ଦେଶ ବିଦେଶ

Pankaj Chaudhary: ପଙ୍କଜ ଚୌଧୁରୀ ୟୁପି ବିଜେପି ସଭାପତି

ଆଜି ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ବିଜେପିର ଉତ୍ତରପ୍ରଦେଶ ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

ଲକ୍ଷ୍ନୌ: ଆଜି ଏକ ଗୁରୁତ୍ବପୂର୍ଣ୍ଣ ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ  ବିଜେପିର ଉତ୍ତରପ୍ରଦେଶ  ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଦଳୀୟ ମୁଖ୍ୟାଳୟରେ କର୍ମୀମାନଙ୍କ ବିପୁଳ ଉତ୍ସାହ ମଧ୍ୟରେ ଏହି ଘୋଷଣା କରିଛନ୍ତି।  ଗତକାଲି ନାମାଙ୍କନପତ୍ର ଦାଖଲ କରିବା ପରେ ଏକମାତ୍ର ପ୍ରାର୍ଥୀ ଥିବା ଚୌଧୁରୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ବର୍ତ୍ତମାନର ସଭାପତି ଭୂପେନ୍ଦ୍ର ଚୌଧୁରୀ ତାଙ୍କ ଉତ୍ତରାଧିକାରୀଙ୍କୁ ଆଜି ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ଏକ୍ସ’ରେ ପଙ୍କଜ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇ ତାଙ୍କୁ ‘ନିଷ୍ଠାବାନ ଓ ଅନୁଶାସିତ କର୍ମୀ’ ବୋଲି କହିଛନ୍ତି। ତାଙ୍କ ଅଭିଜ୍ଞତା ଉତ୍ତରପ୍ରଦେଶରେ ଦଳକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି।

ପଙ୍କଜ ଚୌଧୁରୀ କିଏ?
ପୂର୍ବ ଉତ୍ତରପ୍ରଦେଶର ମହାରାଜଗଞ୍ଜ ନିର୍ବାଚନମଣ୍ଡଳୀରୁ ୭ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା  ୬୧ ବର୍ଷୀୟ ଚୌଧୁରୀ ପ୍ରଭାବଶାଳୀ କୁର୍ମି ସମ୍ପ୍ରଦାୟ (ଓବିସି)ର। ସେ ୧୯୮୯ରେ ଗୋରଖପୁର ମହାନଗର ନିଗମର କାଉନ୍‌ସିଲର ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଏବଂ ଉପମେୟର ହୋଇଥିଲେ।  ୧୯୯୦ରେ ସେ  ବିଜେପିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଶୀର୍ଷ ନେତାମାନଙ୍କ ସହ ନିକଟ ସମ୍ପର୍କ ପାଇଁ ପରିଚିତ ଚୌଧୁରୀ ୨୦୨୧ରୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେ ଉତ୍ତରପ୍ରଦେଶ ବିଜେପିର ମୁଖ୍ୟ ହେବାରେ ଚତୁର୍ଥ କୁର୍ମି ନେତା।  ଏହି ନିଯୁକ୍ତିକୁ  ଅଣ ଯାଦବ ଓବିସି ଭୋଟ୍ ସୁଦୃଢ଼ କରିବାର ରଣନୈତିକ ପ୍ରୟାସ ଭାବେ ଦେଖାଯାଉଛି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button