
ଭୁବନେଶ୍ବର: ଶେଷ ଥର ପାଇଁ ୨୦୧୦ରେ ଟାଟା ଷ୍ଟିଲ୍ ଯାଜପୁରର କଳିଙ୍ଗନଗରଠାରେ ସ୍ଥାପନ କରିଥିଲା ବୃହତ୍ ଇସ୍ପାତ ପ୍ରକଳ୍ପ। ତା’ପରେ ଦେଶରେ ଆଜି ପର୍ଯ୍ୟନ୍ତ କୌଣସି ବଡ଼ ଇସ୍ପାତ ପ୍ରକଳ୍ପ ସ୍ଥାପନ ହୋଇନାହିଁ। ଦୀର୍ଘ ଦେଢ଼ ଦଶନ୍ଧି ପରେ ଭାରତ ଆଉ ଏକ ନୂଆ ଇସ୍ପାତ କାରଖାନା ଦେଖିବାକୁ ଯାଉଛି। ସେହି ଐତିହାସିକ ଘଟଣା ଓଡ଼ିଶାରେ ଘଟିବାର ଥିଲା। କିନ୍ତୁ, ଦୁଃଖର ବିଷୟ ହେଉଛି ଆନ୍ଧ୍ରପ୍ରଦେଶ ସେହି ଘଟଣାର ସାକ୍ଷୀ ହେବାକୁ ଯାଉଛି।
ଆସନ୍ତା ସପ୍ତାହରେ ଆନ୍ଧ୍ରରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ସେହି ସମାନ କମ୍ପାନି ପାଞ୍ଚ ବର୍ଷ ତଳୁ ଓଡ଼ିଶାରେ ପ୍ରକଳ୍ପ କରିବାକୁ ଘୋଷଣା କରିଥିଲା। କିନ୍ତୁ ଜମି ଅଧିଗ୍ରହଣ ସମସ୍ୟା ପାଇଁ ତାହା ଆନ୍ଧ୍ରରେ ପ୍ରକଳ୍ପ ସ୍ଥାପନ କରିବାକୁ ଉଚିତ୍ ମଣିଥିଲା। କମ୍ପାନିର ସେହି ରଣନୀତି ସଫଳ ମଧ୍ୟ ହୋଇଛି। ଘୋଷଣା ହେବାର ମାତ୍ର ୧୫ ମାସ ଭିତରେ ଆନ୍ଧ୍ର ପ୍ରକଳ୍ପର ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ପରିବେଶ ମଞ୍ଜୁରି ପର୍ଯ୍ୟନ୍ତ ସବୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଛି।
ଏହି ସଫଳତା ପଛରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ହାତ ରହିଛି। ଯେଉଁଭଳି ଦ୍ରୁତ ଗତିରେ ସେମାନେ କମ୍ପାନିକୁ ପ୍ରକଳ୍ପ ସ୍ଥାପନରେ ସହଯୋଗ କରିଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶସଂନୀୟ। କେବଳ ଆନ୍ଧ୍ର ସରକାର ନୁହେଁ, ଏଏମ୍ଏନ୍ଏସ୍ର ସିଇଓ ଦିଲ୍ଲୀପ ଓମେନ୍ ଓ ଅନ୍ୟ ଅଧିକାରୀମାନେ ଆନ୍ଧ୍ର ପ୍ରକଳ୍ପକୁ ନେଇ ଯେଉଁ ତତ୍ପରତା ଦେଖାଇଛନ୍ତି ତାହା ଓଡ଼ିଶା ପ୍ରକଳ୍ପ କ୍ଷେତ୍ରରେ ଦେଖିବାକୁ ମିଳୁନାହିଁ।
ପର୍ଯ୍ୟାପ୍ତ ଲୁହାପଥର ଭଣ୍ଡାର ଥିବାରୁ ଇସ୍ପାତ ଦୁନିଆର ବଡ଼ ନିବେଶ ନିବେଶକ ଓଡ଼ିଶାକୁ ଟାଣି ହୋଇଆସିବା ଏକ ସ୍ବାଭାବିକ କଥା। କିନ୍ତୁ ସେମାନଙ୍କୁ ଧରି ରଖିବାରେ ରାଜ୍ୟ ସରକାର ସଫଳ ହେଉନାହାନ୍ତି। ଅତୀତରେ ପୋସ୍କୋ, ମିତ୍ତଲ ଭଳି କମ୍ପାନି ବୃହତ୍ ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରି ପରବର୍ତ୍ତୀ ସମୟରେ ଓହରିଯାଇଥିଲା। କିଛି ବର୍ଷ ପରେ ମିତ୍ତଲ ମନ ବଦଳାଇ ପୁଣି ଓଡ଼ିଶା ଆସିଛି। କିନ୍ତୁ ସେହି ପ୍ରକଳ୍ପକୁ ଆବଶ୍ୟକ ସହଯୋଗ ମିଳିପାରୁନାହିଁ। ରାଜ୍ୟରେ ବଡ଼ ଶିଳ୍ପ ପ୍ରକଳ୍ପ ସ୍ଥାପନରେ ସବୁଠୁ ବଡ଼ ସମସ୍ୟା ହେଉଛି ଜମି ଅଧିଗ୍ରହଣ ଓ ସ୍ଥାନୀୟ ଲୋକଙ୍କ ପ୍ରତିବାଦ। ତାହାର ନିର୍ଦ୍ଦିଷ୍ଟ ସମାଧାନ ପନ୍ଥା ସରକାରଙ୍କୁ ଏପର୍ଯ୍ୟନ୍ତ ମିଳିପାରିନାହିଁ କହିଲେ ଭୁଲ ହେବନାହିଁ।
