ବିଶେଷ

Recipe: ଆଜି ମୁଆଁ ଖାଇନାହାନ୍ତି କି! ତେବେ ଘରେ ବନାନ୍ତୁ ଧନୁମୁଆଁ…

ଧନୁ ସଂକ୍ରାନ୍ତିରୁ ମୁଆଁ ମାସ ଆରମ୍ଭ। ମୁଆଁ ଖଣ୍ଡେ ଦେଖିଦେଲେ ପାଟି ଓ ହାତ ଆଉ ବୋଲ ମାନେନି। ବଜାରରେ ବି ଏବେ ଭଳିକି ଭଳି ମୁଆଁର ପସରା। ମୁଆଁ କହିଲେ ଖାଲି ଲିଆ ବା ଖଇ ମୁଆଁ ନୁହେଁ, ବରଂ ଚୁଡ଼ା ମୁଆଁ, ମୁଢ଼ି ମୁଆଁ ବି ବେଶ୍‌ ସୁଆଦିଆ।

ଭୁବନେଶ୍ବର: ଆଜି ଧନୁ ସଂକ୍ରାନ୍ତି। ଆଜିଠୁ ମୁଆଁ ମାସ ଆରମ୍ଭ ହେଲା। ଠାକୁରଙ୍କ ପାଖରେ ପହିଲି ଭୋଗ ଲାଗି ହୋଇସାରିଲାଣି। ମକର ସଂକ୍ରାନ୍ତି ଯାଏ ଭୋଗରେ ମୁଆଁ ଖାଇବେ ଠାକୁରେ। ଆପଣଙ୍କ ଘରେ ବି ମୁଆଁ ପୂଜା ହେଉଥିବ।

ତେବେ ମୁଆଁ ଖଣ୍ଡେ ଦେଖିଦେଲେ ପାଟି ଓ ହାତ ଆଉ ବୋଲ ମାନେନି। ବଜାରରେ ବି ଏବେ ଭଳିକି ଭଳି ମୁଆଁର ପସରା। ଗୋଲ୍‌, ଚାନ୍ଦୁଆ, ଚାରିକୋଣିଆ, ହାର୍ଟ, ଡାଇମଣ୍ଡ, ଚେପେଟା ଆଦି ରକମର ମୁଆଁ ଦୋକନରେ ସଜେଇ ହେଇ ରହିଛି। ଏବେ ମୁଆଁର ଢାଞ୍ଚା ବଦଳିଛି ସତ ହେଲେ ସ୍ବାଦ କୋଉଠି ନା କୋଉଠି ସେମିତି ରହିଛି। ସେପଟେ ମୁଆଁ କହିଲେ ଖାଲି ଲିଆ ବା ଖଇ ମୁଆଁ ନୁହେଁ, ବରଂ ଚୁଡ଼ା ମୁଆଁ, ମୁଢ଼ି ମୁଆଁ ବି ବେଶ୍‌ ସୁଆଦିଆ। ଆସନ୍ତୁ ଜାଣିବା ସେସବୁ ପ୍ରସ୍ତୁତି ବିଷୟରେ। ଆଉ ହଁ ଯଦି ମୁଆଁ କିଣି ଖାଇବାକୁ ଇଚ୍ଛା ହେଉନି ତାହେଲେ ଘରେ ବନାନ୍ତୁ ଏହି ସୁଆଦିଆ ମୁଆଁ ପୁଣି କମ୍‌ ଖର୍ଚ୍ଚରେ…

ଖଇ ବା ଲିଆ ମୁଆଁ:

