Breaking News

ସବୁଜ ସଂକଳ୍ପର ବାର୍ତ୍ତା ସହ ସ୍କୁଲ ସହ ଯୋଡ଼ି ହେବେ ପୁରାତନ ଛାତ୍ରଛାତ୍ରୀ, ୧୦୯ କୋଟି ୪୩ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ

ମୋ ସ୍କୁଲ୍ ଅଭିଯାନ’ର ୪୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

  • ’ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ସ୍କୁଲରେ ହେବ ବୃକ୍ଷରୋପଣ
  • ଅଗଷ୍ଟ ୧୦ସୁଦ୍ଧା ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକଙ୍କ ତାଲିମ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ପୁରାତନ ଛାତ୍ରଛାତ୍ରୀଙ୍କ ସହାୟତାରେ ‘ମୋ ସ୍କୁଲଦ ଅଧିନରେ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବୃକ୍ଷରୋପଣ କରାଯିବ । ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟଳୟ, ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସବୁଜ ପରିବେଶ ଗଠନ ଲକ୍ଷ୍ୟରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ । ଏହି ବୃକ୍ଷରୋପଣର ପରବର୍ତ୍ତୀ ସୁରକ୍ଷା ଓ ରକ୍ଷଣାବେକ୍ଷଣ ପୁରାତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ଦାୟିତ୍ୱରେ ରହିବ । ଓଡିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ସହାୟତାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା ସହ ପରିବେଶ ସଚେତନତା ବୃଦ୍ଧି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଅଶ୍ୱଥି ଏସ.ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ମୋ ସ୍କୁଲ ଅଭିଯାନଦର ୪୧ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ମୋ ସ୍କୁଲ ଅଭିଯାନର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । ଏହାସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ପ୍ରଚଳନ ହେବାକୁ ଥିବା ‘ସ୍କୁଲକ୍ଲବ୍ଦର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟାଲୋଚନା ହୋଇଥିଲା । ଉଚ୍ଚ ବିଦ୍ୟାଳୟଗୁଡିକରେ ୪ଟି କ୍ଲବ ଆସନ୍ତା ଅଗଷ୍ଟ ମଧ୍ୟଭାଗ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ କ୍ଲବର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୦ତାରିଖ ମଧ୍ୟରେ ଶେଷ କରିବା ପାଇଁ ନଷ୍ପତ୍ତି ନିଆଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧିନରେ ସ୍କୁଲକ୍ଲବ୍ ପାଇଁ, ରାଜ୍ୟର ପ୍ରତ୍ୟେକ ବ୍ଲକ୍ରୁ ୪ଜଣ ଲେଖାଏଁ ଶିକ୍ଷକ ଅର୍ଥାତ୍ ମୋଟ୍ ୧୨୫୬ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ଏହାର ହିତାଧିକାରୀ ଓ ବିଭିନ୍ନ ଅନୁଷ୍ଠାନ ସହାୟତାରେ କ୍ରୀଡା ଆଧାରିତ କ୍ରୀଡାଙ୍ଗନ ସ୍କୁଲକ୍ଲବର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଶେଷ କରିଥିବାବେଳେ ପ୍ରଯୁକ୍ତିବିଦ୍ୟା ଆଧାରିତ କୌଶଳୀ କ୍ଲବର ଶିକ୍ଷକ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୩ତାରିଖଠାରୁ ଆରମ୍ଭ ହେବା ପାଇଁ କାର୍ଯ୍ୟପନ୍ଥା ସ୍ଥିର ହୋଇଛି । ଏହା ବ୍ୟତୀତ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରଦ ସମ୍ବନ୍ଧୀୟ ବିଭିନ୍ନ ଆର୍ଥକ ଓ ପ୍ରଶାସନିକ ନିଷ୍ପତ୍ତି ଏହି ବୈଠକରେ ଗ୍ରହଣ
କରାଯାଇଛି ।

ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଓଡ଼ିଶାର ୩୦ଟି ଜିଲ୍ଲାର ମୋଟ ୧୦୯କୋଟି ୪୩ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ଏକ ମାସ ମଧ୍ୟରେ ୭,୯୪୨ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ିହୋଇଛନ୍ତି । ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୩୭ କୋଟି ୩୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ୩୧କୋଟି ୫୦ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୦୯ କୋଟି ୪୩ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବର୍ତ୍ତମାନ ସୁଦ୍ଧା ମୋଟ ୭ ଲକ୍ଷ ୯୦ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ ସ୍କୁଲଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟମରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ବିଭାଗୀୟ ଆର୍ଥିକ ଉପଦେଷ୍ଟା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଟିଇ ଆଣ୍ଡ ଏସସିଇଆରଟି ନିର୍ଦ୍ଦେଶକ, ମୋ ସ୍କୁଲ୍ ଅଭିଯାନର ମୁଖ୍ୟ କାର୍ଯ୍ୟନିର୍ବହୀ ଅଧିକାରୀ ଓ ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ

Comments are closed.