Misleading news: ‘ବିଭ୍ରାନ୍ତିକର ଖବର ସମାଜର ଶତ୍ରୁ’
ବିଭ୍ରାନ୍ତିକର ତଥ୍ୟ ବା ଖବର ସବୁବେଳେ ସମାଜର ଶତ୍ରୁ। ତେଣୁ ଖବର ପରିବେଷଣ ସମୟରେ ଗଣମାଧ୍ୟମ ସଂସ୍ଥା ଓ ଏହାର ପ୍ରତିନିଧିମାନେ ସତର୍କ ଓ ସଚେତନ ହେବା ଆବଶ୍ୟକ.........

ଭୁବନେଶ୍ୱର: ବିଭ୍ରାନ୍ତିକର ତଥ୍ୟ ବା ଖବର ସବୁବେଳେ ସମାଜର ଶତ୍ରୁ। ତେଣୁ ଖବର ପରିବେଷଣ ସମୟରେ ଗଣମାଧ୍ୟମ ସଂସ୍ଥା ଓ ଏହାର ପ୍ରତିନିଧିମାନେ ସତର୍କ ଓ ସଚେତନ ହେବା ଆବଶ୍ୟକ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗଣମାଧ୍ୟମ ପଥଭ୍ରଷ୍ଟ ହେଲେ ଗଣତନ୍ତ୍ର ସ୍ବତଃ ଦୁର୍ବଳ ହୋଇଯିବ। ଏଣୁ ସାମ୍ବାଦିକମାନେ ଏହାକୁ ହୃଦୟଙ୍ଗମ କରି ସତ୍ୟ ଖବର ପରିବେଷଣ କରିପାରିଲେ ହିଁ ଗଣତନ୍ତ୍ରର ଅବକ୍ଷୟକୁ ନିୟନ୍ତ୍ରଣ କରିପାରିବେ। କୌଣସି ଖବର ପରିବେଷଣ କରିବା ସମୟରେ ତାହାର ସତ୍ୟତା ଉପରେ ଧ୍ୟାନଦେବା ଜରୁରି ବୋଲି ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ନାଲିଷ୍ଟସ୍(ଏସ୍ୟୁଜେ) ଓଡ଼ିଶାର ଷଷ୍ଠ ବାର୍ଷିକ ଉତ୍ସବର ମୁଖ୍ୟଅତିଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ସାମ୍ବାଦିକ ଶିଶିର ଭଟ୍ଟମିଶ୍ର କହିଥିଲେ ଯେ ସାମ୍ବାଦିକମାନେ ସାଧାରଣ ଲୋକଙ୍କ ସ୍ୱର ହେବା ଉଚିତ। ସମ୍ମାନିତ ଅତିଥି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଲେ ଯେ ସତ ଖବର ହିଁ ରାଜ୍ୟ ଓ ରାଷ୍ଟ୍ରର ପ୍ରଗତିରେ ସହାୟ ହୋଇଥାଏ। ଅନ୍ୟତମ ଅତିଥି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ମୁଖ୍ୟ ମାତୃପ୍ରସାଦ ମିଶ୍ର, ବିଶିଷ୍ଟ ଚିକିତ୍ସକ ମାଧବ ନାୟକ, ଏନ୍ୟୁଜେର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଚିନ୍ତାମଣି ପାଢ଼ୀ, ଜାତୀୟ ସମ୍ପାଦକ ବବୁଲ ସିଂ ପ୍ରମୁଖ ସାମ୍ବାଦିକତା ଓ ଗଣତନ୍ତ୍ରର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ।
ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ଷଡ଼ଙ୍ଗୀ ଅତିଥି ପରିଚୟ ଦେଇଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏସ୍ୟୁଜେ ଉପସଭାପତି ବାସୁଦେବ ତ୍ରିପାଠୀ, ଉପସଭାପତି ରାଧାଶ୍ୟାମ ପ୍ରଧାନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରୟାଗରାଜ କର, ଦିଲୀପ କୁମାର ମିଶ୍ର, ଶଶାଙ୍କ ଶେଖର ଝାଙ୍କର, ସନ୍ତୋଷ ସ୍ୱାଇଁ, ରମେଶ ପ୍ରଧାନ, ଶିଶିର କୁମାର ଦାଶ, ନିବେଦିତା ସିଂ, ନଚିକେତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ଉପସଭାପତି ସମରେଶ ମିଶ୍ର ଧନ୍ୟବାଦ ଦେଇଥିଲେ।
ସୌଜନ୍ୟ ସମ୍ବାଦ



