ତୁମୁଡ଼ିବନ୍ଧ: କନ୍ଧମାଳଜିଲ୍ଲା ବେଲଘର ଥାନା ଅଞ୍ଚଳର ଜଣେ ନାବାଳିକା(୧୪)ଙ୍କୁ ଅପହରଣ କରିନେଇ ଜଙ୍ଗଲରେ ହାତଗୋଡ଼ ବାନ୍ଧି ଛାଡ଼ିବା ଓ ନାବାଳିକା ଜଣକ କୌଣସି ମତେ ଜୀବନ ବଞ୍ଚାଇ ସେଠାରୁ ଫେରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ପରିବାରବର୍ଗ ବେଲଘର ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୦ରେ ରୁଜୁ ହୋଇଛି। ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।
ନାବାଳିକା ଗତକାଲି ସକାଳେ ଏକୁଟିଆ ଗାଧୋଇବାକୁ ନଦୀକୁ ଯାଇଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ସେଠାରୁ ଉଠାଇ ଏକ ଘଞ୍ଚ ଜଙ୍ଗଲକୁ ନେଇଯାଇଥିଲେ। ନାବାଳିକାଙ୍କ ପୋଷାକ ଚିରିଦେବା ସହ ଭିଡିଓ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ। ତାଙ୍କୁ ନିସ୍ତୁକ ମାଡ଼ ମାରି ପାଟିରେ କପଡ଼ା ଦେଇ ହାତଗୋଡ଼ ବାନ୍ଧି ଜଙ୍ଗଲରେ ଛାଡ଼ି ପଳାଇଥିଲେ। ହିଂସ୍ରଜନ୍ତୁଙ୍କ ଭୟ ଭିତରେ ଓ ଶୀତ କାକରରେ ନାବାଳିକା ଜଣକ
ଜଙ୍ଗଲରେ ରାତି କାଟିବା ସହ ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ। ଶେଷରେ ଆଜି ସକାଳେ ସେ ଘରକୁ ଫେରି ସବୁ ଜଣାଇବା ପରେ ପରିବାରବର୍ଗ ଥାନାରେ ଏତଲା ଦେଇଛନ୍ତି।
ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲେ ହେଁ ଏଯାବତ୍ କିଛି ସ୍ପଷ୍ଟ ହୋଇପାରିନି। ଏନେଇ ତନାଘନା ଜାରି ରହିଥିବା ସୂଚନା ମିଳିଛି।
ସୌଜନ୍ୟ ସମ୍ବାଦ