ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଏହାର ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବାନୁମାନକୁ ସଂଶୋଧନ କରିଛି। ଏହା ଆଶା କରାଯାଉଥିବା ଋତୁକାଳୀନ ବୃଷ୍ଟିପାତକୁ ଦୀର୍ଘକାଳୀନ ହାରାହାରି (ଏଲ୍ପିଏ)ର ୯୦ ପ୍ରତିଶତକୁ ହ୍ରାସ କରିଛି, ଯାହା ଏହାର ପୂର୍ବ ପୂର୍ବାନୁମାନ ୯୨ ପ୍ରତିଶତଠାରୁ କମ୍। ଫଳସ୍ୱରୂପ ଜୁନ୍ ମାସରେ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ବୃଦ୍ଧି ସହିତ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ଆଶଙ୍କା ରହିଛି।
ଭୌଗୋଳିକ ଦୃଷ୍ଟିରୁ କେବଳ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି, ଯାହା ଏଲ୍ପିଏର ୯୪ ପ୍ରତିଶତରୁ ୧୦୬ ପ୍ରତିଶତ ମଧ୍ୟରେ ରହିବ। ଦକ୍ଷିଣ ଉପଦ୍ୱୀପ ଓ ମଧ୍ୟ ଭାରତ ସମେତ ଦେଶର ଅବଶିଷ୍ଟ ଭାଗରେ ବୃଷ୍ଟିପାତ ୯୪ ପ୍ରତିଶତ ତଳେ ରହିବ ବୋଲି ଆଶା କରାଯାଉଛି, ଯେତେବେଳେ କି ଉତ୍ତର-ପଶ୍ଚିମ ଅଞ୍ଚଳ ୯୨ ପ୍ରତିଶତ ତଳେ ରହିବ ବୋଲି ଆଇଏମ୍ଡି ଆଶା ପ୍ରକାଶ କରିଛି। ଏହାବ୍ୟତୀତ ମୌସୁମୀ ଆଗମନ ଏକ ସପ୍ତାହ ବିଳମ୍ବ ହେବ ବୋଲି ଆଇଏମ୍ଡି କହିଛି। ମେ ୨୬ ସୁଦ୍ଧା ମୌସୁମୀ କେରଳ ଉପକୂଳରେ ପହଞ୍ଚିବ ବୋଲି ଆଇଏମ୍ଡି ପ୍ରଥମେ ପୂର୍ବାନୁମାନ କରିଥିଲା, ଯେତେବେଳେ କି ମୌସୁମୀ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧।
ଆଇଏମଡି ଅନୁଯାୟୀ, ମୌସୁମୀ ଋତୁରେ ଏକ ଦୁର୍ବଳରୁ ମଧ୍ୟମ ଏଲ୍ନିନୋ ସକ୍ରିୟ ରହିବ, ଯେତେବେଳେ କି ମୌସୁମୀ ପରେ ଏକ ଶକ୍ତିଶାଳୀ ଏଲ୍ନିନୋ ସକ୍ରିୟ ହେବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର-ପୂର୍ବ ଭାରତ, ଜମ୍ମୁ-କାଶ୍ମୀର ଓ ଲଦାଖକୁ ଛାଡି ସାରା ଦେଶରେ ଜୁନ୍ ମାସରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ ମାସ ପାଇଁ ସାଧାରଣ ବୃଷ୍ଟିପାତ ହାରାହାରି ୧୬୬.୯ ମିଲିମିଟର ହେବ। ଏଥିସହ ଆଇଏମ୍ଡି ଜୁନ୍ ମାସରେ ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟାରେ ଆନୁମାନିକ ବୃଦ୍ଧି ହେବାର ସୂଚନା ଦେଇଛି।
ସୌଜନ୍ୟ ସମ୍ବାଦ