ପ୍ରକଳ୍ପର ତୁଳନାତ୍ମକ ଚିତ୍ର
ବିଷୟ ଓଡ଼ିଶା ଆନ୍ଧ୍ର
ପ୍ରସ୍ତାବିତ କ୍ଷମତା ୨୪ ନିୟୁତ ଟନ୍ ୨୪ ନିୟୁତ ଟଟ୍
ନିବେଶ ୧.୦୨ ଲକ୍ଷ କୋଟି ୧.୫ ଲକ୍ଷ କୋଟି
ସ୍ଥିତି ଅଟକିଛି ଦ୍ରୁତ ଗତିରେ ଆଗଉଛି
ପ୍ରକଳ୍ପ ଘୋଷଣା ୨୦୨୧ ୨୦୨୪
ନିବେଶକଙ୍କୁ କିଭଳି ଆକୃଷ୍ଟ କରାଯାଏ ତାହା ସାରା ଦୁନିଆକୁ ଆନ୍ଧ୍ର ସରକାର ଦେଖାଇଦେଇଛନ୍ତି। ଗୁଗଲ୍ର ବିଶାଳ ପ୍ରକଳ୍ପଠାରୁ ଆରମ୍ଭ କରି ମିତ୍ତଲର ଏହି ପ୍ରକଳ୍ପ ପର୍ଯ୍ୟନ୍ତ ସବୁଥିରେ ଆନ୍ଧ୍ର ସଫଳ ହୋଇଛି। ଏଏମ୍ଏନ୍ଏସ୍ ପ୍ରକଳ୍ପକୁ ଓଡ଼ିଶା ସରକାର ୨୦୨୧ରେ ମଞ୍ଜୁର କରିଥିଲେ। କିନ୍ତୁ ସେଥିରେ ବିଶେଷ ଅଗ୍ରଗତି ନ ହେବାରୁ କିଛି ମାସ ପରେ ଆନ୍ଧ୍ରର ଅନକାପାଲ୍ଲୀରେ ଏକ ୨୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ବିଶାଳ ପ୍ରକଳ୍ପ ସ୍ଥାପନ କରିବାକୁ କମ୍ପାନି ଘୋଷଣା କରିଥିଲା। ଘୋଷଣାର ମାତ୍ର ୧୫ ମାସରେ ସେହି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଆନ୍ଧ୍ରରେ ଦେଢ଼ ବର୍ଷରୁ କମ୍ ସମୟରେ ଏଏମ୍ଏନ୍ଏସ୍ ପ୍ରକଳ୍ପର ଜମି ଅଧିଗ୍ରହଣ ଓ ପରିବେଶ ମଞ୍ଜୁରି କାମ ଶେଷ ହୋଇଛି। ଓଡ଼ିଶା ପ୍ରକଳ୍ପର ଭାଗ୍ୟ ଏବେବି ଅଧାରେ ଲଟକିଛି।
ଏଏମ୍ଏନ୍ଏସ୍ ଯେତେବେଳେ ଆନ୍ଧ୍ର ପ୍ରକଳ୍ପ ଘୋଷଣା କଲା ତାହାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଓଡ଼ିଶା ପ୍ରକଳ୍ପ ଆନ୍ଧ୍ର ଚାଲିଗଲା ବୋଲି ବୁଦ୍ଧିଜୀବୀ ମହଲରେ ବ୍ୟାପକ ଆଲୋଚନା ହୋଇଥିଲା। ସେହି ଆଶଙ୍କାକୁ ଉଭୟ ରାଜ୍ୟ ସରକାର ଓ କମ୍ପାନି ଖଣ୍ଡନ କରିଥିଲେ। ଗତ ମାସରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ୍ରେ ଏଏମ୍ଏନ୍ଏସ୍ର ଇସ୍ପାତ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଉଦ୍ୟମକୁ ତ୍ବରାନ୍ବିତ କରିବା ସହ ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି। ଏହି ପ୍ରକଳ୍ପର ଜମି ଅଧିଗ୍ରହଣ, ଡିପିଆର୍ ପ୍ରସ୍ତୁତି, ବିଭିନ୍ନ ପ୍ରକାର ମଞ୍ଜୁରି ହାସଲ ପ୍ରକ୍ରିୟା ଜାରି ରହିଛି। ପ୍ରକଳ୍ପରେ କମ୍ପାନି ୧.୦୨ ଲକ୍ଷ କୋଟି ଟଙ୍କା ନିବେଶ କରିବା ପ୍ରସ୍ତାବ ରଖିଛି।
ସୌଜନ୍ୟ ସମ୍ବାଦ



