Minor Girl Raped: ସଂପର୍କ ଭୁଲିଗଲା ସଂପର୍କୀୟ ମାମୁ, ନାବାଳିକା ଭାଣିଜୀକୁ କଲା ଦୁଷ୍କର୍ମ!
ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି, ଯାହା ମାମୁ-ଭାଣିଜୀ ସଂପର୍କରେ କଳା ଦାଗ ଲଗାଇଛି। ୬ ବର୍ଷ ବୟସର ଶିଶୁକନ୍ୟାକୁ ନାବାଳକ ମାମୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି।
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ସମୟର ପରିଭାଷା ବଦଳିଛି। ଜୀବଜଗତର ଶ୍ରେଷ୍ଠ ପ୍ରାଣୀ କୁହାଯାଉଥିବା ମନୁଷ୍ୟ ପାଖରେ ମାନବିକତା ହଜି ଯାଇଛି। ସଂପର୍କର ମୂଲ୍ୟ ବୋଧେ କିଛି ନଥିଲା ଭଳି ହେଉଛି। ପ୍ରତିଦିନ ଅନେକ ଅଭାବନୀୟ ଘଟଣା ଘଟୁଛି, ଯାହା ଆମକୁ ବିଚଳିତ କରିପକାଉଛି। ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି, ଯାହା ମାମୁ-ଭାଣିଜୀ ସଂପର୍କରେ କଳା ଦାଗ ଲଗାଇଛି। ୬ ବର୍ଷ ବୟସର ଶିଶୁକନ୍ୟାକୁ ନାବାଳକ ମାମୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେଉଛି।
ଅଭିଯୋଗ ଅନୁଯାୟୀ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାସୀଙ୍ଗି ଅଞ୍ଚଳରେ ଆଜି ଅପରାହ୍ନରେ ଜଣେ ୧୫ ବର୍ଷ ବୟସର ନାବାଳକ ୬ ବର୍ଷର ଶିଶୁକନ୍ୟାକୁ ଚକଲେଟ୍ ଦେବାର ପ୍ରଲୋଭନ ଦେଖାଇ ଥିଲା। ନିଷ୍ପାପ ଶିଶୁକନ୍ୟାଟି ନାବାଳକର କଥାକୁ ବିଶ୍ବାସ କରି ପଛେପଛେ ଯାଇଥିଲା। ତେବେ ଶିଶୁକନ୍ୟାକୁ ଏକ ବୁଦାମୂଳରେ ନାବାଳକ ଦୁଷ୍କର୍ମ କରିଥିଲା। ପୀଡ଼ିତା ନାବାଳିକା ଦୁଷ୍କର୍ମକାରୀ ନାବାଳକର ସମ୍ପର୍କୀୟ ମାମୁ ବୋଲି ସୂଚନା ମିଳିଛି।
ଘଟଣାର ତଦନ୍ତ ଜାରି
ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଏନେଇ ସନ୍ଧ୍ୟାରେ ବହଳଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ନାବାଳକକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ପୀଡ଼ିତାକୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଏନେଇ ପୁଲିସ ଏକ ମାମଲା ରୁଜୁ ହୋଇଥିବା ନେଇ ଜଣାଇଛନ୍ତି ଥାନା ଅଧିକାରୀ ଭାସ୍କର ପ୍ରଧାନ। ଆସନ୍ତାକାଲି ଅଭିଯୁକ୍ତ ନାବାଳକକୁ କିଶୋର ନ୍ୟାୟ ବୋର୍ଡକୁ ପଠାଯିବ ବୋଲି ତଦନ୍ତକାରୀ ଅଫିସର ଅନନ୍ତ ଦାସ ସୂଚନା ପ୍ରଦାନ କରିଛନ୍ତି।
ଦୁଷ୍କର୍ମ ପରେ ଯୁବତୀଙ୍କୁ ଫିଙ୍ଗି ଦେଇଥିଲେ
ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜିଲ୍ଲାର ରାସଗବିନ୍ଦପୁର ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫିଙ୍ଗି ଦେଇ ଦୁବୃର୍ତ୍ତମାନେ ପଳାଇଥିଲେ। ଏହି ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୌଜନ୍ୟ – ସମ୍ବାଦ



