Mukesh Ambani : ଦୁଇ ଦଶନ୍ଧିରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତି ହେବ: ମୁକେଶ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି. ଅମ୍ବାନୀ କହିଛନ୍ତି ଯେ ଆଗାମୀ ୨୦-୩୦ ବର୍ଷ ମଧ୍ୟରେ ଭାରତ ୨୫ରୁ ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ସମ୍ଭାବନା ରଖିଛି। ଏହି ସମୟ ଦେଶର ଯୁବ ପିଢ଼ି ପାଇଁ ଏକ ବଡ଼ ନିବେଶ ସୁଯୋଗ ହେବ।

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଡି. ଅମ୍ବାନୀ କହିଛନ୍ତି ଯେ ଆଗାମୀ ୨୦-୩୦ ବର୍ଷ ମଧ୍ୟରେ ଭାରତ ୨୫ରୁ ୩୦ ଟ୍ରିଲିୟନ ଡଲାରର ଅର୍ଥନୀତି ହେବାର ସମ୍ଭାବନା ରଖିଛି। ଏହି ସମୟ ଦେଶର ଯୁବ ପିଢ଼ି ପାଇଁ ଏକ ବଡ଼ ନିବେଶ ସୁଯୋଗ ହେବ। ମୁମ୍ବାଇରେ ଅନୁଷ୍ଠିତ ଜିଓ-ବ୍ଲାକରକ୍ କାର୍ଯ୍ୟକ୍ରମ ‘ଇନ୍ଭେଷ୍ଟିଂ ଫର୍ ଏ ନ୍ୟୁ ଏରା’ରେ ବ୍ଲାକରକ୍ ସିଇଓ ଲାରି ଫିଙ୍କଙ୍କ ସହିତ ଏକ ଫାୟାର୍ସାଇଡ୍ ଆଲୋଚନାରେ ଅମ୍ବାନୀ ଏହା କହିଥିଲେ।
ସେ କହିଥିଲେ ଯେ ଭାରତ ପାରମ୍ପରିକ ଭାବରେ ସଞ୍ଚୟର ଦେଶ। କିନ୍ତୁ ବର୍ତ୍ତମାନ ନିବେଶ କରି ଦେଶର ପ୍ରଗତିରୁ ଲାଭ ଉଠାଇବାର ସମୟ ଆସିଛି। ସଞ୍ଚୟକୁ ନିବେଶରେ ପରିଣତ କରାଯିବା ଉଚିତ। ପୁଞ୍ଜି ବଜାରରେ ସଞ୍ଚୟ ଅର୍ଥ ନିବେଶ କରିବା ଦ୍ୱାରା କେବଳ ପରିବାରର ସମ୍ପତ୍ତି ବୃଦ୍ଧି ହେବ ନାହିଁ ବରଂ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ ତ୍ୱରାନ୍ୱିତ ହେବ। ଲାରି ଫିଙ୍କ୍ ମଧ୍ୟ ଏହି ବିଚାରକୁ ସମର୍ଥନ କରି କହିଥିଲେ ଯେ ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ଦେଶରେ ଦୀର୍ଘକାଳୀନ ଇକ୍ୱିଟି ନିବେଶ ସମ୍ପତ୍ତି ସୃଷ୍ଟିର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହୋଇପାରିବ ବୋଲି କହିଥିଲେ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଥିଲେ। ବ୍ଲାକରକ୍ ସିଇଓ ଲାରି ଫିଙ୍କ୍ ଭାରତକୁ ଆଗାମୀ ଦୁଇ ଦଶନ୍ଧିକୁ ‘ଭାରତ ଯୁଗ’ ଭାବରେ ବର୍ଣ୍ଣନା କରିଥିଲେ।
ସୌଜନ୍ୟ ସମ୍ବାଦ