ଖଇରୁ ଖାଲି ଉଖୁଡ଼ା ପ୍ରସ୍ତୁତ ହୁଏନାହିଁ, ବରଂ ଏଥିରୁ ସୁଆଦିଆ ମୁଆଁ ବି ତିଆରି କରାଯାଏ।  ନୂଆ ଧାନକୁ ଉଷେଇଁ ଖଇ ଧାନ କଢ଼ାଯାଏ। ପରେ ସେହି ଧାନକୁ ବାଲିରେ ଭାଜି ଖଇ ପ୍ରସ୍ତୁତ କରାଯାଏ। ଖଇଛଡ଼ା ଡାଲାରେ ଖଇରୁ ଧାନକୁ ଅଲଗା କରାଯାଇଥାଏ। ପରେ ଗୁଡ଼ ବା ଚିନି ପାଗ କରାଯାଇ ଉକ୍ତ ଖଇକୁ ଫେଣ୍ଟାଯାଏ। ମାନନ୍ତୁ ଦୁଇଗିନା ଗୁଡ଼ ନେଲେ ସେଥିରେ ଦେଢ଼ଗିନା ଖଇ ନେବେ। ସେଥିରେ ନଡ଼ିଆ ପାତି, ଗୋଲମରିଚ ଗୁଣ୍ଡ, ପାନମଧୁରୀ, କିସ୍‌ମିସ ଆଦି ପକାଯାଏ। ଟିକେ ଥଣ୍ଡା ହେଲାପରେ ତାହାକୁ ବିଭିନ୍ନ ଆକାରରେ ଗଢ଼ାଯାଏ।

ଚୁଡ଼ା ମୁଆଁ:

ନୂଆ ଚାଉଳର ମୋଟା ଚୁଡ଼ା ଆଣି ତାକୁ ପ୍ରଥମେ ଟାଣ କରି ଭାଜି ଦିଆଯାଏ। ଏହାସହିତ ଏଥିରେ ନଡ଼ିଆ ପାତିଖଣ୍ଡ, ବାଦାମ, ରାଶି ଆଦି ମିଶାଇ ଭଜାଯାଏ। ଏହାପରେ ସେଥିରେ ଗୁଡ଼ ବା ଚିନି ପାଗ କରି ସେଥିରେ ଚୁଡ଼ାକୁ ଭଲଭାବେ ମିଶାଇ ଘଣ୍ଟାଯାଏ। ‌ଧ୍ୟାନ‌ ଦେବାକୁ ହେବ ଯେମିତି ଚୁଡ଼ା ଗୋଟାଳି ନ ରହିଯାଏ। ଏହାପରେ ଚୁଡ଼ା ହାଲୁକା ଥଣ୍ଡା ହେଲାପରେ ତାହାକୁ ମୁଆଁ ଆକାର ଦିଆଯାଏ।

ମୁଢ଼ି ମୁଆଁ:

ମୁଢ଼ିମୁଆଁ ପାଇଁ ଗୁଡ଼ ପାଗ କରି ସେଥିରେ ମୁଢ଼ିକୁୁ ମିଶାଯାଏ। ମୁଢ଼ି ପାଗରେ ନଡ଼ିଆ ପାତିଖଣ୍ଡ, ଗୋଲମରିଚ, ଜୁଆଣି, ବାଦାମ ଆଦି ମିଶାଇ ଭଲଭା‌େବ ଘଣ୍ଟାଯାଏ। ମୁଢ଼ି ପାଗ ହୋଇଗଲେ ତାହାକୁ ଅଳ୍ପ ଥଣ୍ଡା ହେବାକୁ ଛାଡ଼ି ଦିଆଯାଏ। ଏହାପରେ ମୁଢ଼ି ପାଗକୁ ହାତରେ ବିଭିନ୍ନ ଆକାର ଯଥା, ଗୋଲ୍‌ ବା ଚେପେଟା ଗୋଲ୍‌, ଡାଇମଣ୍ଡ ବା ଚାନ୍ଦ ଆକାରରେ ଗଢ଼ାଯାଏ। ଏହାକୁ ସକାଳ ଜଳଖିଆରେ ଖାଇବାକୁ ଅନେକ ପସନ୍ଦ ମଧ୍ୟ କରିଥା’ନ୍ତି।

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button