଲାଣ୍ଟଗୁଡ଼ିକୁ ଧ୍ୱଂସ କରିଦିଆଯିବ ବୋଲି  ଧମକ ଦେବା ପରେ ଉତ୍ତେଜନା ବଢ଼ିଯାଇଥିଲା। ଏହାକୁ ଇରାନ  ନିଜର ଅସ୍ତିତ୍ବର ଲଢ଼େଇ ଭାବେ ଗ୍ରହଣ କରି କହିଛି ଯେ, ଯଦି ସେମାନଙ୍କ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ହୁଏ, ତେବେ ସେମାନେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ଏବଂ ଇସ୍ରାଏଲ ସହ ଜଡ଼ିତ ସମସ୍ତ ଶକ୍ତି ସ୍ଥଳ, ଜଳ ବିଶୋଧନ ପ୍ରକଳ୍ପ ଏବଂ ଆଇଟି ଭିତ୍ତିଭୂମିକୁ ଟାର୍ଗେଟ କରିବେ।

ଇରାନରେ ଇସ୍ରାଏଲ ଆକ୍ରମଣ ଆଜି ସକାଳୁ ଭୀଷଣ ରୂପ ନେଇଛି ଏବଂ ଯୁଦ୍ଧର ଚତୁର୍ଥ ସପ୍ତାହରେ କେବଳ ତେହେରାନରେ ମୃତ୍ୟୁସଂଖ୍ୟା ୧୫ ଶହ ଅତିକ୍ରମ କରିଛି। ଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନ ଆଜି ବ୍ରିକ୍ସ  ମେଣ୍ଟର ସହାୟତା ଲୋଡ଼ିଛନ୍ତି। ବର୍ତ୍ତମାନ ଭାରତ ଏହି ସଂଗଠନର ଅଧ୍ୟକ୍ଷତା କରୁଥିବାରୁ, ଭାରତ ଏବେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।  ଅନ୍ୟପକ୍ଷରେ ଇରାନ ଏବେ  ସାଉଦି ଆରବ ଏବଂ ଅନ୍ୟାନ୍ୟ ପଡ଼ୋଶୀ ଦେଶକୁ ଟାର୍ଗେଟ୍‌ କରି ଆକ୍ରମଣ ଜାରି ରଖିଥିବାରୁ ଉପସାଗରୀୟ ରାଷ୍ଟ୍ରମାନଙ୍କରେ ହାହାକାର ସୃଷ୍ଟି ହୋଇଛି। ସାଉଦି ଆରବ କର୍ତ୍ତୃପକ୍ଷ ଆଜି ପ୍ରାୟ ୬୦ଟି ଇରାନୀ ଡ୍ରୋନକୁ ଅଟକାଇଥିବା ସୂଚନା ଦେଇଛନ୍ତି, ଯାହା ମଧ୍ୟରୁ ଅଧିକାଂଶ ଦେଶର ତୈଳ ସମ୍ପଦରେ ସମୃଦ୍ଧ ପୂର୍ବାଞ୍ଚଳକୁ ଟାର୍ଗେଟ କରିଥିଲା।

ଏଥିସହିତ ରିୟାଦ ଅଞ୍ଚଳକୁ ୩ଟି ବାଲିଷ୍ଟିକ୍ ମିସାଇଲ୍ ମଧ୍ୟ ମାଡ଼ କରାଯାଇଥିଲା।  ବାହାରିନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଇରାନ ପକ୍ଷରୁ ମିସାଇଲ ମାଡ଼ କରାଯାଇଛି, ଯେଉଁଠାରେ ବାହାରିନ ସେନା ୧୪୩ଟି ମିସାଇଲ ଏବଂ ୨୪୨ଟି ଡ୍ରୋନକୁ ଖସାଇ ଦେଇଥିବା ଦାବି କରିଛି।  ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ  ଆଜି କହିଛନ୍ତି, ଇରାନ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ବିପଜ୍ଜନକ ଅସ୍ତ୍ର ବ୍ୟବହାର କରୁଛି। ସେ ଚେତାବନୀ ଦେଇଛନ୍ତି ଯେ ଆସନ୍ତା ସପ୍ତାହରୁ ଆକ୍ରମଣର ମାତ୍ରା ଆହୁରି ବୃଦ୍ଧି ପାଇବ।

ଉଚ୍ଚସ୍ତରୀୟ ବୈଠକ କଲେ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତି ଭାରତ ପାଇଁ ଚିନ୍ତାର କାରଣ ସାଜିଛି। ଏହି ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱସ୍ତରୀୟ ଅସ୍ଥିରତା ମଧ୍ୟରେ ଦେଶର ଶକ୍ତି  ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶେଷ କରି ପେଟ୍ରୋଲିୟମ୍, ଅଶୋଧିତ ତେଲ, ପ୍ରାକୃତିକ ଗ୍ୟାସ୍, ବିଦ୍ୟୁତ୍ ଓ ସାର ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଯେପରି ଦେଶରେ ଜରୁରୀ ପଦାର୍ଥର ଅଭାବ ନହୁଏ ଏବଂ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ବାହାରକୁ ନଯାଏ, ସେଥିପାଇଁ ପ୍ରଧାନମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସମୁଦ୍ର ପଥରେ ଆସୁଥିବା ତେଲ ଓ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କେନ୍ଦ୍ର କ୍ୟାବିନେଟ୍‌ର ପ୍ରାୟ ସମସ୍ତ ପ୍ରମୁଖ ମନ୍ତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର, ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ, କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ, ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ପ୍ରମୁଖ ସାମିଲ ଥିଲେ।

ସୂଚନାଯୋଗ୍ୟ, ପଶ୍ଚିମ ଏସିଆରୁ ଭାରତ ବହୁ ପରିମାଣରେ ଅଶୋଧିତ ତେଲ ଆମଦାନି କରିଥାଏ। ଯଦି ଯୁଦ୍ଧ ଲମ୍ବା ସମୟ ଧରି ଚାଲେ, ତେବେ ପରିବହନ ଖର୍ଚ୍ଚ ବଢ଼ିବା ସହ ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ଅାଶଙ୍କା ରହିଛି। ଏଥିସହ ସାର ଯୋଗାଣ ପ୍ରଭାବିତ ହେଲେ ଚାଷ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ। ସେଥିପାଇଁ ସରକାର ଆଗୁଆ ପ୍ରସ୍ତୁତି ସ୍ୱରୂପ ଏହି ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button