ଜନ୍ମରୁ କୁଆଁରୀ ମା’ ରାସ୍ତା କଡ଼ରେ ଫିଙ୍ଗି କେଉଁଆଡ଼େ ଚାଲିଯାଇଥିଲା। ଝିଅର ହାର୍ଟରେ ଥିଲା ୯ ଏମ୍ଏମ୍ର କଣା। ଏବେ ଏହି କୁନି ଝିଅ ହେବାକୁ ଯାଉଛି ଇଟାଲୀୟ ନାଗରିକ। ବସୁନ୍ଧରାକୁ ଆସି ଇଟାଲୀୟ ଦମ୍ପତି ଏହି ଶିଶୁକନ୍ୟାକୁ କୋଳେଇ ନେଇଛନ୍ତି।
କଟକ: ଜନ୍ମରୁ କୁଆଁରୀ ମା’ ରାସ୍ତା କଡ଼ରେ ଫିଙ୍ଗି କେଉଁଆଡ଼େ ଚାଲିଯାଇଥିଲା। ଝିଅର ହାର୍ଟରେ ଥିଲା ୯ ଏମ୍ଏମ୍ର କଣା। ଏବେ ଏହି କୁନି ଝିଅ ହେବାକୁ ଯାଉଛି ଇଟାଲୀୟ ନାଗରିକ। ବସୁନ୍ଧରାକୁ ଆସି ଇଟାଲୀୟ ଦମ୍ପତି ଏହି ଶିଶୁକନ୍ୟାକୁ କୋଳେଇ ନେଇଛନ୍ତି। କୁନି ଝିଅର ମା’ ହେବାକୁ ଯାଉଥିବା ମହିଳା ଇଟାଲୀର ଏକ ବିଶ୍ବବିଦ୍ୟାଳୟର ଶିକ୍ଷା (ଏଜୁକେସନ୍) ବିଭାଗର ପ୍ରଫେସର। ଏଭଳି ଜଣେ ସ୍ବତନ୍ତ୍ର ଶିଶୁକନ୍ୟାକୁ ଝିଅ ଭାବେ ଆପଣାଇ ଉଦାହରଣ ସୃଷ୍ଟି କରିଛନ୍ତି ଇଟାଲୀୟ ଦମ୍ପତି।
ସୂଚନା ଅନୁଯାୟୀ, ୨୦୨୪ ଅଗଷ୍ଟ ୧୪ ତାରିଖ ଅପରାହ୍ଣରେ ଜଗତପୁର ଗୋଲେଇ ଛକରେ ପରିତ୍ୟକ୍ତ ଅଞ୍ଚଳରେ ଜଣେ ନବଜାତ ଶିଶୁକନ୍ୟା ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। କଟକ ସିଡବ୍ଲୁସିର ନିର୍ଦ୍ଦେଶକ୍ରମେ ଶିଶୁକନ୍ୟାଟିକୁ ବସୁନ୍ଧରାରେ ଥଇଥାନ କରାଯାଇଥିଲା। ପ୍ରାଥମିକ ଚିକିତ୍ସା ବେଳେ ତା’ ହାର୍ଟରେ ଏକ କଣା ଥିବା ଦେଖିବାକୁ ମିଳିଥିଲା। ଉଭୟ ଶିଶୁଭବନ ଓ ଏସ୍ସିିବି ମେଡିକାଲରେ ତାର ଚିକିତ୍ସା କରାଯାଇଥିଲା। ୯ ଏମ୍ଏମ୍ କଣା ଏବେ ୬ ଏମ୍ଏମ୍ରେ ପହଞ୍ଚିଛି। ଚିକିତ୍ସା ବିଜ୍ଞାନ ପରିଭାଷାରେ ଏହାକୁ ଭେଣ୍ଟ୍ରିକ୍ୟୁଲାର ସେପ୍ଟାଲ ଡିଫେକ୍ଟ (ଭିଏସ୍ଡି) କୁହାଯାଏ। ଜନ୍ମ ସମୟରେ ଶିଶୁଙ୍କ ହାର୍ଟରେ ଏଭଳି କଣା ରହିଯାଏ। ବସୁନ୍ଧରାରେ ରହିଥିବା ଏହି ଝିଅ ଏବେ ଦେଢ଼ବର୍ଷର ହେଲାଣି। ଏବେ ସେ ନିୟମିତ ଔଷଧ ସେବନ କରୁଥିବାବେଳେ ହାର୍ଟରେ ଥିବା କଣା ସମ୍ପୂର୍ଣ୍ଣ ବନ୍ଦ ହେବାର ସମ୍ଭାବନା ଥିବା ଡାକ୍ତର କହିଛନ୍ତି। ଶିଶୁଟିକୁ ନେବା ଲାଗି କେହି ଅଭିଭାବକ ମଧ୍ୟ ବସୁନ୍ଧରାକୁ ଆସିଲେ ନାହିଁ। ସିଡବ୍ଲୁସି କ୍ଲିୟରାନ୍ସ ପରେ ‘କାରା’ (ସେଣ୍ଟ୍ରାଲ୍ ଆଡପସନ୍ ରିସୋର୍ସ ଅଥରିଟି)କୁ ଶିଶୁକନ୍ୟାର ଫଟୋ ପଠାଯାଇଥିଲା। ‘କାରା’ ମାଧ୍ୟମରେ ଇଟାଲୀୟ ଦମ୍ପତି ସାଣ୍ଡ୍ରୋ ପୋଲୋ ଓ ଫ୍ରାନ୍ସିସ୍କା ପେରସନ୍ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ।
ଶେଷରେ ସେ ଏହି ଶିଶୁକନ୍ୟାକୁ ନେବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହିକ୍ରମରେ ଏହି ଦମ୍ପତି ଗତକାଲିି କଟକରେ ପହଞ୍ଚିଥିଲେ। ତାଙ୍କ ସହିତ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଆସିଥିଲେ। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ କାର୍ଯ୍ୟାଳୟକୁ ଏହି ଦମ୍ପତି ଯାଇଥିଲେ। ସେଠାରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ଇଟାଲୀୟ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି। ସାଣ୍ଡ୍ରୋ ଏକ ଶରଣାର୍ଥୀ ଶିବିରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ହସ୍ତାନ୍ତର ପ୍ରକ୍ରିୟା ସମୟରେ ବସୁନ୍ଧରାରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା।
ସୌଜନ୍ୟ ସମ୍ବାଦ

